ବ୍ରିସବନ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ପାକିସ୍ତାନ ଅଡୁଆ ସ୍ଥିତିରେ ରହିଛି। କେବଳ ପାଳି ପରାଜୟ ଏଡ଼ାଇବାକୁ ୩୪୧ ରନ୍ ଆବଶ୍ୟକ କରୁଥିବା ଆଝାର ଅଲୀଙ୍କ ଦଳ ଦୃତୀୟ ଦିନ ସୁଦ୍ଧା ୬୪ ରନ୍ରେ ୩ ୱିକେଟ୍ ହରାଇ ଦେଇଛି। ହାତରେ ୭ ୱିକେଟ୍ ଥିଲେ ମଧ୍ୟ ଏହି ଦଳ ଆହୁରି ୨୭୬ ରନ୍ ପଛରେ ପଡ଼ିଛି। ଶନିବାର ଅଷ୍ଟ୍ରେଲିଆ ୩୧୨/୧ରୁ ଖେଳି ୫୮୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ୱାର୍ନର ପୂର୍ବ ସ୍କୋର୍ରେ ମାତ୍ର ୩ ରନ୍ ଯୋଡ଼ି ବ୍ୟକ୍ତିଗତ ୧୫୪ ରନ୍ରେ ଆଉଟ୍ ହୋଇଥିଲେ। କିନ୍ତୁ ତାଙ୍କ ପୂର୍ବ ସଂଧ୍ୟା ସାଥୀ ମାର୍ନସ ଲାବୁସାନ୍ (୧୮୫, ୨୭୬ ବଲ୍, ୨୦ ଚୌକା) ମାରାଥନ୍ ବ୍ୟାଟିଂ କରିଥିଲେ। ମାତ୍ର ୧୫ ରନ୍ ପାଇଁ ସେ ନିଜ ପ୍ରଥମ ଶତକକୁ ଦ୍ବିଶତକରେ ପରିଣତ କରିବାରୁ ବଞ୍ଚିତ ହୋଇଥିଲେ। ଷ୍ଟିଭ ସ୍ମିଥ୍ (୪)ଙ୍କୁ ସ୍ପିନର୍ ୟାସିର୍ ସାହା ବୋଲଡ୍ କରିଦେବା ପରେ ମାଥ୍ୟୁ ୱାଦେ (୬୦)ଙ୍କୁ ସାଥୀ କରି ଲାବୁସାନ୍ ୧୧୦ ରନ୍ ଯୋଡ଼ିଥିଲେ। ଅନ୍ୟ କୌଣସି ଅଷ୍ଟ୍ରେଲୀୟ ଭଲ ଖେଳିପାରିନଥିଲେ ମଧ୍ୟ ଦଳଗତ ଭାବେ ୫୮୦ ରନ୍ର ବଡ଼ ସ୍କୋର୍ ଛିଡ଼ା କରିନେଇଥିଲା। ପାକିସ୍ତାନୀ ସ୍ପିନର୍ ୟାସିର୍ ସାହା ଏହି ଅବସରରେ ଏକ ଅଲୋଡ଼ା କୀର୍ତ୍ତିମାନ କରିଥିଲେ। ଟେଷ୍ଟ୍ କ୍ରିକେଟ୍ରେ ସର୍ବାଧିକ ୩ ଥର ସେ ୨୦୦ରୁ ଊର୍ଧ୍ବ ରନ୍ ବ୍ୟୟ କରିଥିଲେ। ୟାସିର୍ ୬୮ ପାଳିରେ ବୋଲିଂ କରିଥିଲେ। ଏ ଦିଗରେ ସେ ଭାରତର ବିନୁ ମଙ୍କଡ (୨ ଥର, ୭୦ ପାଳି) ଏବଂ ନିଜ ଦେଶର ସାକଲେନ୍ ମୁସ୍ତାକ୍ (୨ ଥର, ୮୬ ପାଳି)ଙ୍କ ପଛରେ ପଡିଯାଇଥିଲେ। କିନ୍ତୁ ୬ ଟେଷ୍ଟ୍ରେ ଷ୍ଟିଭେନ୍ ସ୍ମିଥଙ୍କୁ ୭ ଥର ଆଉଟ୍ କରିବାର ଗୌରବ ଆଣିଥିଲେ। କେବଳ ଷ୍ଟୁଆର୍ଟ ବ୍ରଡ୍ ଅଧିକ ଥର ସ୍ମିଥ୍ (୮)ଙ୍କୁ ଆଉଟ୍ କରିଛନ୍ତି।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୨୪୦ (ଅସଦ୍ ସଫିକ-୭୬, ମିଚେଲ୍ ଷ୍ଟାର୍କ-୪/୫୨, ପ୍ୟାଟ୍ କମିନ୍ସ-୩/୬୦)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୫୭.୪ ଓଭରରେ ୫୮୦ (ମାର୍ନସ ଲାବୁସାନ୍-୧୮୫, ଡେଭିଡ୍ ୱାର୍ନର-୧୫୪, ଜୋ ବର୍ନସ-୯୭, ମାଥ୍ୟୁ ୱାଡେ-୬୦, ୟାସିର୍ ସାହା-୪/୨୦୫, ହାରିସ୍ ସୋହେଲ-୨/୭୫, ସାହିନ୍ ସାହା ଆଫ୍ରିଦି-୨/୯୬)। ପାକିସ୍ତାନ ଦ୍ବିତୀୟ ପାଳି: ୧୭ ଓଭରରେ ୬୪/୩ (ସାନ୍ ମସୁଦ୍-୨୭*, ବାବର ଆଜମ-୨୦*, ମିଚେଲ ଷ୍ଟାର୍କ-୨/୨୫, ପ୍ୟାଟ୍ କମିନ୍ସ-୧/୧୬)।
ୱାଟ୍ଲିଙ୍ଗଙ୍କ ଶତକ: ନ୍ୟୁଜିଲାଣ୍ଡ୍ ଆଗୁଆ
ମାଉଣ୍ଟ୍ ମଙ୍ଗୁନୁଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡ୍ ତୃତୀୟ ଦିନ ସୁଦ୍ଧା ହାତରେ ୪ ୱିକେଟ୍ ଥାଇ ୪୧ ରନ୍ରେ ଆଗୁଆ ହୋଇଛି। ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ବିଜେ ୱାଟଲିଙ୍ଗ୍ଙ୍କ ଶତକ ଏବଂ କଲିନ୍ ଗ୍ରାଣ୍ଡହୋମ୍ଙ୍କ ଅର୍ଧଶତକ ବଳରେ ଘରୋଇ ଦଳ ଅଗ୍ରଣୀ ନେବାରେ ସକ୍ଷମ ହୋଇଛି। ଆଉ ଦୁଇ ଦିନ ଖେଳ ଥିବାରୁ ବିଜୟ ପାଇଁ ଦଳ ଚାପ ସୃଷ୍ଟି କରିବାର ସୁଯୋଗ ପାଇବ।
ଇଂଲଣ୍ଡର ୩୫୩ ରନ୍ ଜବାବରେ ନ୍ୟୁଜିଲାଣ୍ଡ ୧୨୭ ରନ୍ରେ ୪ ୱିକେଟ୍ ହରାଇ ଦେଇଥିଲା। ଅଗ୍ରଣୀ ପାଇଁ ଘରୋଇ ଦଳକୁ ସଂଘର୍ଷ କରିବାକୁ ପଡ଼ିବ ବୋଲି ଆଶଙ୍କା ଜାତ ହୋଇଥିଲା। କିନ୍ତୁ ବିଜେ ୱାଟଲିଙ୍ଗ୍ (୧୧୯*, ୨୯୮ ବଲ୍, ୧୫ ଚୌକା)ଙ୍କ ସହିତ ମିଶି ହେନରି ନିକୋଲ୍ସ (୪୧, ୧୨୫ ବଲ), କଲିନ୍ ଗ୍ରାଣ୍ଡହୋମ୍ (୬୫, ୧୦୮ ବଲ୍) ଭଲ ଭାଗୀଦାରି ଦେବାରୁ ଦଳ ଅଗ୍ରଣୀ ପ୍ରଦାନ ସହିତ ସୁରକ୍ଷିତ ଆଡକୁ ଯାଇଛି। ୱାଟଲିଙ୍ଗ୍ଙ୍କ ଏହା ଅଷ୍ଟମ ଟେଷ୍ଟ ଶତକ। ଇଂଲଣ୍ଡ ବିପକ୍ଷରେ କିନ୍ତୁ ଦ୍ବିତୀୟ। ୪ ବର୍ଷ ତଳେ ଲିଡ୍ସରେ ସେ ୧୨୦ ରନ୍ କରିଥିଲେ। ଶନିବାର ୱାଟଲିଙ୍ଗ ଏବଂ ଗ୍ରାଣ୍ଡହୋମ୍ ମଧ୍ୟରେ ୧୧୯ ରନ୍ର ଭାଗୀଦାରି ମଧ୍ୟ ହୋଇଥିଲା। ମିଚେଲ ସାଣ୍ଟନର (୩୧*, ୧୦୩ ବଲ୍)ଙ୍କୁ ନେଇ ୱାଟଲିଙ୍ଗ୍ ମଧ୍ୟ ଅତୁଟ ସପ୍ତମ ୱିକେଟ୍ ପାଇଁ ୭୮* ରନ୍ ଯୋଡ଼ି ସାରିଛନ୍ତି। ଇଂଲଣ୍ଡ ପକ୍ଷରୁ ବାମହାତୀ ମଧ୍ୟମଗତି ବୋଲର ସାମ୍ କରନ୍ ଏବଂ ବେନ୍ ଷ୍ଟୋକ୍ସ ୨ ଲେଖାଏଁ ୱିକେଟ୍ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ପ୍ରଥମ ପାଳି: ୩୫୩ (ବେନ୍ ଷ୍ଟୋକ୍ସ-୯୧, ଜୋ ଡେନଲି-୭୪, ରୋରି ବର୍ନସ-୫୨, ଟିମ୍ ସାଉଦି-୪/୮୮, ନିଲ୍ ୱାଗନର୍-୩/୯୦)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୧୪୧ ଓଭରରେ ୩୯୪/୬ (ବିଜେ ୱାଟଲିଙ୍ଗ-୧୧୯*, କେନ୍ ୱିଲିୟମସନ୍-୫୧, ହେନରି ନିକୋଲ୍ସ-୪୧, ବେନ୍ ଷ୍ଟୋକ୍ସ-୨/୩୭, ସାମ କରନ୍-୨/୭୪, ମାଥ୍ୟୁ ଲିଚ୍-୧/୯୭)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/dfda5f4da4f89ad4f89asd4f89.jpg)