୩ ମହାନ ବ୍ୟାଟ୍ସମ୍ୟାନ୍‌ ବାଛିଲେ ବ୍ରେଟ୍ ଲି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବ୍ରେଟ୍ ଲି ଏବଂ ପାକିସ୍ତାନର ସୋଏବ୍ ଅଖତର୍‌ ଏକବିଂଶ ଶତାବ୍ଦୀର ଦୁଇ ଆଦ୍ୟ ଦ୍ରୁତତମ ବୋଲର ଭାବେ ପରିଚିତ ଥିଲେ। ଦୁଇ ଥର ବିଶ୍ବକପ୍‌ ବିଜେତା ବ୍ରେଟ୍ ଲି ୧୯୯୯ ମସିହାରେ ଭାରତ ବିପକ୍ଷରେ ପଦାର୍ପଣ କରି ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିବା ପରେ ନିଜର ସରଳ ବୋଲଂ ଶୈଳୀ ଜରିଆରେ ବହୁ ବଡ଼ ବଡ଼ ବ୍ୟାଟସମ୍ୟାନ୍‌ଙ୍କୁ ଜଟିଳ ସମସ୍ୟା ଭିତରେ ପକାଇଥିଲେ। ନିଜ ସମୟରେ ବର୍ଷ ବର୍ଷ ଧରି ସଚିନ‌ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ବ୍ରାଏନ ଲାରା, ଜ୍ୟାକ୍ କାଲିସ୍, କୁମାର ସାଙ୍ଗାକରା, ଇଞ୍ଜାମାମ ଉଲ୍ ହକ୍, କେଭିନ୍ ପିଟରସନ୍‌ ଏବଂ ବିଶ୍ବର ଅନେକ ବ୍ୟାଟସମ୍ୟାନ୍‌ଙ୍କ ସହ ବ୍ୟକ୍ତିଗତ ଲଢ଼େଇରେ ସମ୍ମୁଖୀନ ହୋଇଥିଲେ। ତେବେ ନିଜ ସମୟରେ ସେ ଯେଉଁମାନଙ୍କ ବିପକ୍ଷରେ ଖେଳିଥିଲେ ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ମହାନ ବ୍ୟାଟ୍‌ସମ୍ୟାନଙ୍କୁ ଶ୍ରେଷ୍ଠ ଦର୍ଶାଇଛନ୍ତି। ୨୦୦୩ ଏବଂ ୨୦୦୭ରେ ବିଶ୍ବକପ୍‌ ଜିତିଥିବା ବ୍ରେଟ ଲି’ଙ୍କ ମତରେ ଭାରତର ସଚିନ ତେନ୍ଦୁଲକର, ୱେଷ୍ଟଇଣ୍ଡିଜ୍‌ର ବ୍ରାଏନ୍ ଲାରା ଏବଂ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍‌ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌।

ସଚିନ‌ ତେନ୍ଦୁଲକର: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଶତକ ହାସଲ କରିଥିବା ସଚିନ ୨୦୦ ଟେଷ୍ଟ୍ ମ୍ୟାଚ୍‌ ଖେଳିଛନ୍ତି। ‘ମୁଁ ସଚିନ ତେନ୍ଦୁଲକରଙ୍କୁ କାହିଁକି ବାଛିଲି?, ସେ ଜଣେ ମହାନ ଖେଳାଳି ଯାହାଙ୍କ ବିପକ୍ଷରେ ମୁଁ ଖେଳିଛି। ସଟ୍‌ ଖେଳିବାକୁ ତାଙ୍କ ନିକଟରେ ଅତିରିକ୍ତ ସମୟ ଥାଏ। ସେ ବିଶ୍ବର ମହାନ ଖେଳାଳି ବୋଲି ପମି ବାଙ୍ଗୱାଙ୍କ ସହ ଆଲୋଚନା ବେଳେ କହିଥିଲେ ବ୍ରେଟ୍ ଲି।

ବ୍ରାଏନ୍ ଲାରା: ସଚିନଙ୍କ ପରେ ବ୍ରାଏନ୍ ଲାରାଙ୍କ ନାମ ନେବି। ଲାରା ଏଭଳି ଜଣେ ବ୍ୟାଟସମ୍ୟାନ୍‌ ଯିଏ ପ୍ରତିଟି ଦିଶାକୁ ବଲ୍‌କୁ ପଠାଇପାରନ୍ତି। ସେ ‌ଜ୍ବଳନ୍ତ ବ୍ୟାଟସମ୍ୟାନ୍‌। ଆପଣ ତାଙ୍କୁ ଗୋଟିଏ ଯାଗାରେ ୬ ବଲ୍‌ ପକାନ୍ତୁ‌ ସେ ନିଶ୍ଚିତ ଏହାକୁ ଅଲଗା ଅଲଗା ୬ଟି ସ୍ଥାନକୁ ଖେଳିବେ ବୋଲି ବ୍ରେଟ୍ ଲି କହିଥିଲେ। ଲାରା ୧୩୨ ଟେଷ୍ଟ୍ ଖେଳି ୧୧,୯୫୩ ରନ୍ ଏବଂ ୨୯୯ ଦିନିକିଆରୁ ୧୦,୪୦୫ ରନ୍ କରିଥିଲେ।

ଜ୍ୟାକ୍ କାଲିସ୍‌: ମୁଁ ସବୁବେଳେ ସଚିନ ତେନ୍ଦୁଲକରଙ୍କୁ ମହାନ ବ୍ୟାଟସମ୍ୟାନ୍ କହି ଆସିଛି। କିନ୍ତୁ ମୁଁ ଦେଖିଥିବା ଏବଂ ଖେଳିଥିବା କ୍ରିକେଟର୍‌ଙ୍କ ମଧ୍ୟରୁ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ ନିଶ୍ଚିତ ମହାନ୍‌। ସେ ବୋଲିଂ ଓପନ୍ କରିପାରିବେ, ବ୍ୟାଟସମ୍ୟାନ୍‌ ଭାବେ ଖେଳିପାର‌ନ୍ତି ଏବଂ ସ୍ଲିପ୍‌ରେ ଭଲ କ୍ୟାଚ୍‌ ନେଇପାରନ୍ତି। ମୁଁ ଗ୍ୟାରି ସୋବର୍ସଙ୍କ ଖେଳ ଦେଖିନାହିଁ, କିନ୍ତୁ କାଲିସ୍ ଜଣେ ମହାନ ସମ୍ପୂର୍ଣ୍ଣ କ୍ରିକେଟର୍‌ ବୋଲି କହିଥିଲେ ବ୍ରେଟ୍ ଲି। ସୂଚନାଯୋଗ୍ୟ, କାଲିସ୍ ୧୬୬ ଟେଷ୍ଟ୍ ଖେଳି ୧୩,୨୮୯ ରନ୍ ଓ ୨୯୨ ୱିକେଟ୍ ଏବଂ ୩୨୮ ଦିନିକିଆ ଖେଳି ୧୧,୫୭୦୯ ରନ୍ ଓ ୨୭୩ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର