ନିଜ ଦେଶକୁ ହରାଇଲେ ବ୍ରିଲ୍‌: ସ୍ବିଜରଲାଣ୍ଡ ୧-୦ କାମେରୁନ୍‌

ଦୋହା: କାମେରୁନ୍‌ରେ ଜନ୍ମିତ ବ୍ରିଲ୍‌ ଏମ୍‌ବୋଲୋଙ୍କ ଏକମାତ୍ର ଗୋଲ୍‌ ବଳରେ ସ୍ବିଜରଲାଣ୍ଡ ଚଳିତ କାତାର ବିଶ୍ବକପ୍‌ରେ ପୂରା ୩ ପଏଣ୍ଟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଅଲ୍‌ ଜାନବ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗ୍ରୁପ୍‌ ଜି’ର ଏହି ମ୍ୟାଚ୍‌ରେ ସ୍ବିଜରଲାଣ୍ଡ ୧-୦ ଗୋଲ୍‌ରେ ବିଜୟୀ ହୋଇଛି। ଫଳରେ ଏହି ମ୍ୟାଚ୍‌ ପରେ କାମେରୁନ୍‌ ବିଶ୍ବକପ୍‌ରେ ପରାଜୟ ଧାରା ଜାରି ରଖିଛି। ଏଥିପୂର୍ବରୁ ୨୦୦୨ ପରଠୁ ବିଶ୍ବକପ୍‌ରେ କାମେରୁନ୍‌ ଖେଳିଥିବା ୭ ମ୍ୟାଚ୍‌ରୁ କୌଣସି ଗୋଟିଏ ବି ଜିତିପାରିନଥିଲା।

ଗୁରୁବାର ମ୍ୟାଚ୍‌ରେ କାମେରୁନ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ହେଲେ ବଲ୍‌କୁ ପୋଷ୍ଟ ଭିତରେ ପହଞ୍ଚାଇବାରେ ସଫଳତା ମିଳିନଥିଲା। ପ୍ରଥମାର୍ଦ୍ଧରେ କାମେରୁନ୍‌ ଦବ୍‌ଦବା ରଖିଥିଲେ ହେଁ ଦ୍ବିତୀୟାର୍ଦ୍ଧ ଆରମ୍ଭ ହେବାର ତିନି ମିନିଟ୍‌ ପରେ ବ୍ରିଲ୍‌ ସ୍ବିଜରଲାଣ୍ଡ ପାଇଁ ଖାତା ଖୋଲିଥିଲେ। ବାମପଟୁ ମିଳିଥିବା ଏକ ଲମ୍ବା ପାସ୍‌କୁ ସେ ଅତି ସହଜରେ ପୋଷ୍ଟ ଭିତର ରାସ୍ତା ଦେଖାଇଥିଲେ। ଯଦିଓ ଏହାକୁ ରକ୍ଷା କରିବାକୁ କାମେରୁନ୍‌ ଗୋଲ‌୍ରକ୍ଷକ ଆନ୍ଦ୍ରେ ଓନାନାଙ୍କ ପାଖରେ ସମୟ ଥିଲା, କିନ୍ତୁ ହଡ଼ବଡେଇ ଯିବାରୁ ସେ ଆଗୁଆ ‌ଡାଇଭ୍‌ ମାରିଦେଇଥିଲେ। ବଲ୍‌ ତାଙ୍କ ହାତ ଉପର ଦେଇ ପୋଷ୍ଟ ଭିତରକୁ ଚାଲିଯାଇଥିଲା। ଗୋଲ୍‌ ସ୍କୋର କରିବା ସତ୍ତ୍ବେ ବ୍ରିଲ୍‌ ବିଜୟ ଉତ୍ସବ ପାଳନ କରିନଥିଲେ। ନିଜ ଦେଶ ବିପକ୍ଷରେ ଗୋଲ୍‌ ଦେଇଥିବାରୁ ସେ ଦୁଇ ହାତ ଟେକି କ୍ଷମାମାଗିବା ପୋଜ୍‌ ଦେଇଥିଲେ। ଶେଷ ସମୟ ପର୍ଯ୍ୟନ୍ତ ଆଉ ଗୋଲ୍‌ ନହେବାରୁ ସ୍ବିଜରଲାଣ୍ଡକୁ ୩ ପଏଣ୍ଟ ମିଳିଯାଇଥିଲା।

ସମ୍ବନ୍ଧିତ ଖବର