ପୁରୀ: ଜାତୀୟ ସ୍ତରୀୟ ବିଶ୍ବବିଦ୍ୟାଳୟ କୁସ୍ତି ପ୍ରତିଯୋଗିତାରେ ଓଡ଼ିଶାକୁ ଦୀର୍ଘ ୨୦ ବର୍ଷ ପରେ ପଦକ ଭେଟି ଦେଇଛନ୍ତି ଅଜିତ ଭୂୟାଁ। ହରିୟାଣାର ରୋହତକରେ ଏମ୍‌ଡିୟୁ କ୍ରୀଡ଼ା କମ୍ପ୍ଲେକ୍ସରେ ଚାଲିଥିବା କୁସ୍ତି ପ୍ରତିଯୋଗିତାରେ ସେ ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ବ କରି ୫୭ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ଗୋପୀନାଥ ଦେବ ଡିଗ୍ରି କଲେଜରେ ଅଧ୍ୟୟନ କରୁଥିବା ଅଜିତ ପୁରୀ ପଞ୍ଚମୁଖୀ ଜିମ୍ନାସିୟମରେ ପ୍ରଶିକ୍ଷଣ ନେଉଛନ୍ତି। ଅଜିତଙ୍କ ଏହି ସଫଳତା ପରେ ପୁରୀ କୁସ୍ତି ମହାସଂଘ ସଭାପତି ତଥା ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପଞ୍ଚମୁଖୀ ଜିମ୍ନାସିୟମର ସମ୍ପାଦକ ତଥା ଓଡ଼ିଶା କୁସ୍ତି ସଂଘ ଯୁଗ୍ମ ସମ୍ପାଦକ ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ଓଡ଼ିଶା କୁସ୍ତି ସଂଘ ସାଧାରଣ ସମ୍ପାଦକ କିଶୋର ବେହେରା, ସନ୍ତୋଷ କୁମାର ଦାସ, ଶ୍ରୀକୁମାର ରାୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜିମ୍ନାସିୟମ ପ୍ରତିଷ୍ଠାତା ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ଅଜିତଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍କଳ ବିଶ୍ବବିଦ୍ୟାଳୟକୁ କୃତଜ୍ଞତା ଜଣାଇଛନ୍ତି।