ସଚିନଙ୍କ ବିପକ୍ଷ ଲଢ଼େଇରୁ ମୋ ଶ୍ରେଷ୍ଠତ୍ବ ବାହାରୁଥିଲା: ବ୍ରେଟ୍ ଲି

ନୂଆଦିଲ୍ଲୀ : ଅତୀତରେ ପଡ଼ିଆ ଭିତରେ ସଚିନ ତେନ୍ଦୁଲକର ଏବଂ ବ୍ରେଟ୍ ଲି’ଙ୍କ ମଧ୍ୟରେ ହୋଇଥିବା କ୍ରିକେଟ୍‌ ଲଢ଼େଇରୁ ପ୍ରଶଂସକମାନେ ଢେର ମଜା ନେଇଛନ୍ତି। ଯେତେଥର ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥା’ନ୍ତି ସଚିନ-ଲି’ଙ୍କ ବ୍ୟକ୍ତିଗତ ମୁକାବିଲା କଥା ମଧ୍ୟ ପ୍ରଶଂସକଙ୍କ ନଜରରେ ରହିଥାଏ। ବ୍ରେଟ ଲି’ଙ୍କୁ ସଚିନ ଚୌକା ମାରିପାରିଲେ ପ୍ରଶଂସକମାନେ ମଧ୍ୟ ଉଲ୍ଲସିତ ହୋଇଥା’ନ୍ତି। ନିକଟରେ ଏକ ସାକ୍ଷାତକାର ବେଳେ ବ୍ରେଟ୍ ଲି ମଧ୍ୟ ସଚିନଙ୍କ ବିପକ୍ଷ ଲଢ଼େଇକୁ ସ୍ବୀକାର କରିଛନ୍ତି। ‘ସଚିନ ତେନ୍ଦୁଲକରଙ୍କ ବିପକ୍ଷ ଲଢ଼େଇ ସବୁବେଳେ ବଡ଼ ମୁକାବିଲା ହୋଇଥାଏ, ଏହା ‌ହିଁ ମୋ ଭିତରୁ ଶ୍ରେଷ୍ଠ ପ୍ରଦର୍ଶନ ବାହ‌ାର କରିଥାଏ’ ବୋଲି ବ୍ରେଟ୍ ଲି ପ୍ରକାଶ କରିଥିଲେ।

‘ମୁଁ ଜାଣିଛି ସଚିନଙ୍କ ବିପକ୍ଷରେ ମୋ ରେକର୍ଡ ଭଲ ରହିଛି। ସେ ମଧ୍ୟ ମୋ ବିପକ୍ଷରେ ଭଲ ରନ୍‌ ସଂଗ୍ରହ କରିଛନ୍ତି। ଏହି ସବୁ ମୁକାବିଲାକୁ ମୁଁ ଢେର ଉପଭୋଗ କରିଛି। ମୁଁ କିନ୍ତୁ ଭିଭିଏସ୍ ଲକ୍ଷ୍ମଣଙ୍କ ବିପକ୍ଷ ଲଢ଼େଇରୁ ଅଧିକ ଉପଭୋଗ କରିଛି। କାରଣ ତାଙ୍କୁ ଆଉଟ୍ କରିବା ପ୍ରାୟ ଅସମ୍ଭବ ହୋଇଥାଏ। ଏହ‌ା ପରେ ବୀରେନ୍ଦ୍ର ସେହବାଗଙ୍କୁ ଆଉଟ୍ କରିବା କଷ୍ଟକର ଥିଲା। ଟେଷ୍ଟ୍‌ କ୍ରିକେଟ୍‌ରେ ‌ତାଙ୍କୁ ବୋଲିଂ କଲେ ବି ସେ ଛକା ମାରିଦିଅନ୍ତି। ତାଙ୍କ ଦୃଷ୍ଟି ଶକ୍ତି ଭଲ ଥିଲା। ବ୍ରାଏନ୍ ଲାରାଙ୍କ ସହ ମଧ୍ୟ ମୋର ଭଲ ଲଢ଼େଇ ହୋଇଛି। ଏସବୁ କ୍ରିକେଟର୍‌ମାନେ ଶ୍ରେଷ୍ଠ ଯେଉଁମାନଙ୍କ ସହ ମୁଁ ଖେଳିଛି। ଏମାନଙ୍କ ସହ ଖେଳିଥିବାରୁ ମଧ୍ୟ ନିଜକୁ ଭାଗ୍ୟବାନ ମଣୁଛି। ସଚିନ, ଲାରା, ସେହବାଗ, ଭିଭିଏସଙ୍କ ସହ ଖେଳିବା ନିଶ୍ଚିତ ଏକ ସୌଭାଗ୍ୟ। କିନ୍ତୁ ଧୋନି, କୋହଲି, ଦ୍ରାବିଡ଼ ହେଉଛନ୍ତି ଅନ୍ୟ ବ୍ୟାଟ୍ସମ୍ୟାନ୍‌ ଯେଉଁମାନେ ଭଲ’ ବୋଲି ବ୍ରେଟ୍ ଲି ଏକ ଇଂରାଜି ଖବରକାଗଜକୁ ଦେଇଥିବା ସାକ୍ଷାତାକାରରେ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ,‌ ଟେଷ୍ଟ୍ କ୍ରିକେଟ୍ ହେଉ କି ଦିନିକିଆ ଫର୍ମାଟ। ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ତେନ୍ଦୁଲକର ପ୍ରାଧାନ୍ୟ ବିସ୍ତାର କରିଥିଲେ। କଙ୍ଗାରୁ ଦଳ ବିପକ୍ଷରେ ସଚିନ ୭୧ ଦିନିକିଆ ଖେଳି ୭୦ ପାଳିରୁ ୪୪.୫୯ ହାରରେ ୩୦୭୭ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୯ ଶତକ ଏବଂ ୧୫ ଅର୍ଧଶତକ ସାମିଲ ଥିଲା। ସେହ‌ିଭଳି ଟେଷ୍ଟ୍‌ରେ ୩୯ ଟେଷ୍ଟ୍‌ ୭୪ ପାଳିରୁ ୫୫ ହାରରେ ୧୧ ଶତକ ଓ ୧୬ ଅର୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ଏକଦା ବିଶ୍ବର ସବୁଠୁ ଦ୍ରୁତତମ ବୋଲର ଥିବା ବ୍ରେଟ୍ ଲି ୩୦ ଦିନିକିଆରେ ୯ ଥର ସଚିନଙ୍କୁ ଆଉଟ୍ କରିଛନ୍ତି। ଯାହାକି ନିଜ ଖେଳ ଜୀବନରେ ଜଣେ ନର୍ଦ୍ଦିଷ୍ଟ ବ୍ୟାଟ୍‌ସମ୍ୟାନ୍‌ଙ୍କ ବିପକ୍ଷରେ ସର୍ବାଧିକ। ଏହା ମଧ୍ୟରେ ୨ ବୋଲ୍ଡ, ୫ କଟ୍ (କ୍ଷେତ୍ରରକ୍ଷକ-୪, ୱିକେଟରକ୍ଷକ-୧), ୧ ଏଲବିଡବ୍ଲ୍ୟୁ ଏବଂ ୧ ହିଟ୍‌ ୱିକେଟ୍‌ ରହିଛି। ଟେଷ୍ଟ୍‌ରେ ସଚିନଙ୍କୁ ଲି’ ମାତ୍ର ୫ ଥର ଆଉଟ୍ କରିପାରିଥିଲେ।

ନିଜ ପ୍ରଦର୍ଶନ ଉପରେ ବ୍ରେଟ୍ ଲି କହିଥିଲେ ଟେଷ୍ଟ୍‌ ତୁଳନାରେ ମୋ ଦିନିକିଆ ରେକର୍ଡ ଭଲ। କାରଣ ମୁଁ ‌ଟେଷ୍ଟ୍‌ରେ ସୀମିତ ସୁଯୋଗ ପାଇଥିଲି। ମୁଁ ଲୟରେ ଥିବାବେଳେ ହିଁ ୧୮ ମାସ ଧରି ଦ୍ବାଦଶ ‌ଖେଳାଳି ଭାବେ ସାମିଲ ଥିଲି।‌ ସେ ସମୟରେ ମୁଁ ଘଣ୍ଟାପ୍ରତି ୧୬୦ ବେଗରେ‌ ବୋଲିଂ ମଧ୍ୟ କରୁଥିଲି। ୨୦୦୫ ଓ ୨୦୦୬ ଗ୍ରୀଷ୍ମଋତୁରେ ସୁଯୋଗ ପାଇନଥିଲି। ମୁଁ ଭାବୁଛି ଏହା ମୋ ଟେଷ୍ଟ୍ ଜୀବନରୁ ଅନେକ କିଛି ଛଡ଼ାଇ ନେଇଥିଲା। ମୋ ବୋଲିଂ ସମ୍ଭବତଃ ଦିନିକିଆ ପାଇଁ ଅଧିକ ଉପଯୁକ୍ତ ଥିଲା। ସଚିନ ତେନ୍ଦୁଲକରଙ୍କ ବିପକ୍ଷ ବୋଲି ମୋତେ ଭାରି ଉଲ୍ଲସିତ କରୁଥିଲା’ ବୋଲି ବ୍ରେଟ୍ ଲି ପ୍ରକାଶ କରିଛନ୍ତି।

ସାମି ପସନ୍ଦର ପେସ୍ ବୋଲର
ଭାରତୀୟ ଦଳ ଏବେ ଦେଶ ବିଦେଶରେ ଭଲ ପ୍ରଦର୍ଶନ କରୁଥିବାର ଏକ ବଡ଼ କାରଣ ହେଉଛି ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ଭୁବନେଶ୍ବର କୁମାରଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି। ବ୍ରେଟ୍ ଲି କିନ୍ତୁ ତାଙ୍କ ପସନ୍ଦର ଭାରତୀୟ ବୋଲର ଭାବେ ବାଛିଛନ୍ତି ମହମ୍ମଦ ସାମିଙ୍କୁ। ‘ମୁଁ ଦୀର୍ଘଦିନ ହେବ ଦେଖି ଆସୁଛି ସାମି ଭଲ କରି ଆସୁଛନ୍ତି। ନୂଆ ବଲ୍‌ ହେଉ କି ‌ପୁରୁଣା ବଲ୍ ଭାରତୀୟ ଦଳ ପାଇଁ ସେ ସମ୍ପତ୍ତି ଭଳି। ବିଗତ ୨/୩ ଋତୁ ଦେଖିଲେ ଯଶପ୍ରୀତ୍ ବୁମରାଙ୍କ ସନ୍ଧାନ ମିଳିଛି। ମାତ୍ର ୭/୮ ପାଦ ପକାଇ ସେ ଶକ୍ତିଶାଳୀ ରନ୍ ଅପ୍‌ରେ ବୋଲିଂ କରୁଛନ୍ତି। ସେ ଘଣ୍ଟାପ୍ରତି ୧୪୫ କିଲୋମିଟର୍‌ ବେଗରେ ବୋଲିଂ କରୁଛନ୍ତି ବୋଲି ଅଷ୍ଟ୍ରେଲିଆ ପାଇଁ ୭୬ ଟେଷ୍ଟ୍, ୨୨୧ ଦିନିକିଆ, ୨୫ ଟି-୨୦ ଖେଳିଥିବା ଲି ପ୍ରକାଶ କରିଥିଲେ। ୧୯୯୯ ମସିହାରେ ଭାରତ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରି ୫ ୱିକେଟ୍ ନେଇଥିବା ବ୍ରେଟ ଲି’ଙ୍କ ପ୍ରଥମ ଶିକାର ହୋଇଥିଲେ ସଦାଗୋପନ ରମେଶ। ୨୦୦୩ ବିଶ୍ବକପ୍‌ ବିଜୟୀ ଅଷ୍ଟ୍ରେଲିଆ ଦଳରେ ବି ସେ ସାମିଲ ଥିଲେ। ଫାଇନାଲରେ ଅଷ୍ଟ୍ରେଲିଆ ୧୨୫ ରନ୍‌ରେ ଭାରତକୁ ହରାଇ ବିଜେତା‌ ହୋଇଥିଲା।

ସମ୍ବନ୍ଧିତ ଖବର