ଚହଲଙ୍କୁ ଚିଡ଼ାଇଲେ ବ୍ରଡ୍

ଲଣ୍ଡନ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଗୁରୁବାର ଲଗାତାର ତିନିଟି ଛକା ମାରିଥିଲେ। ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ଚହଲଙ୍କୁ ଏହି ବିଷୟରେ ପ୍ରଶ୍ନ ହେବାରୁ ସେହି ସମୟରେ ତାଙ୍କର ଷ୍ଟୁଆର୍ଟ ବ୍ରଡ୍ ଗୋଟିଏ ଓଭରରେ ୬ ଛକା ଖାଇବା କଥା ମନେ ପଡ଼ି ଯାଇଥିଲା ବୋଲି କହିଥିଲେ। ଯାହା ବ୍ରଡ୍‌ଙ୍କୁ ବେଶ୍ ବାଧିଥିଲା। ସେ ଏବେ ଏହାର ଉତ୍ତର ଟ୍ବିଟ୍ କରି ରଖିଛନ୍ତି। ଚହଲଙ୍କୁ ତାତ୍ସଲ୍ୟ କରି ବ୍ରଡ୍ ଲେଖିଛନ୍ତି, ‘ଆଶାକରେ ୧୦ ବର୍ଷ ଭିତରେ ୪୩୭ ୱିକେଟ୍ ନେବାର ଅନୁଭବ ବି ଚହଲ କରିବେ’। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବ୍ରଡଙ୍କୁ ଯୁବି କ୍ରମାଗତ ୬ ଛକା ମାରିଥିଲେ। ଟ୍ବେଣ୍ଟି-୨୦ରେ ଏଭଳି ନିଆରା ସଫଳତା ଲାଭ କରିବାରେ ସେ ପ୍ରଥମ ଖେଳାଳି ହୋଇଥିଲେ। ସେପଟେ ବ୍ରଡ୍ ଏହି ଧୁଲେଇକୁ ଭୁଲି ଟେଷ୍ଟ କ୍ରିକେଟ୍‌ରେ ୪୦୦ରୁ ଅଧିକ ୱିକେଟ୍ ନେଇଥିଲେ। ଏବେ ବି ସେ ଇଂଲଣ୍ଡର ଅନ୍ୟତମ ସଫଳ ବୋଲର ହୋଇରହିଛନ୍ତି। ଗୁରୁବାର କିନ୍ତୁ ଚହଲଙ୍କ ପ୍ରଥମ ତିନିଟି ବଲ୍‌କୁ ଛକା ମାରିବା ପରେ ଯୁବି ଚତୁର୍ଥ ବଲ୍‌ରେ କ୍ୟାଚ ଆଉଟ୍ ହୋଇଥିଲେ। ଯାହା ଚହଲଙ୍କ ସହ ସମଗ୍ର ବାଙ୍ଗାଲୋର ଦଳ ପାଇଁ ଆଶ୍ବସ୍ତିକର ଖବର ହୋଇଥିଲା।

ସମ୍ବନ୍ଧିତ ଖବର