ଲଭପ୍ରୀତଙ୍କୁ କାଂସ୍ୟ: ପଦକ ପକ୍କା କଲେ ନିତୁ, ହୁସାମୁଦ୍ଦିନ

ପ୍ରିକ୍ବାର୍ଟରରେ ଜୋସ୍ନା-ହରିନ୍ଦର

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରୋତ୍ତୋଳନରେ ଭାରତୀୟ କ୍ରୀଡ଼ାତାରକା କମାଲ କରିଚାଲିଛନ୍ତି। ବୁଧବାର ପୁରୁଷ ୧୦୯ କିଲୋଗ୍ରାମ ବର୍ଗରେ ଲଭପ୍ରୀତ ସିଂହ କାଂସ୍ୟ ଜିତିଛନ୍ତି। ଫଳରେ ଭାରୋତ୍ତୋଳନରୁ ଭାରତର ପଦକ ସଂଖ୍ୟା ୮କୁ ବଢ଼ିଛି। ସେଥିମଧ୍ୟରେ ରହିଛି ୩ ସ୍ବର୍ଣ୍ଣ। ଆଜି ୨୪ ବର୍ଷୀୟ ପଞ୍ଜାବୀ ବୀର ଲଭପ୍ରୀତ ମୋଟ ୩୫୫ କିଲୋଗ୍ରାମ (ସ୍ନାଚ୍‌-୧୬୩ କିଲୋଗ୍ରାମ, କ୍ଲିନ୍ ଆଣ୍ଡ ଜର୍କ ୧୯୨ କିଲୋଗ୍ରାମ) ଭାର ଉଠାଇ ତୃତୀୟ ସ୍ଥାନରେ ରହିଥିଲେ। କ୍ଲିନ୍ ଆଣ୍ଡ ଜର୍କରେ ସେ ମଧ୍ୟ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। କାମେରୁନର ଜୁନିଅର ନ୍ୟାବେୟୁ (ମୋଟ ଉପରେ ୩୬୧ କିଲୋଗ୍ରାମ) ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ସାମୋଆର ଜ୍ୟାକ୍ ଓପେଲଗ (୩୫୮ କିଲୋଗ୍ରାମ) ରୌପ୍ୟ ପଦକ ହାସଲ କରିଥିଲେ। ସ୍ନାଚ୍‌ର ତିନିଟି ପ୍ରୟାସ ପରେ ଲଭପ୍ରୀତ ଦ୍ବିତୀୟ ସ୍ଥାନରେ ଥିଲେ। ତେବେ କ୍ଲିନ୍ ଆଣ୍ଡ ଜର୍କ ପରେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଅମୃତସର ବାସିନ୍ଦା ଲଭପ୍ରୀତଙ୍କ ପିତା ଜଣେ ଟେଲର ହୋଇଥିଲା ବେଳେ ବହୁ ଦୁଃଖକଷ୍ଟ ଦେଇ ସେ ଆଜି ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଦେଶ ପାଇଁ ମଧ୍ୟ ଗର୍ବ ଓ ଗୌରବ ଆଣିଛନ୍ତି। ଏହା ପୂର୍ବରୁ ସେ କନିଷ୍ଠ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତା‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ କୌଣସି ବରିଷ୍ଠସ୍ତରୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଥି‌ଲେ।

ଜୁଡୋ ଫାଇନାଲ୍‌ରେ ତୁଲିକା
ଚଳିତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଜୁଡୋରେ ଭାରତର ତୁଲିକା ମାନ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମହିଳା ୭୮ କିଲୋଗ୍ରାମରେ ଚାରିଥର ଜାତୀୟ ବିଜୟିନୀ ତୁଲିକା ବୁଧବାରର ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡର ସିଡ୍‌ନୀ ଆଣ୍ଡ୍ରିୟୁସଙ୍କୁ ମାତ୍ର ତିନି ମିନିଟ୍ ଭିତରେ ଧରାଶାୟୀ କରିଥିଲେ। ତା’ ସହ ଏହି ଖେଳରୁ ପଦକ ସୁନିଶ୍ଚିତ କରିଥିଲେ। ସ୍ବର୍ଣ୍ଣ ପଦକ ପାଇଁ ଫାଇନାଲ୍‌ରେ ସେ ଏବେ ସ୍କଟଲାଣ୍ଡର ସାରା ଆଦଲିଙ୍ଗଟନଙ୍କ ସହ ଲଢ଼ିବେ। ଅନ୍ୟତମ ଭାରତୀୟ ଦୀପକ ଦେଶୱାଲ ପୁରୁଷ ୧୦୦ କିଲୋଗ୍ରାମରେ ଫିଜିର ତେଭିତା ଟାକାୱାୟାଙ୍କଠାରୁ ହାରି ବିଦାୟ ନେଇଥିଲେ। ଏହା ପୂର୍ବରୁ ଜୁଡୋରୁ ଏଲ ସୁଶୀଳା ଦେବୀ ଏବଂ ବିଜୟ କୁମାର ମହିଳା ୪୮ କିଲୋଗ୍ରାମ ଓ ପୁରୁଷ ୬୦ କିଲୋଗ୍ରାମରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ପଦକ ପକ୍କା କଲେ ନିତୁ, ହୁସାମୁଦ୍ଦିନ
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇ ଭାରତୀୟ ମୁଷ୍ଟିଯୋଦ୍ଧା ନିତୁ ଗାଙ୍ଘାସ ଓ ମହମ୍ମଦ ହୁସାମୁଦ୍ଦିନ୍‌ ନିଜ ନିଜ ବର୍ଗର ସେମିଫାଇନାଲ୍‌ରେ ପହଞ୍ଚି ଭାରତ ପାଇଁ ଦୁଇଟି ପଦକ ପକ୍କା କରିଛନ୍ତି। ବୁଧବାର ମହିଳା ୪୮ କେଜି ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣ କରିଥିବା ୨୧ ବର୍ଷୀୟା ନିତୁ ନର୍ଦନ ଆୟର୍ଲାଣ୍ଡର ନିକୋଲ କ୍ଲାଇଡଙ୍କୁ ମାତ୍‌ ଦେଇଥିଲେ। ସେହିପରି ପୁରୁଷ ୫୭ କେଜି ବର୍ଗରେ ୨୮ ବର୍ଷୀୟ ହୁସାମୁଦ୍ଦିନ ୪-୧ରେ ନାମିବ୍ୟାର ଟ୍ରିୟାଗେନ୍‌ ମର୍ଣ୍ଣିଂ ଦେଭେଲୋଙ୍କୁ ହରାଇଥିଲେ। ମୁଷ୍ଟିଯୁଦ୍ଧ ନିୟମ ଅନୁଯାୟୀ ସେମିଫାଇନାଲ୍‌ ପରାଜୟ ଖେଳାଳିଙ୍କ ପାଇଁ କାଂସ୍ୟ ପଦକ ରହିଛି। ତେଣୁ ଉଭୟ ସେମିଫାଇନାଲ୍‌ରେ ପହଞ୍ଚିଥିବାରୁ ଅତିକମ୍‌ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି।

ପ୍ରିକ୍ବାର୍ଟରରେ ଜୋସ୍ନା-ହରିନ୍ଦର
ଭାରତୀୟ ଯୋଡ଼ି ଜୋସ୍ନା ଚିନାପ୍ପା ଓ ହରିନ୍ଦର ପାଲ ସିଂହ ସାନ୍ଧୁ ମିଶ୍ରିତ ଯୁଗଳ ସ୍କ୍ବାସର ପ୍ରି-କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଜୋସ୍ନା-ହରିନ୍ଦର ୮-୧୧, ୧୧-୪, ୧୧-୩ରେ ଶ୍ରୀଲଙ୍କାର ୟେହେନୀ କୁରୁପୁ ଓ ରବିନ୍ଦୁ ଲକସିରିଙ୍କୁ ପରାସ୍ତ କରି ଏହି ସଫଳତା ଲାଭ କରିଛନ୍ତି। ପ୍ରଥମ ସେଟ୍‌କୁ ହାରିବା ପରେ ପରବର୍ତ୍ତୀ ଦୁଇ ସେଟ୍‌କୁ ଲଗାତାର ଜିତି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଥିଲେ ଏହି ଭାରତୀୟ ଯୋଡ଼ି। ଏହା ପୂର୍ବରୁ ସୁନୟନା କୁରୁଭିଲ୍ଲା ଗୟନାର ଫଙ୍ଗ-ଏ-ଫାଟ୍‌ଙ୍କୁ ପଦକ ବିହୀନ ପ୍ଲେଟ୍ ଫାଇନାଲ୍‌ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌କୁ ସୁନୟନା ୧୧-୭, ୧୩-୧୧, ୧୧-୨ରେୁ ଜିତିଥିଲେ।

ସମ୍ବନ୍ଧିତ ଖବର