କିଙ୍ଗଷ୍ଟନ୍ : ଦେଢ଼ ଦଶନ୍ଧୀରୁ ଅଧିକ ସମୟ ଅର୍ଥାତ୍ ପ୍ରାୟ ୧୬ ବର୍ଷ ତଳେ ଆଜିର ତାରିଖ (ଏପ୍ରିଲ ୧୨)ରେ ୱେଷ୍ଟଇଣ୍ଡିଜର କିଂବଦନ୍ତି କ୍ରିକେଟର ବ୍ରାଏନ ଲାରା କ୍ରିକେଟ୍ ଇତିହାସର ପ୍ରଥମ ଓ ଏକମାତ୍ର ଖେଳାଳି ଭାବେ ଗୋଟିଏ ଟେଷ୍ଟ ପାଳିରେ ୪୦୦* ରନ୍ କରିଥିଲେ। ୨୦୦୪ ମସିହାର ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଇଣ୍ଡିଜ୍ ମୂଳପୋଛ ହେବା ଦ୍ବାର ଦେଶରେ ଥିଲା ବେଳେ ଅଧିନାୟକ ଲାରା ଆଣ୍ଟିଗୁଆଠାରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ୫୮୨ ବଲ୍ରୁ ଏହି ଅବିଶ୍ବସନୀୟ ଓ ବିରଳ ପାଳି ଖେଳିଥିଲେ। ତାଙ୍କ ପାଳି ବଳରେ ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚ୍କୁ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଫଳରେ ମୂଳପୋଛ ହେବାରୁ ବର୍ତ୍ତି ଯାଇଥିଲା। ଏହା ପୂର୍ବରୁ ଲାରାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୩୭୫)କୁ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍ ୩୮୦ ରନ୍ କରି ଭାଙ୍ଗି ଦେଇଥିଲେ। ପର୍ଥଠାରେ ଜିମ୍ବାୱେ ବିପକ୍ଷରେ ହେଡେନ୍ ଏହି ପାଳି ଖେଳିଥିଲେ। ଆଣ୍ଟିଗୁଆରେ କିନ୍ତୁ ହେଡେନଙ୍କୁ ଟପି ଲାରା ପୁଣି ଥରେ ଟେଷ୍ଟ୍ କ୍ରିକେଟର ଗୋଟିଏ ପାଳିରେ ସର୍ବାଧିକ ବ୍ୟକ୍ତିଗତ ରନ୍ ହାସଲକାରୀର ଉପାଧୀକୁ ଫେରି ପାଇଥିଲେ। ଏଠାକାର ସେହି ସ୍ମରଣୀୟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ପୂର୍ବ ତିନିଟି ଟେଷ୍ଟରୁ ଲାରା ମାତ୍ର ୧୦୦ ରନ୍ କରିଥିଲେ। ସେଥିମଧ୍ୟରେ ତାଙ୍କ ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା ମାତ୍ର ୩୬। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଲାରା ୮୬ ରନ୍ କରିଥିଲେ। ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ତାଙ୍କ ସ୍କୋର ଥିଲା ୩୧୩। ପାଳି ଆରମ୍ଭର ପ୍ରଥମ କିଛି ଓଭର ଭିତରେ ସେ ଏକ ଜୀବନ ଦାନ ପାଇଥିଲେ। ଷ୍ଟିଭ୍ ହାର୍ମିସନଙ୍କ ଏକ ଜୋର୍ଦାର ଆବେଦନକୁ ଅମ୍ପାୟାର ନାକଚ କରି ଦେଇଥିଲେ। ସେହିଭଳି ୧୨୭ ରନ୍ରେ ଥିଲା ବେଳେ ଏକ ରନ୍ ଆଉଟ୍ ବିପଦରୁ ବର୍ତ୍ତି ଯାଇଥିଲେ। ୩୭୩ ରନ୍ରେ ଥିଲା ବେଳେ ଗ୍ୟାରେଥ ବାର୍ଟି ତାଙ୍କର ଏକ କ୍ୟାଚ୍ ହାତଛଡ଼ା କରି ଦେଇଥିଲେ। ନିଜ ମାରାଥନ ପାଳିରେ ରାମନରେଶ ସରୱାନଙ୍କ ସହ ତୃତୀୟ ୱିକେଟ୍ ଭାଗୀଦାରିରେ ଲାରା ୨୩୨ ରନ୍ ଯୋଡ଼ିଥିଲେ। ସେହିଭଳି ଶତକ ହାସଲକାରୀ ରିଡଲି ଜାକବ୍ସଙ୍କ ସହ ୨୮୨ ରନ୍ର ଆଉ ଏକ ମହତ୍ବପୂର୍ଣ୍ଣ ଭାଗୀଦାରି କରିଥିଲେ। ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ପରେ ପରେ ହିଁ ଲାରା ୪୦୦ ରନ୍ ଛୁଇଁଥିଲେ। ୧୩ ଘଣ୍ଟାରୁ ମାତ୍ର କିଛି ମିନିଟ୍ କମ୍ ସମୟ ବ୍ୟାଟିଂ କରିଥିବା ଲାରା ତାଙ୍କ ପାଳିରେ ୪୩ ଚୌକା ଓ ୪ ଛକା ମାରିଥିଲେ। ୱେଷ୍ଟଇଣ୍ଡିଜ୍ ୭୫୧/୫ରେ ପାଳି ଘୋଷଣା କରିଥିଲା। ଇଂଲଣ୍ଡ ଉଭୟ ପାଳି ଖେଳି ମ୍ୟାଚ୍କୁ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଏହା ପରଠାରୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଏକଦା ଲାରାଙ୍କ କୀର୍ତ୍ତିମାନ ଭାଙ୍ଗିବାର ନିକଟତର ହୋଇଥିଲେ। ୨୦୦୬ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକୀର୍ତ୍ତିମାନ ଭରା ୬୨୪ ରନ୍ର ଭାଗୀଦାରି ଭିତରେ ସେ ବ୍ୟକ୍ତିଗତ ଭାବେ ୩୭୪ ରନ୍ କରିଥିଲେ।
ସେହି ବର୍ଷ: ଆଜିର ତାରିଖ : ଲାରା କରିଥିଲେ ୪୦୦* ରନ୍ କୀର୍ତ୍ତିମାନ
/sambad/media/post_attachments/wp-content/uploads/2020/04/lara.jpg)