ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରଜଭୂଷଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ହଜାର ହଜାର କୃଷକ ୭ ତାରିଖରେ ଜନ୍ତରମନ୍ତରରେ ପହଞ୍ଚିଛନ୍ତି।
ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍କେଏମ୍) ବ୍ୟାନରରେ କୃଷକମାନେ ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜାତୀୟ ସ୍ତରରେ ଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏହି କ୍ରମରେ ଡବ୍ଲୁଏଫଆଇର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି।
ବ୍ରଜଭୂଷଣ ଫେସବୁକ ଲାଇଭ କରି କହିଛନ୍ତି କି, ‘ମୋ ବିରୋଧରେ ଏ କି ଷଡ଼ଯନ୍ତ୍ର? ଯେଉଁମାନେ ମୋ ଉପରେ ଅଭିଯୋଗ ଲଗାଉଛନ୍ତି ସେମାନେ ଘଟଣାର ସମୟ ଓ ତାରିଖ କହି ପାରୁ ନାହାନ୍ତି। ମୋ ଉପରେ ଲଗାଯାଉଥିବା ଅଭିଯୋଗର କୌଣସି ବି ପ୍ରମାଣ ନାହିଁ।
ମୁଁ ଆଜି ଯାଏଁ କାହାକୁ ବି ଫୋନ କରିନାହିଁ। ଆପଣ ଚାହିଁଲେ କଲ ଡିଟେଲ ବି ବାହାର କରି ପାରିବେ। ମୁଁ ଏବେ ଜୁନିୟର କୁସ୍ତିଯୋଦ୍ଧାଙ୍କ ଲଢ଼େଇ ଲଢ଼ୁଛି। ଅଲିମ୍ପିକ୍ସ ଆଦି ଖେଳର ସ୍ବପ୍ନ ସଜେଇ ରଖିଛି। ଗତ ୧୨ବର୍ଷ ମଧ୍ୟରେ କୌଣସି ପିଲାଙ୍କ ଉପରେ ମୁଁ ଖରାପ ଦୃଷ୍ଟି ପକାଇ ନାହିଁ। ପିଲାମାନଙ୍କର ଯାହା ବି ଅସୁବିଧା ହୁଏ ସେମାନେ ମୋ ସହିତ ଆଲୋଚନା କରିଥାଆନ୍ତି। ଆଜି ସେମାନେ ହଠାତ କାହିଁକି ବଦଳିଗଲେ ମୁଁ ଜାଣି ପାରୁନାହିଁ।
ମୁଁ ଦାବିର ସହ କହୁଛି, ମୋ ବିରୋଧରେ ଆସିଥିବା ଗୋଟିଏ ବି ଅଭିଯୋଗ ଯଦି ପ୍ରମାଣିତ ହେଲା ମୁଁ ଫାଶୀରେ ଝୁଲି ପଡିବି। ’