୫୦୦ ୱିକେଟ୍ କ୍ଲବ୍‌ରେ ବ୍ରଡ୍: ଇଂଲଣ୍ଡର ଦ୍ବିତୀୟ, ବିଶ୍ବର ସପ୍ତମ

୭ ବର୍ଷ ପରେ ବ୍ରଡଙ୍କୁ ପ୍ରଥମ ୧୦ ୱିକେଟ୍

ମାଞ୍ଚେଷ୍ଟର: ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ମଙ୍ଗଳବାର ୫୦୦ ୱିକେଟ୍ ମାଇଲଖୁଣ୍ଟ ଛୁଇଁଛନ୍ତି। ମାଞ୍ଚେଷ୍ଟର ଟେଷ୍ଟ୍‌ର ପଞ୍ଚମ ତଥା ଅନ୍ତିମ ଦିବସରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କ୍ରେଗ୍ ବ୍ରାଥୱେଟ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରି ସେ ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି। ୫୦୦ ଟେଷ୍ଟ୍ ୱିକେଟ୍ ନେବାରେ ଜେମ୍ସ ଆଣ୍ଡରସନଙ୍କ ପରେ ସେ ଇଂଲଣ୍ଡର ଦ୍ବିତୀୟ ଓ ବିଶ୍ବର ସପ୍ତମ ବୋଲର ହୋଇଛନ୍ତି। ସେହିଭଳି ଏହି ନିଆରା ତାଲିକାରେ ସ୍ଥାନ ପାଇବାରେ ବିଶ୍ବର ଚତୁର୍ଥ ଦ୍ରୁତ ବୋଲର ହେବାର ଗୌରବ ଅର୍ଜନ କରିଥିଲେ। ମାଞ୍ଚେଷ୍ଟର ଟେଷ୍ଟ୍‌କୁ ଯିବା ବେଳକୁ ୩୪ ବର୍ଷୀୟ ବ୍ରଡ୍ ୪୯୧ ୱିକେଟ୍‌ରେ ଥିଲେ। ଇଣ୍ଡିଜ୍‌ର ପ୍ରଥମ ପାଳିରେ ୬ ୱିକେଟ୍ ନେଇ ୪୯୭ରେ ପହଞ୍ଚିଥିଲେ। ମାଞ୍ଚେଷ୍ଟର ଟେଷ୍ଟ୍‌ର ତୃତୀୟ ଦିନରେ ଇଣ୍ଡିଜ୍ ଦ୍ବିତୀୟ ପାଳିର ଦୁଇଟି ଯାକ ୱିକେଟ୍ ନେଇ ୪୯୯କୁ ଉଠିଥିଲେ। ସୋମବାର ଏହି ମ୍ୟାଚ୍‌ର ଚତୁର୍ଥ ଦିବସରେ ସେ ୫୦୦ ୱିକେଟ୍ ଛୁଇଁବେ ବୋଲି ଆଶା କରାଯାଉଥିଲା। ହେଲେ ବର୍ଷା ଚତୁର୍ଥ ଦିନର ଖେଳକୁ ସଂପୂର୍ଣ୍ଣ ଧୋଇନେବା ପରେ ତାଙ୍କୁ ପଞ୍ଚମ ଦିନର ଖେଳକୁ ଅପେକ୍ଷା କରିବାକୁ ପଡ଼ିଥିଲା। ଆଜିର ପ୍ରଥମ ୱିକେଟ୍ ଭାବେ ବ୍ରାଥୱେଟ୍‌ଙ୍କୁ ଶିକାର କରି ବ୍ରଡ୍ ୫୦୦ ୱିକେଟ୍ ପୂରଣ କରିବା ସହ ଇତିହାସ ଫର୍ଦରେ ନିଜ ନାମକୁ ଲିପିବଦ୍ଧ କରି ନେଇଥିଲେ। ତାଙ୍କ ପୂର୍ବରୁ ୨୦୧୭ ମସିହାରେ ଇଂଲଣ୍ଡର ପ୍ରଥମ ବୋଲର ଭା‌ବେ ଜେମ୍ସ ଆଣ୍ଡରସନ୍ ଟେଷ୍ଟ୍ କ୍ରିକେଟ୍‌ରେ ୫୦୦ ୱିକେଟ୍ ନେଇଥିଲେ। ଏହାର ୩ ବର୍ଷ ପରେ ବ୍ରଡ୍ ତାଙ୍କ ସହ ‌ଯୋଗ ଦେଇଛନ୍ତି। ୫୦୦ ୱିକେଟ୍ କ୍ଲବ୍‌ରେ ଥିବା ଅନ୍ୟ ୬ ଜଣ କିଂବଦନ୍ତି ବୋଲର ହେଲେ ମୁଥୟା ମୁରଲୀଧରନ (୮୦୦), ସେନ୍ ୱାର୍ନ (୭୦୮), ଅନିଲ କୁମ୍ବଲେ (୬୧୯), ଗ୍ଲେନ୍ ମ୍ୟାଗ୍ରା (୫୬୩), ଜେମ୍ସ ଆଣ୍ଡରସନ୍ (୫୮୯) ଓ କର୍ଟନି ୱାଲ୍ସ (୫୧୯)।

ବ୍ରାଥୱେଟ୍ ସଂଯୋଗ
ମାଞ୍ଚେଷ୍ଟର ଟେଷ୍ଟ୍‌ର ପଞ୍ଚମ ଦିନରେ ଷ୍ଟୁଆର୍ଟ ବ୍ରଡ୍‌ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ। ତେବେ ୱେଷ୍ଟଇଣ୍ଡିଜର କ୍ରେଗ୍ ବ୍ରାଥୱେଟ୍ ମଧ୍ୟ ଭିନ୍ନ ଏକ କାରଣ ପାଇଁ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥିଲେ। ବ୍ରାଥୱେଟ୍ ସଂଯୋଗବଶତଃ ୫୦୦ ୱିକେଟ୍ କ୍ଲବ୍‌ରେ ଥିବା ଦୁଇ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ୍ ଓ ବ୍ରଡ୍‌ଙ୍କ ୫୦୦ତମ ଶିକାର ହୋଇଥିଲେ। ୨୦୧୭ ମସିହାରେ ଲର୍ଡସ ପଡ଼ିଆରେ ସେହି ବ୍ରାଥୱେଟ୍‌ଙ୍କୁ ଆଉଟ୍ କରି ଆଣ୍ଡରସନ୍ ନିଜ ୫୦୦ତମ ୱିକେଟ୍ ମାଇଲଖୁଣ୍ଟ ଛୁଇଁଥିଲେ। ବ୍ରାଥୱେଟ୍ ମଧ୍ୟ ନ୍ୟୁଜିଲାଣ୍ଡ ବୋଲର ଟ୍ରେଣ୍ଟ୍‌ ବୋଲ୍ଟଙ୍କ ୨୦୦ତମ ଟେଷ୍ଟ୍ ୱିକେଟ୍ ଥିଲେ। ମାଇଲଖୁଣ୍ଟ ୱିକେଟ୍ ହେବାରେ ସଂପ୍ରତି ସେ କେବଳ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସଙ୍କ ପଛରେ ଅଛନ୍ତି। ବ୍ରାଥୱେଟ୍ ତିନିଟି ମାଇଲଖୁଣ୍ଟ ୱିକେଟ୍ ହୋଇଥିଲା ବେଳେ କାଲିସ୍ ପାଞ୍ଚଟି ମାଇଲଖୁଣ୍ଟ ୱିକେଟ୍ ହୋଇ ଏହି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛନ୍ତି। କାଲିସ୍ ଇଂଲଣ୍ଡର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନଙ୍କ ୧୦୦ତମ, ଆଣ୍ଡ କ୍ୟାଡିକଙ୍କ ୧୦୦ତମ, ସେନ୍ ୱର୍ନଙ୍କ ୩୦୦ତମ, ଜାହିର ଖାନଙ୍କ ୩୦୦ତମ ଏବଂ କର୍ଟନି ୱାଲ୍ସଙ୍କ ୫୦୦ତମ ୱିକେଟ୍ ହୋଇସାରିଛନ୍ତି। ସେପଟେ ଆଣ୍ଡରସନ୍ ଓ ବ୍ରଡ୍‌ଙ୍କ ରୂପରେ ୫୦୦ ୱିକେଟ୍ ନେଇଥିବା ଦୁଇଜଣ ବୋଲର ପ୍ରଥମ ଥର ପାଇଁ ଏକାଠି କୌଣସି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି।

୭ ବର୍ଷ ପରେ ବ୍ରଡଙ୍କୁ ପ୍ରଥମ ୧୦ ୱିକେଟ୍
ମାଞ୍ଚେଷ୍ଟର ଟେଷ୍ଟ୍‌ର ପ୍ରଥମ ପାଳିରେ ବ୍ରଡ୍ ୬ ୱିକେଟ୍ ନେଇଥିଲେ। ଦ୍ବିତୀୟରେ ସେ ୪ ୱିକେଟ୍ ହାସଲ କରିଛନ୍ତି। ଫଳରେ ମ୍ୟାଚ୍‌ର ଉଭୟ ପାଳିକୁ ମିଶାଇ ୧୦ ୱିକେଟ୍ ଅର୍ଜନ କରିଛନ୍ତି। ୭ ବର୍ଷ ପରେ ସେ କୌଣସି ଟେଷ୍ଟ୍‌ରେ ୧୦ ୱିକେଟ୍ ପାଇଛନ୍ତି। ଶେଷ ଥର ପାଇଁ ଏହି ପ୍ରତିଭାବାନ ଦ୍ରୁତ ବୋଲର ୨୦୧୩ ମସିହାରେ କୌଣସି ଏକ ଟେଷ୍ଟ୍‌ରେ ୧୦ ୱିକେଟ୍ ପାଇଥିଲେ। ସେହିଭଳି ୧୯୧୨ ମସିହା‌ ପରେ ଇଂଲଣ୍ଡ ଦ୍ରୁତ ବୋଲରମାନେ ପ୍ରଥମ ଥର ପାଇଁ କୌଣସି ତିନି ଟିକିଆ ଟେଷ୍ଟ୍‌ରେ ମିଳିତ ଭାବେ ୫୦ ୱିକେଟ୍ ନେଇଛନ୍ତି। ଏହି ଶୃଙ୍ଖଳାରେ ୧୯ ଏଲବିଡବ୍ଲ୍ୟୁ ଆଉଟ୍ ଦେଖିବାକୁ ମିଳିଥିଲା। ତିନି ଟିକିଆ ଶୃଙ୍ଖଳାରେ ଯାହା ଦ୍ବିତୀୟ ସର୍ବାଧିକ।

ସମ୍ବନ୍ଧିତ ଖବର