ଭାରତୀୟଙ୍କ ବର୍ଜନ ଧମକ : ବ୍ରିସ୍‌ବନ୍‌ ଟେଷ୍ଟ୍‌ ଆଶଙ୍କାରେ

ସିଡନି : କୋଭିଡ୍‌ ନିୟମ ଉଲ୍ଲଂଘନ କରି ୫ ଭାରତୀୟ ଖେଳାଳି ରେସ୍ତୋରାଁରେ ଖାଇବା ଭିଡିଓକୁ ନେଇ ବିବାଦ ଥମିନଥିବା ବେଳେ ଆଉ ଏକ କାରଣ ପାଇଁ ଭାରତୀୟ କ୍ରିକେଟ୍ ଦଳ ପୁଣି ଚର୍ଚାକୁ ଆସିଛି। ବ୍ରିସ୍‌ବନ୍‌ରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ଲାଗି କଠୋର ସଙ୍ଗରୋଧ ନିୟମ ଥିବାରୁ ଭାରତୀୟ ଖେଳାଳି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ଭାରତୀୟ ଖେଳାଳି ସିଡନି ଟେଷ୍ଟ୍ ପରେ ବ୍ରିସବନ୍‌ ନଯିବାକୁ ଧମକ‌ ଦେବାରୁ ଜାନୁଆରି ୧୫ ତାରିଖରୁ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌ ଉପରେ ପ୍ରଶ୍ନବାଚୀ ଲାଗିଯାଇଛି। ସମ୍ପ୍ରତି ମେଲବର୍ଣ୍ଣରେ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ସୋମବାର ସିଡନି ଅଭିମୁଖେ ଯାତ୍ରା କରିବେ। ଏହି ସହରରେ କୋଭିଡ୍‌-୧୯ ମହାମାରୀ ପ୍ରକୋପ ବଢ଼ିଥିଲେ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ମ୍ୟାଚ୍‌ ସ୍ଥାନାନ୍ତର ନକରିବାକୁ ନିଷ୍ପତ୍ତି ନେଇଛି। ଗୁରୁବାରଠାରୁ ସେଠାରେ ତୃତୀୟ ଟେଷ୍ଟ୍ ଖେଳାଯିବ। ସିଡନି ତୁଳନାରେ ବ୍ରିସ୍‌ବନ୍‌ରେ କୋଭିଡ୍ କଟକଣା ଅଧିକ କଠୋର ଥିବାରୁ ଭାରତୀୟମାନେ ଅନିଶ୍ଚିତତା ଭିତରେ ରହିଛନ୍ତି। ସେମାନଙ୍କ ଅସନ୍ତୋଷ ଏବଂ ବର୍ଜନ ଧମକ ପରିପ୍ରେକ୍ଷୀରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଭାରତୀୟ ଖେଳାଳିମାନଙ୍କ କହିବା କଥା ହେଲା ସେମାନେ ବିଗତ ୬ ମାସ ହେବ ବିଭିନ୍ନ ପ୍ରକାର ସଙ୍ଗରୋଧ ଭିତରେ ରହିଆସିଛନ୍ତି। ଆଇପିଏଲ୍‌ ପୂର୍ବରୁ ଏହା ଆରମ୍ଭ ହୋଇଥିଲା। କୁଇନ୍ସଲାଣ୍ଡ୍‌ ରାଜ୍ୟ ନ୍ୟୁ ସାଉଥ ୱେଲ୍ସ ସହ ଥିବା ଏହାର ସୀମାକୁ ବନ୍ଦ କରି ଦେଇଥିବାରୁ ଭାରତୀୟମାନେ ଆଉ ଅଧିକ କଠୋର କଟକଣା ଭିତରକୁ ଯିବାକୁ ପସନ୍ଦ କରୁନାହାନ୍ତି। ଜାନୁଆରି ୧୫ ତାରିଖରୁ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ ଲାଗି କେବଳ ଖେଳାଳିଙ୍କୁ କୁଇନ୍ସଲାଣ୍ଡ୍ ପ୍ରବେଶ ଲାଗି ଅନୁମତି ପ୍ରଦାନ କରାଯାଇଛି।

ଭାରତୀୟ ଦଳର ଜଣେ ମୁଖପାତ୍ର କହିଛନ୍ତି ଯଦି ଦେଖିବେ ଆମ ଖେଳାଳିମାନେ ଦୁବାଇରେ ୧୪ ଦିନ ଏବଂ ସିଡନିରେ ପହଞ୍ଚି ଆଉ ୧୪ ଦିନ ସଙ୍ଗରୋଧରେ ବିତାଇଥିଲେ। ମାସେ ପାଖାପାଖି ଜୈବ ବଳୟ ମଧ୍ୟରେ ରହିବା ପରେ ଗସ୍ତର‌ ଶେଷ ଭାଗରେ ଆଉ ସଙ୍ଗରୋଧରେ ରହିବାକୁ ସେମାନେ ଚାହୁଁନାହାନ୍ତି। ହୋଟେଲ୍ ଭିତରେ ଆବଦ୍ଧ ରହିବାକୁ ପଡୁଥିବାରୁ ଖେଳାଳିମାନେ ବ୍ରିସବନ୍‌ ଯିବାକୁ ଚାହୁଁନାହାନ୍ତି। ବରଂ ଗୋଟିଏ ସହରରେ ଶେଷ ଦୁଇ ଟେଷ୍ଟ୍ ଖେଳି ସ୍ବଦେଶ ଫେରିବାକୁ ପସନ୍ଦ କରୁଛନ୍ତି। ୬ ମାସ ଧରି ବିଭିନ୍ନ ପର୍ଯ୍ୟାୟ ସଙ୍ଗରୋଧରେ ରହିବା ସହଜ କଥା ନୁହେଁ।

କୁଇନ୍ସଲାଣ୍ଡ୍‌ କ୍ରୀଡ଼ା ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଧମକ
ଭାରତୀୟ ଖେଳାଳିମାନଙ୍କ ବ୍ରିସବନ୍‌ ନଯିବା ଧମକକୁ କଡ଼ା ସ୍ବରରେ ଜବାବ ଦେଇଛନ୍ତି କୁଇନ୍ସଲାଣ୍ଡ୍ କ୍ରୀଡ଼ା ଓ ସ୍ବାସ୍ଥ୍ୟ ମନ୍ତ୍ରୀ। ‘ଗାବା ଟେଷ୍ଟ୍ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ସଙ୍ଗରୋଧ ନିୟମରେ କୋହଳ କରିବାକୁ ଆଜି ମୋତେ ଅନୁରୋଧ କରାଯାଇଛି। କିନ୍ତୁ ନିୟମ ଭିତରେ ରହି ଯଦି ଖେଳିବାକୁ ଭାରତୀୟମାନେ ଚାହୁଁନାହାନ୍ତି ତେବେ ଆସନ୍ତୁ ନାହିଁ’ ବୋଲି ରୋକଠୋକ୍‌ ଭାବେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ରସ୍‌ ବେଟ୍ସ। କୁଇନ୍ସଲାଣ୍ଡ୍ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଟିମ୍ ମାଣ୍ଡେର୍ ମଧ୍ୟ ସମାନ ସ୍ବରରେ କହିଛନ୍ତି। ‘ସମସ୍ତଙ୍କ ପାଇଁ ସମାନ ନିୟମ ପ୍ରଚଳିତ ରହିଛି। ନିୟମ ମାନିବାକୁ ଯଦି ଭାରତୀୟ ଦଳ ପ୍ରସ୍ତୁତ ନାହାନ୍ତି ତେବେ ସେମାନେ ନ ଆସିବା ଉଚିତ୍‌ ବୋଲି ମାଣ୍ଡେର୍ ପ୍ରକାଶ କରିଛନ୍ତି। ନ୍ୟୁ ସାଉଥୱେଲ୍ସ କାମଚଳା ପ୍ରଧାନମନ୍ତ୍ରୀ ଜନ୍ ବାରିଲାରୋ କହିଛନ୍ତି, ବର୍ତମାନ ଆମେ ତୃତୀୟ ଟେଷ୍ଟକୁ ୨୦,‌୦୦୦ ଦର୍ଶକଙ୍କ ସମ୍ମୁଖରେ ଖେଳାଇବା ଲାଗି ଏକାଗ୍ର ରହିଛୁ।

ରେସ୍ତୋରାଁ ବିବାଦରେ ଜରିମାନା ହେବ
ଅନ୍ୟପକ୍ଷରେ ନୂଆ ବର୍ଷ ଅବସରରେ ମେଲବର୍ଣ୍ଣର ଏକ ରେସ୍ତୋରାଁରେ ଖାଇବା ବେଳେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିଥିବାରୁ ୫ ‌ଭାରତୀୟ ଖେଳାଳିଙ୍କୁ ନେଇ ଉଠିଥିବା ବିବାଦ ଏକପ୍ରକାର ଥମି ଯାଇଛି। ତେବେ ସମ୍ପୃକ୍ତ ଭାରତୀୟ ଖେଳାଳିମାନଙ୍କ ଉପରେ ଜରିମାନା ଦଣ୍ଡ କରାଯିବାର ଆଶଙ୍କା ରହିଛି ବୋଲି ସୂଚନା ମିଳିଛି। ଉପଅଧିନାୟକ ରୋହିତ ଶର୍ମାଙ୍କ ସହ ପୃଥ୍ବୀ ସ’, ଶୁବମନ ଗିଲ୍, ଋଷବ ପନ୍ତ୍, ନଭଦୀପ ସୈନି ଏକ ରେସ୍ତୋରାଁରେ ଖାଇବା ବେଳେ ପାଖାପାଖି ବସିଥିଲେ। ଜଣେ ପ୍ରଶଂସକ ଏହାର ଭିଡିଓକୁ ଭାଇରାଲ୍ କରିଦେବା ପରେ ବିସିସିଆଇ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ଏହାର ତଦନ୍ତ କରୁଛନ୍ତି। କିନ୍ତୁ ରେସ୍ତୋରାଁ ବିବାଦ ଲାଗି ସଙ୍ଗରୋଧରେ ଥିବା ୫ ଖେଳାଳିଙ୍କ ସହ ସମ୍ପୂର୍ଣ୍ଣ ଭାରତୀୟ ଦଳ‌ ସୋମବାର ଗୋଟିଏ ଚାଟାର୍ଡ ଫ୍ଲାଇଟ୍‌ରେ ସିଡନି ଯିବେ ବୋଲି ସୂଚନା ମିଳିଛି। ସମ୍ପୃକ୍ତ ୫ ଖେଳାଳିଙ୍କ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ, ଏମାନେ ଦଳ ସହ ସୋମବାର ସିଡନି ଯାଉଛନ୍ତି ବୋଲି ଜଣେ ବିସିସିଆଇ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ବ୍ରିସବନ୍ ଟେଷ୍ଟ୍ ଭବିଷ୍ୟତ ସମ୍ପର୍କରେ ଆଉ କିଛି ଦିନ ଅପେକ୍ଷା କରିବାକୁ ସେ କହିଥିଲେ।

ସମ୍ବନ୍ଧିତ ଖବର