ଡରୱିନ୍‌: ‌ଦେୱାଲ୍ଡ ବ୍ରେଭିସ୍‌ ରେକର୍ଡଭରା ଶତକ ବଳରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଘରୋଇ ଅଷ୍ଟ୍ରେଲିଆକୁ ହରାଇ‌ ଦେଇଛି। ୫୩ ରନ୍‌ର ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିଛି। ବ୍ରେଭିସ୍‌ (୫୬ ବଲ୍‌ରୁ ୧୨୫*, ୧୨ ଚୌକା, ୮ ଛକା)ଙ୍କ କ୍ୟାରିୟର୍‌ର ଶ୍ରେଷ୍ଠ ସ୍କୋର୍‌ ଏବଂ ପ୍ରଥମ ଟ୍ବେଣ୍ଟି-୨୦ ଶତକ ବଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୨୧୮/୭ କରିଥିଲା। ଦକ୍ଷିଣ ଆଫ୍ରିକା ୫୭/୩ରେ ସଂଘର୍ଷ କରୁଥିଲା ବେଳେ ବ୍ରେଭିସ୍‌ ଓ ତ୍ରି‌ଷ୍ଟନ ଷ୍ଟବ୍ସ (୩୧) ଚତୁର୍ଥ ୱିକେଟ୍‌ରେ ୧୨୬ ରନ୍‌ ଯୋଡ଼ି ଦଳକୁ ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୭.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୬୫ ରନ୍‌ କରିପାରିଥିଲା। ଟିମ୍‌ ଡେଭିଡ୍‌ ୨୪ ବଲ୍‌ରୁ ୫୦ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର କ୍ବେନା ମାଫାକା ଓ କରବିନ୍‌ ବୋଚ୍‌ ୩ ଲେଖାଏଁ ୱିକେଟ୍‌ ନେଇଥିଲେ।

Advertisment

ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ୨୨ ବର୍ଷୀୟ ବ୍ରେଭିସ୍‌ ନିଜର ଶତକୀୟ ପାଳି ମଧ୍ୟରେ ଅନେକ ନୂଆ ରେକର୍ଡ କରିଥିଲେ। ୪୧ ବଲ୍‌‌ରେ ଶତକ ଅର୍ଜନ କରିଥିବା ବ୍ରେଭିସ୍‌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ସ୍କୋରର୍‌ ହେବାରେ ଫାଫ୍‌ ଡୁ’ପ୍ଲେସିସ୍‌ (୧୧୯)ଙ୍କୁ ଟପିଥିଲେ। ଏଥିସହ ଅଷ୍ଟ୍ରେଲିଆ ମାଟିରେ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ମଧ୍ୟ ସର୍ବୋଚ୍ଚ ସ୍କୋରର୍‌ ହେବାର ଗୌରବ ପାଇଥିଲେ ବ୍ରେଭିସ୍‌। ତାଙ୍କ ପୂର୍ବରୁ ଏହି ରେକର୍ଡ ସେନ୍‌ ୱାଟସନ୍‌ (୧୨୪)ଙ୍କ ନାଁରେ ଥିଲା। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଶତକ ଅର୍ଜନ କରିବାରେ ସେ ଦକ୍ଷିଣ ଆଫ୍ରିକାର ସର୍ବକନିଷ୍ଠ ବ୍ୟାଟର୍‌ ହୋଇଛନ୍ତି। ସେ ୨୨ ବର୍ଷ ୧୦୫ ଦିନ ବୟସରେ ଏହି ସଫଳତା ପାଇଥିଲେ। ତାଙ୍କ ପୂର୍ବରୁ ରିଚାର୍ଡ ଲେଭି ୨୪ ବର୍ଷ ୩୬ ଦିନ ବୟସରେ ଶତକ ଅର୍ଜନ କରିଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବୋଚ୍ଚ ଟ୍ବେଣ୍ଟି-୨୦ ରନ୍‌ କରିବାରେ ଭାରତୀୟ ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ୍‌ (୧୨୩*, ଗୁଆହାଟୀ, ୨୦୨୩)ଙ୍କୁ ପଛରେ ପକାଇଛନ୍ତି।