ଭୁବନେଶ୍ବର: ଉଜ୍‌ବେକିସ୍ତାନରେ ଚାଲିଥିବା ଏସୀୟ କାନୋସ୍ପ୍ରିଣ୍ଟର ଦ୍ବିତୀୟ ଦିନରେ ଭାରତକୁ ୧୪ ପଦକ ମିଳିଛି। ଏହା ମଧ୍ୟରେ ଓଡ଼ିଶାର ଯୋଡ଼ିକୁ ଗୋଟିଏ କାଂସ୍ୟ ପଦକ ମିଳିଛି। ବୁଧବାର ନେହା ଦେବୀ ରୌପ୍ୟ ଜିତିଥିଲା ବେଳେ ଗୁରୁବାର ଟି ଏନ୍‌ଗାସେପମ୍‌ ଓ ପି ରୋଜି ଦେବୀଙ୍କ ଯୋଡ଼ି କାଂସ୍ୟ ପଦକ ଜିତିଛନ୍ତି। ୨୩ ବର୍ଷରୁ କମ୍‌ ୫୦୦ ମିଟର ମିଶ୍ରିତ ଏକ୍ସକେ-୨ରେ ଏହି ଯୋଡ଼ି କାଂସ୍ୟ ଜିତିଛି। ଉଭୟ ଏହି ଦୂରତାକୁ ୧:୪୭.୬୪୮ ମିନିଟ୍‌ରେ ‌ଶେଷ କରିଥିଲେ। ଏହି ଇଭେଣ୍ଟରେ କାଜାଖସ୍ତାନ ସ୍ବର୍ଣ୍ଣ (୧:୪୨.୦୮୩ ମିନିଟ୍‌) ଏବଂ ଉଜ୍‌ବେକିସ୍ତାନ ରୌପ୍ୟ (୧:୪୭.୪୭୫ ମିନିଟ୍‌) ପଦକ ପାଇଛି।

Advertisment

ହାବ୍ୟତୀତ ଗୁରୁବାର ଭାରତୀୟଙ୍କ ମଧ୍ୟରେ ୧୦୦୦ ମିଟର ଓ ୫୦୦ ମିଟର କନିଷ୍ଠ ସି-୧ ରେ ଅର୍ଜୁନ ସିଂହଙ୍କୁ ସ୍ବର୍ଣ୍ଣ ଓ ରୌପ୍ୟ, କେ-୧ରେ ନିତିନ ବର୍ମାଙ୍କୁ କାଂସ୍ୟ, ୨୩ ବର୍ଷରୁ କମ୍‌ ୫୦୦ ମିଟର ପୁରୁଷ ସି-୨ରେ ରିବାସନ୍‌ ସିଂହ ଓ ଜ୍ଞାନେଶ୍ବର ସିଂହ ଯୋଡ଼ିକୁ କାଂସ୍ୟ, ପାରା କାନୋ ୫୦୦ ମିଟର ପୁରୁଷ କେଏଲ୍‌-୩ରେ ମନୀଷ କୌରବଙ୍କୁ ସ୍ବର୍ଣ୍ଣ, କେଏଲ୍‌-୨ରେ ସଂଜୀବ କୋଟିଆଙ୍କୁ କାଂସ୍ୟ, ମହିଳା କେଏଲ୍‌-୨ରେ ପ୍ରାଚୀ ଯାଦବଙ୍କୁ ସ୍ବର୍ଣ୍ଣ, ରଜନୀ ଝା’ଙ୍କୁ କାଂସ୍ୟ, ମହିଳା ଭିଏଲ୍‌-୩ରେ ସଙ୍ଗୀତା ରାଜପୁତଙ୍କୁ କାଂସ୍ୟ, ଭିଏଲ୍‌-୨ରେ ପ୍ରାଚୀ ଯାଦବଙ୍କୁ ସ୍ବର୍ଣ୍ଣ, ରଜନୀ ଝା’ଙ୍କୁ କାଂସ୍ୟ, ପୁରୁଷ ଭିଏଲ୍‌-୨ରେ ସଂଜୀବ କୋଟିୟାଙ୍କୁ ରୌପ୍ୟ, ଗଜେନ୍ଦ୍ର ସିଂହଙ୍କୁ କାଂସ୍ୟ ପଦକ ମିଳିଛି। ଓଡ଼ିଶା ପାଇଁ ଗୌରବ ଆଣିଥିବା ଏନ୍‌ଗାସେପମ୍‌ ଓ ରୋଜି ଦେବୀଙ୍କୁ ଓଡ଼ିଶା କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ ଦାଶ ଶୁଭେଚ୍ଛା ଜଣାଇଛନ୍ତି।