କୋପା ଆମେରିକା ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ବ୍ରାଜିଲ

ବ୍ରାସିଲିଆ: କୋପା ଆମେରିକା ଫୁଟ୍‌ବଲ୍‌ ଚାମ୍ପିଅନ୍‌ସିପ୍‌ ରବିବାର ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ବ୍ରାଜିଲ ଏକପାଖିଆ ବିଜୟ ହାସଲ କରିଛି। ଏହି ଦଳ ୩-୦ ଗୋଲ୍‌ରେ ଭେନେଜୁଏଲାକୁ ପରାସ୍ତ କରିଛି। ରକ୍ଷଣଭାଗ ଖେଳାଳି ମାର୍କିନୋସ (୨୩ ମିନିଟ୍‌) ପ୍ରଥମାର୍ଧର ମଧ୍ୟଭାଗ‌ରେ ପ୍ରାରମ୍ଭିକ ଗୋଲ୍‌ ଦେଇଥିଲେ।

ପ୍ରଥମାର୍ଧ ୧-୦ରେ ଆଗୁଆ ରହିଥିଲା। ଏହା ପରେ ଦ୍ବିତୀୟାର୍ଧର ୧୯ତମ ମିନିଟ୍‌ରେ ନେମାର (୬୪ ମିନିଟ୍‌) ପେନାଲ୍‌ଟି ଜରିଆରେ ନିଜ ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟା ୬୭ ପହଞ୍ଚାଇବା ସହ ଦଳକୁ ୨-୦ରେ ଆଗୁଆ କରିଥିଲେ। ମ୍ୟାଚ୍‌ ଶେଷ ହେବାର ୨ ମିନିଟ୍‌ ପୂର୍ବରୁ ନେମାରଙ୍କ ଏକ କ୍ରସ ପାସ୍‌କୁ ବଦଳ ଖେଳାଳି ଗାବ୍ରିଏଲ୍‌ ବାର୍ବୋସା (୮୯ ମିନିଟ୍‌)ଙ୍କ ଗୋଲ୍‌ରେ ପରିଣତ କରିଥିଲେ। ଏହି ଗୋଲ୍‌ ବ୍ରାଜିଲ୍‌କୁ ଏକପାଖିଆ ବିଜୟ ଦେଇଥିଲା। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଭେନ୍‌ଜୁଏଲାର ୮ ଖେଳାଳି କରୋନା ଆକ୍ରାନ୍ତ ହେବାରୁ ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଆଉ ୧୫ ଖେଳାଳିଙ୍କୁ ଦଳରେ ସାମିଲ କରିଥିଲା। ଫଳରେ ଭେନ୍‌ଜୁଏଲା ଏକ ଦୁର୍ବଳ ଦଳ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଏହି ମ୍ୟାଚ୍‌ରେ ଦୁଇ ଜଣ ଖେଳାଳି ପଦାର୍ପଣ କରିଥିଲା ବେଳେ ଗତ ସପ୍ତାହରେ ଉରୁଗୁଏ ବିପକ୍ଷ ବିଶ୍ବକପ୍‌ ଯୋଗ୍ୟତାରେ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ୩ ଜଣ ଖେଳିଥିଲେ। ପୂର୍ବରୁ କେବେ ବ୍ରାଜିଲ ବିପକ୍ଷରେ ଭେନ୍‌ଜୁଏଲା ଜିତି ନଥିଲେ ମଧ୍ୟ କରୋନା ଏହାର ସ୍ଥିତିକୁ ଆହୁରି ଖରାପ କରିଥିଲା। ଗ୍ରୁପ୍‌-ବି’ରେ ବ୍ରାଜିଲ ତା’ ପରବର୍ତ୍ତୀ ମ୍ୟାଚ୍‌ ଜୁନ୍‌ ୧୭ରେ ପେରୁ ବିପକ୍ଷରେ ଖେଳିବାକୁ ଥିଲା ବେଳେ ସେହିଦିନ ଭେନଜୁଏଲା ଭେଟିବ କଲମ୍ବିଆକୁ।

ସମ୍ବନ୍ଧିତ ଖବର