ବ୍ରିସ୍‌ବେନ୍: ଘଡ଼ଘଡ଼ି ସହ ଲଗାଣ ବର୍ଷା ପାଇଁ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ଟ୍ବେଣ୍ଟି-୨୦  ମାତ୍ର ୪.୫ ଓଭର ପରେ ବାତିଲ ହୋଇଯାଇଛି। ଫଳରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ସେହିଭଳି ଚଳିତ ଅଷ୍ଟ୍ରେଲିଆ ଗସ୍ତକୁ ସମ୍ମାନର ‌ସହ ଶେଷ କରିଛି। ଦିନିକିଆ ଶୃଙ୍ଖଳାରେ୧-୨ରେ ହାରିବାର ପ୍ରତିଶୋଧ ମଧ୍ୟ ନେଇଯାଇଚି। ବର୍ଷା ପ୍ରଭାବିତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ମଧ୍ୟ ଅନୁରୂପ ଭାବେ ବର୍ଷା ଧୋଇ ନେଇଥିଲା। ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଘରୋଇ ଅଷ୍ଟ୍ରେଲିଆ ଜିତିବା ପରେ ଭାରତ ୦-୧ରେ ପଛୁଆ ରହିଥିଲା। ଏହା ସତ୍ତ୍ବେ ପରବର୍ତ୍ତୀ ଦୁଇ ଟ୍ବେଣ୍ଟି-୨୦କୁ ଜିତି ଭାରତ ୨-୧ର ଅପରାଜେୟ ଅଗ୍ରଣୀ ଲାଭ କରିଥିଲା। ଶନିବାରର ଶେଷ ଲଢ଼େଇ ବାତିଲ ହେବା ପରେ ଅଷ୍ଟ୍ରେଲିଆ ହାତରୁ ଶୃଙ୍ଖଳା ବରାବର କରିବାର ସୁଯୋଗ ଖସି ଯାଇଥିଲା। ଭ୍ରମଣକାରୀ ଭାରତ ମଧ୍ୟ ୩-୧ରେ ଶୃଙ୍ଖଳା ଜିତିବାର ସୁଯୋଗ ହରାଇଥିଲା। ତେବେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଆଉ ଏକ ଶୃଙ୍ଖଳା ବିଜୟ ହାସଲର ଗୌରବ ପାଇଥିଲା। ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ବରେ ଭାରତର ଶୃଙ୍ଖଳା ବିଜୟ ଧାରା ବି ଅତୁଟ ରହିଥିଲା।

Advertisment

ଶନିବାରର ୪.୫ ଓଭର ଖେଳ ଭିତରେ ୨୩* ରନ୍ କରି ଭାରତୀୟ ଓପନର୍ ଅଭିଷେକ ଶର୍ମା ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୧,୦୦୦ ରନ୍ ପୂରଣ କରିଥିଲେ। ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ସେ ମଧ୍ୟ ମୋଟ ଉପରେ ୧୬୩ ରନ୍ କରି  ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଖେଳ ବନ୍ଦ ବେଳକୁ ଅନ୍ୟତମ ଭାରତୀୟ ଓପନର୍ ତଥା ଉପଅଧିନାୟକ ଶୁବମନ୍ ଗିଲ୍ ମାତ୍ର ୧୬ ବଲ୍‌ରୁ ୨୯ ରନ୍ କରି କଙ୍ଗାରୁ ବୋଲରଙ୍କୁ ଏକପ୍ରକାର ଘାଇଲା କରି ଦେଇଥିଲେ। ଉଭୟ ଧମାକାଦାର ବ୍ୟାଟିଂ କରି ଅବିଭାଜିତ ପ୍ରଥମ ୱିକେଟ୍‌ରେ ବିନା କ୍ଷତିରେ ୫୨ ରନ୍ ଅମଳ କରି ନେଇଥିଲେ। 

୧୪ରୁ ଦକ୍ଷିଣ ଆଫ୍ରିକା ସହ ମୁକାବିଲା
ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ଲଢ଼େଇ ଦକ୍ଷିଣ ଆଫ୍ରିକା ସହ ହେବ। ଦକ୍ଷିଣ ଆଫ୍ରିକା ଭାରତ ଆସି ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍, ତିନିଟି ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଟେଷ୍ଟ୍ ମ୍ୟାଚ୍ କୋଲକାତା ଓ ଗୁଆହାଟୀରେ ଖେଳାଯିବ। ଅନ୍ୟପକ୍ଷରେ ଦିନିକିଆ ଶୃଙ୍ଖଳା ରାଞ୍ଚି, ରାୟପୁର ଏବଂ ବିଶାଖାପାଟଣାରେ ଆୟୋଜିତ ହେବ। ଟ୍ବେଣ୍ଟି-୨୦ ଶୃଙ୍ଖଳା କଟକ, ଚଣ୍ଡିଗଡ଼, ଧର୍ମଶାଳା, ଲକ୍ଷ୍ନୌ ଓ ଅହମଦାବାଦରେ ଖେଳାଯିବ। ଟେଷ୍ଟ୍ ଓ ଦିନିକିଆ ଶୃଙ୍ଖଳାର ନେତୃତ୍ବ ଶୁବମନ୍ ଗିଲ୍ ‌ନେବେ। ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସୂର୍ଯ୍ୟକୁମାର ଯାଦବ ମଙ୍ଗ ଧରିବେ। ଘରୋଇ ପରିବେଶରେ ଖେଳାଯିବାକୁ ଥିବା ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଦୃଷ୍ଟିରୁ ଏହି ଶୃଙ୍ଖଳା ଭାରତୀୟ ଦଳ ପାଇଁ ଢେର ମହତ୍ତ୍ବ ବହନ କରିବ। ସେହିଭଳି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ବିଜେତା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ମଧ୍ୟ ବେଶ୍ ରୋମାଞ୍ଚକ ହେବ  ବୋଲି ଆଶା କରାଯାଉଛି। ଦ୍ବିତୀୟ ଟେଷ୍ଟ୍ ଖେଳାଯିବାକୁ ଥିବା ଗୁଆହାଟୀର ବର୍ଷାପାରା ଷ୍ଟାଡିୟମ୍‌ରେ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଫଳରେ ଭାରତର ଟେଷ୍ଟ୍ ଷ୍ଟାଡିୟମ୍ ତାଲିକାରେ ଆଉ ଏକ ଷ୍ଟାଡିୟମ୍ ଯୋଡ଼ିହେବ। କଟକ ଟ୍ବେଣ୍ଟି-୨୦ ଓଡ଼ିଆ ଦର୍ଶକଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ମ୍ୟାଚ୍ ପାଖରୁ ଦେଖିବ‌ାର ସୁଯୋଗ ଦେବ।

ତୃତୀୟ ସ୍ଥାନ ପାଇଁ ସୁଦର୍ଶନ-ଜୁରେଲ ଟକ୍କର
ବେଙ୍ଗାଲୁରୁରେ ଚାଲିଥିବା ଦକ୍ଷିଣ ଆଫ୍ରିକା-ଏ’ ବିପକ୍ଷ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ର ଉଭୟ ପାଳିରେ ଶତକ ଅର୍ଜନ କରିବା ପରେ ଧ୍ରୁବ ଜୁରେଲ୍‌ ଭାରତୀୟ ଟେଷ୍ଟ୍ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଲାଗି ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛନ୍ତି। ବି‌ଶେଷ କରି ଗୁରୁତ୍ବପୂର୍ଣ୍ଣ ତୃତୀୟ ସ୍ଥାନ ଲାଗି ସାଇ ସୁଦର୍ଶନଙ୍କୁ ସେ କଡ଼ା‌ ଟକ୍କର ଦେଇଛନ୍ତି। ସୁଦର୍ଶନ ଗତ କିଛି ମ୍ୟାଚ୍‌ରେ ପୂର୍ବରୁ ବିରାଟ କୋହଲି ଖେଳୁଥିବା ତୃତୀୟ ସ୍ଥାନରେ ଖେଳି ଆସୁଛନ୍ତି। ତେବେ ଅସ୍ଥିର ପ୍ରଦର୍ଶନ ଲାଗି ଦଳ ପାଇଁ ଚିନ୍ତାର କାରଣ ‌ହୋଇଛନ୍ତି। ଏଭଳି ସ୍ଥିତିରେ ଜୁରେଲ ଦକ୍ଷିଣ ଆଫ୍ରିକା-ଏ’ ବିପକ୍ଷ ମୁକାବିଲାର ପ୍ରଥମ ପାଳିରେ ୧୩୨ ଓ ଦ୍ବିତୀୟରେ ୧୨୭ ରନ୍ କରି ଅଧିନାୟକ ଶୁବମନ୍ ଗିଲ୍ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଆଉ ଏକ ଦୃଢ଼ ବିକଳ୍ପ ପ୍ରଦାନ କରିଛନ୍ତି। ଉଭୟ ପାଳି ସେ ଅପରାଜିତ ରହିବା ଉଲ୍ଲେଖନୀୟ ହୋଇଛି। ଏହି ଅନୌପଚାରିକ ଟେଷ୍ଟ୍‌ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୪୧୭ ରନ୍ ବିଜୟ ଲକ୍ଷ୍ୟ ରଖିଛି। ଶନିବାରର ତୃତୀୟ ଦିନ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ବିନା କ୍ଷତିରେ ୨୫ ରନ୍ କରିଛି।