ବ୍ରାଜିଲ ଜିତିଲା କୋପା ଆମେରିକା

ମାରାକାନା: ପେରୁକୁ ୩-୧ ଗୋଲ୍‌ରେ ପରାସ୍ତ କରି ବ୍ରାଜିଲ କୋପା ଆମେରିକା ବିଜେତା ହୋଇଛି। ମାରାକାନା ଷ୍ଟାଡିୟମ୍‌ରେ ୭୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଫାଇନାଲ୍‌ରେ ବିଜେତା ଦଳର ଗାବ୍ରିଏଲ୍‌ ଜେସସ୍‌ ହିଁ ଆକର୍ଷଣର କେନ୍ଦ୍ରରେ ରହିଥିଲେ। ସେ ୪୫+୩ ମିନିଟ୍‌ରେ ବ୍ୟକ୍ତିଗତ ପ୍ରଥମ ଏବଂ ଦଳ ପାଇଁ ଦ୍ବିତୀୟ ଗୋଲ୍‌ କରିଥିଲା ବେଳେ ୭୦ ମିନିଟ୍‌ରେ ନାଲି କାର୍ଡ ପାଇ ପଡ଼ିଆରୁ ବାହାରିବା ତାଙ୍କୁ ଚର୍ଚ୍ଚାରେ ରଖିଥିଲା। ଜେସସ୍‌ଙ୍କ ବ୍ୟତୀତ ଏଭର୍ଟନ୍‌ ସୋରେସ୍‌ ୧୫ ମିନିଟ୍‌ରେ ବ୍ରାଜିଲ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ବେଳେ ରିଚାର୍ଲିସନ୍‌ (୯୦ ମିନିଟ୍‌) ଶେଷ ଗୋଲ୍‌ କରି ବ୍ରାଜିଲ୍‌କୁ ସହଜ ବିଜୟ ଭେଟି ଦେଇଥିଲେ। ଏହା ବ୍ରାଜିଲ୍‌ର ମୋଟ ନବମ କୋପା ଆମେରିକା ଟ୍ରଫି ହୋଇଥିଲା ବେଳେ ୨୦୦୭ ପରେ ପ୍ରଥମ ବୃହତ୍‌ ଟ୍ରଫି। ଅନ୍ୟପକ୍ଷରେ ଶେଷ ଥର ପାଇଁ ୧୯୭୫ ମସିହାରେ ବିଜେତା ହୋଇଥିବା ପେରୁ ଉପବିଜେତାରେ ସନ୍ତୁଷ୍ଟ ରହିଲା। ପେରୁ ପକ୍ଷରୁ ଏକମାତ୍ର ଗୋଲ୍‌ ପାଓଲୋ ଗୁଏରେରୋ ୪୪ ମିନିଟ୍‌ରେ ଶୁଝି ଦେଇଥିଲେ।

ସମ୍ବନ୍ଧିତ ଖବର