କୁସ୍ତିଯୋଦ୍ଧାଙ୍କ ବଡ଼ ଆରୋପ : ଚାପରେ ଆସି ‘ନାବାଳିକା’ ଯୌନଉତ୍ପୀଡ଼ନ ନେଇ ବଦଳାଇଛନ୍ତି ବୟାନ, ବ୍ରିଜଭୂଷଣଙ୍କୁ ଗିରଫ କରାଯାଉ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ ବର୍ତ୍ତମାନ କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି। ଦିଲ୍ଲୀ ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ସମୟରେ ଖବର ଆସିଛି ​​ଯେ ଏହି ମାମଲାର  ଏକମାତ୍ର “ନାବାଳିକା” ଅଭିଯୋଗକାରିଣୀ କୁସ୍ତିଯୋଦ୍ଧା ତାଙ୍କ ଅଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି। ଏହି ସମଗ୍ର ପ୍ରସଙ୍ଗରେ ଅଲିମ୍ପିଆନ୍ ସାକ୍ଷୀ ମଲିକ୍ ଏବଂ ବଜରଙ୍ଗ ପୁନିଆ ଅଭିଯୋଗ କରିଛନ୍ତି ଯେ ନାବାଳିକାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିବାରୁ ସେ ବାଧ୍ୟ ହୋଇ ଅଭିଯୋଗ ଫେରାଇ ‌ନେଇଛନ୍ତି।

ଅଲିମ୍ପିଆନ୍ ସାକ୍ଷୀ ମଲିକ୍ ଏକ ଜାତୀୟ ଗଣମାଧ୍ୟମକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବି‌ରୋଧରେ ‌ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିବା ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଥିବା ଏକମାତ୍ର  ନାବାଳିକା ଚାପରେ ଆସି ବୟାନ ବଦଳାଇଛନ୍ତି। ପ୍ରବଳ ଚାପରେ ଏହି ବୟାନ ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି। ଆପୋଷ ବୁଝାମଣା ପାଇଁ ଆମକୁ ଚାପ ଦିଆଯାଉଛି ବୋଲି ସାକ୍ଷୀ ଅଭିଯୋଗ କରିଛନ୍ତି।

ଗିରଫ କରି ତଦନ୍ତ ହେଉ…

ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଶର ବରିଷ୍ଠ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ଦାବି କରିଛନ୍ତି ଯେ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ତାଙ୍କ ଉପରେ ଚାପ ଥିବାରୁ ନାବାଳିକାର ପିତା ମାନସିକ ଦୁଶ୍ଚିନ୍ତାରେ ଆସି ବୟାନ ବଦଳାଇଛନ୍ତି  । ପ୍ରଥମ ଦିନରୁ ଆମେ ଦାବି କରିଆସୁଛୁ ଯେ ଅଭିଯୁକ୍ତକୁ ଗିରଫ କରାଯାଉ, ତା’ପରେ ପଚରାଉଚରା ହେଉ। କାରଣ ଅଭିଯୁକ୍ତ ବହୁତ ପ୍ରଭାବଶାଳୀ। ସେ ତଦନ୍ତ ତଥା ସାକ୍ଷୀଙ୍କୁ ପ୍ରଭାବିତ କରୁଛନ୍ତି। ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ ନକରି ନ୍ୟାୟଯୁକ୍ତ ତଦନ୍ତ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର