ଜୋନ୍‌ସଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ ବ୍ରେଟ୍‌ ଲି

ଦିନିକିଆରେ ଡିନ୍‌ ଜୋନ୍ସ ନିଜ ସମୟରେ ଆଗରେ ଥିଲେ: ଶାସ୍ତ୍ରୀ

ମୁମ୍ବାଇ : ଅଚାନକ ହୃଦ୍‌ଘାତ ଯୋଗୁଁ ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ତଥା ଏବର ପ୍ରସିଦ୍ଧ ଭାଷ୍ୟକାର ଡିନ୍‌ ଜୋନ୍‌ସ ଗୁରୁବାର ପ୍ରାଣତ୍ୟାଗ କରିଛନ୍ତି। ମୁମ୍ବାଇର ଏକ ହୋଟେଲରେ ୫୯ ବର୍ଷ ବୟସ୍କ ଜୋନ୍‌ସଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁ ପୂର୍ବରୁ ସେହି ହୋଟେଲର ଲବିରେ ‌ଯେତେବେଳେ ଜୋନ୍‌ସ ଅଚେତ ହୋଇପଡ଼ିଥିଲେ ତାଙ୍କୁ ବଞ୍ଚାଇବା ପାଇଁ ବହୁ ପ୍ରୟାସ କରିଥିଲେ ତାଙ୍କ ଦେଶର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍‌ ଲି। ଏକଥା ଅଷ୍ଟ୍ରେଲିଆରେ ଏକ ଖବରକାଗଜ ସୂତ୍ରରୁ ଜଣାପଡ଼ିଛି। ”ଡେଲି ମେଲ୍‌ ଅଷ୍ଟ୍ରେଲିଆ ପ୍ରକାଶ କରିଛି, ବ୍ରେଟ୍‌ ଲି’ଙ୍କ ସହ ଜୋନ୍‌ସ ହୋଟେଲର ଲବିକୁ ପ୍ରବେଶ କରୁଥିଲା ବେଳେ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ‌ସେତେବେଳେ ଲି’ ତାଙ୍କ ଚେତା ଫେରାଇ ଆଣିବା ପାଇଁ ସିପିଆର୍‌ ସହ ବହୁ ପ୍ରୟାସ କରିଥିଲେ। ହେଲେ କିଛି ଲାଭ ମିଳିନଥିଲା।” ଜୋନ୍‌ସଙ୍କ ଘନିଷ୍ଠ ବନ୍ଧୁଙ୍କ କହିବା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନ ଭୋଜନ ସମୟରେ ହୃଦ୍‌ଘାତର ଶିକାର ହେବା ପୂର୍ବରୁ ସକାଳେ ସେ ଦୌଡ଼ିବା ପାଇଁ ବାହାରିଥିଲେ। ହେଲେ ଅପରାହ୍ନରେ ତାଙ୍କ ମୃତ୍ୟୁ ଖବର ‌ଷ୍ଟାର୍‌ ଇଣ୍ଡିଆ ସ୍ପଷ୍ଟ କରିଥିଲା। ଏଭଳି ଦୁଃଖଦ ଘଟଣା ସେୟାର କରିବା ଆମ ପାଇଁ ଅତି କଷ୍ଟକର ଥିଲା ବୋଲି ‌ଷ୍ଟାର୍‌ ଇଣ୍ଡିଆ ଏକ ବିବୃତିରେ କହିଛି। ଏଭଳି ଦୁଃଖଦ ଘଟଣାରେ ଆମେ ଖୁବ୍‌ ମର୍ମାହତ। ତାଙ୍କ ପରିବାରକୁ ସମବେଦନା ଜଣାଉଛୁ ଏବଂ ପରିବାରକୁ ପୂରା ସମର୍ଥନ ଯୋଗାଇଦେବୁ। ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆମେ ମଧ୍ୟ ଅ‌ଷ୍ଟ୍ରେଲିଆ ଦୂତାବାସ ସହ ସଂପର୍କରେ ରହିଛୁ ବୋଲି ଷ୍ଟାର୍‌ ଇଣ୍ଡିଆ କହିଛି।

ଦିନିକିଆରେ ଡିନ୍‌ ଜୋନ୍ସ ନିଜ ସମୟରେ ଆଗରେ ଥିଲେ: ଶାସ୍ତ୍ରୀ
ମୁମ୍ବାଇ : ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ତଥା ଭାଷ୍ୟକାର ଡିନ୍‌ ଜୋନ୍ସଙ୍କର ଗୁରୁବାର ହୃଦ୍‌ଘାତରେ ପରଲୋକ ହୋଇଛି। ତାଙ୍କର ମୃତ୍ୟୁ କଛି ସମୟ ପରେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋର ସହକର୍ମୀ ଏବଂ ପ୍ରିୟ ବନ୍ଧୁଙ୍କୁ ହରାଇବା ପ୍ରକୃତରେ ବଡ଼ ଦୁଃଖଦାୟକ। ଯୁବ ବୟ‌ସରେ ସେ ଚାଲିଗଲେ। ତାଙ୍କ ଦେହାନ୍ତ ମୋ ସହରରେ ହୋଇଥିଲା ଏବଂ ତାଙ୍କୁ ଭେଟି ପାରିନଥିବାରୁ ଏହା ମୋତେ ଆହୁରି ଦୁଃଖିତ କରିଛି। ଏଥିପାଇଁ ତାଙ୍କ ପତ୍ନୀ ଓ ପିଲାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ବୋଲି ଶାସ୍ତ୍ରୀ ଏକ ସାକ୍ଷତକାରରେ କହିଛନ୍ତି। ସେ ଏହି ସାକ୍ଷାତକାରରେ ଜୋନ୍ସଙ୍କ ସହ କଟାଇଥିବା ଅଭୂଲା ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ। ତାଙ୍କୁ ୫୯ ବର୍ଷ ଏବଂ ମୋତେ ୫୮। ପାଖାପାଖି ବୟସର ହୋଇଥିବାରୁ ଆମ ଦୁହିଁଙ୍କ ସଂପର୍କ ଅତି ନିବିଡ଼ ଥିଲା। ମୁଁ ତାଙ୍କୁ ୧୯୮୬ ମସିହାରୁ ତଥା ୩୫ ବର୍ଷ ହେବ ଜାଣିଛି। ୨୦୦୩-୦୪ ମସିହାରେ ଅଷ୍ଟ୍ରେଲିଆ ଗସ୍ତ ସମୟର କଥା। ଖ୍ରୀଷ୍ଟମାସ ଦିନ ତାଙ୍କ ଘରେ ମଧ୍ୟାହ୍ନ ଭୋଜନର ଆୟୋଜନ କରି ମୋତେ ଡାକିଥିଲେ। ଏହାକୁ ମୁଁ କଦାପି ଭୁଲି ପାରିବି ନାହିଁ। ୮୦ ଦଶ‌କରେ ଏକଦିବସୀୟ କ୍ରିକେଟ୍‌ରେ ଶ୍ରେଷ୍ଠ ବ୍ୟଟ୍ସମ୍ୟାନ୍‌ଙ୍କ ତାଲିକାରେ ଭିଭି ରିଚାର୍ଡସ ଓ ଜାଭେଦ ମିଆଁଦାଦଙ୍କ ସହ ଜୋନ୍ସ ମଧ୍ୟ ରହିଥି‌ଲେ। ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ, ୱିକେଟ୍‌ ମଧ୍ୟରେ ଦୌଡ଼ ତାଙ୍କର ଅତି ଚମତ୍କାର ଥିଲା। ଏଥିପାଇଁ ସେ ତାଙ୍କ ସମୟରେ ୫୦ ଓଭରିଆ ମ୍ୟାଚ୍‌ରେ ଅନ୍ୟତମ ଅଗ୍ରଣୀ ବ୍ୟାଟ୍‌ସମ୍ୟାନ୍‌ ଥିଲେ ବୋଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶାସ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର