ବ୍ରାଜିଲ ଜିତିଲା: ଇକ୍ବେଡରକୁ ରୋକିଲା ପେରୁ

ରିଓ ଡି’ ଜେନିରୋ/ଗୋଏନିଆ: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଗୁରୁବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରୁ ଗୋଟିକରେ ବ୍ରାଜିଲ ଜିତିଥିଲା ବେଳେ ଅନ୍ୟଟିରେ ‌ଇକ୍ବେଡର ବିଜୟରେ ବାଧା ଦେଇଥିଲା ପେରୁ। ୮ ମ୍ୟାଚ୍‌ରେ ଆଗୁଆ ଗୋଲ୍‌ ବରଣ କରିନଥିବା ବ୍ରାଜିଲ ରିଓ ଡି’ଜେନିରୋରେ ଖେଳାଯାଇଥିବା କଲମ୍ବିଆ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ପଛରେ ପଡ଼ିଯାଇଥିଲା। ମ୍ୟାଚ୍‌ର ଦଶମ ମିନିଟ୍‌ରେ ଲୁଇସ ଦିଆଜ୍‌ଙ୍କ ଗୋଲ୍‌ରେ କଲମ୍ବିଆ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଫଳରେ ପ୍ରଥମାର୍ଦ୍ଧରେ ଘରୋଇ ଦଳ ୦-୧ରେ ପଛୁଆ ରହିଥିଲା। ମ୍ୟାଚ୍‌ ଶେଷ ହେବାର ୧୨ ମିନିଟ୍‌ ପୂର୍ବରୁ ଘରୋଇ ଦଳ ରୋବର୍ତୋ ଫିର୍ମିନୋ (୭୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ସ୍ଥିତି ବରାବର କରିଥିଲା। ଇନ୍‌ଜୁରି ସମୟରେ କାସେମିରୋ (୯୦+୧୦ ମିନିଟ୍‌) ବ୍ରାଜିଲ ପାଇଁ ବିଜୟ ସୂଚକ ଗୋଲ୍‌ ଦେଇଥିଲେ। ଫଳରେ ବ୍ରାଜିଲ ପୂରା ୩ ପଏଣ୍ଟ କରାୟତ୍ତ କରି ମୋଟ ୯ ପଏଣ୍ଟ୍‌ ସହ ଗ୍ରୁପ୍‌-ବି’ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ କଲମ୍ବିଆ (୪ ପଏଣ୍ଟ) ଦ୍ବିତୀୟ ସ୍ଥାନରେ ରହିଛି।

ଗୋଏନିଆରେ ଖେଳାଯାଇଥିବା ପେରୁ ଓ ଇକ୍ବେଡର ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲେ। ପେରୁରୁ ରେନାଟା ତାପିଆ (୨୩ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ଇକ୍ବେଡର ୧-୦ରେ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧର ଇନ୍‌ଜୁରି ସମୟରେ ଆର୍ଟନ ପ୍ରେସିଆଡୋ (୪୫+୩ ମିନିଟ୍‌) ଇକ୍ବେଡର ପାଇଁ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ଫଳରେ ଇକ୍ବେଡର ପ୍ରଥମାର୍ଦ୍ଧରେ ୨-୦ ଗୋଲ୍‌ରେ ଆଗୁଆ ରହିଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ପେରୁ ଏହି ଦୁଇ ଗୋଲ୍‌ ଶୁଝି ଇକ୍ବେଡରକୁ ପୂରା ପଏଣ୍ଟ୍‌ ନେବାରୁ ଅଟକାଇଥିଲା। ପେରୁ ପାଇଁ ଏହି ଦୁଇଟି ଗୋଲ୍‌ ଜିଆନ୍‌ଲୁକା ଲାପାଦୁଲା (୪୯ ମିନିଟ୍‌) ଏବଂ ଆନ୍ଦ୍ରେ କାରିଲୋ (୫୪ ମିନିଟ୍‌) ଦେଇଥିଲେ। ପେରୁ (୪ ପଏଣ୍ଟ୍‌) ଏବଂ ଇକ୍ବେଡର (୨ ପଏଣ୍ଟ୍‌) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର