ଭୁବନେଶ୍ବର: ବ୍ରାଜିଲର ସାଓ ପାଓଲୋରେ ଚାଲିଥିବା ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ ଆନ୍ତର୍ଜାତିକର ଏକକ ବର୍ଗ ସେମିଫାଇନାଲ୍‌ରେ ପହଞ୍ଚି ଅଲିମ୍ପିକ୍‌ ବିଜେତା ପ୍ରମୋଦ ଭଗତ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ଗୁରୁବାର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିବା ପ୍ରମୋଦ ଶୁକ୍ରବାର ପୁରୁଷ ଏକକରେ ପେରୁ ପ୍ରତିଦ୍ବନ୍ଦ୍ବୀ ପେଡ୍ରୋ ପାବ୍‌ଲୋ ଡି ଭିନାଟିଙ୍କୁ ୨୧-୭ ଓ ୨୧-୧୨ରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି।

Advertisment

ସେହିପରି ଶୁକ୍ରବାର ପ୍ରମୋଦ ଉଭୟ ଯୁଗଳ ଓ ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ମଧ୍ୟ ସ୍ଥାନ ସୁରକ୍ଷିତ କରିଛନ୍ତି। ସୁକାନ୍ତ କଦମଙ୍କୁ ସାଥୀ କରି ପ୍ରମୋଦ ଯୁଗଳ ବର୍ଗ ତୃ୍ତୀୟ ଗ୍ରୁପ୍‌ ମ୍ୟାଚ୍‌ରେ ପେରୁ ଯୋଡ଼ି ପାବ୍‌ଲୋ ସେସାର କୁଇଟୋ-ପାଟ୍ରିସିଓ ଆନ୍ଦ୍ରେସ୍‌ ଇଚେଭେରିଆଙ୍କୁ ୨୧-୬ ଓ ୨୧-୭ରେ ପରାସ୍ତ କରିଥିଲା ବେଳେ ମନୀଷା ରାମଦାସଙ୍କୁ ସାଥୀ କରି ମିଶ୍ରିତ ଯୁଗଳ ଦ୍ବିତୀୟ ଗ୍ରୁପ୍‌ ମ୍ୟାଚ୍‌ରେ ଅନ୍ୟତମ ପେରୁ ଯୋଡ଼ି ରେଞ୍ଜୋ ଡିକ୍ବେଜ୍‌ ବାନ୍‌ସେସ୍‌ ମୋରାଲେସ୍‌-ଜେନି ବର୍ଥା ଭେଣ୍ଟୋସିଲାଙ୍କୁ ୨୧-୧୦ ଓ ୨୧-୯ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଦିଲେଶ୍ବର ରାଓ ମଧ୍ୟ ଯୁଗଳ ବର୍ଗ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ନବୀନଙ୍କୁ ସାଥୀ କରି ଖେଳିଥିବା ଦିଲେଶ୍ବର ତୃତୀୟ ଗ୍ରୁପ୍‌ ମ୍ୟାଚ୍‌ରେ ବ୍ରାଜିଲ ଯୋଡ଼ି ଜୋନାଥନ କାର୍ଦୋସା‌-ଇଉଭେନିଓ କ୍ଲେଟୋଙ୍କୁ ୨୧-୧୦ ଓ ୨୧-୯ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି।