ଜାତୀୟ ଖୋଖୋରେ ଓଡ଼ିଶା ମହିଳାଙ୍କୁ କାଂସ୍ୟ

ଭୁବନେଶ୍ବର: ଜାତୀୟ ବରିଷ୍ଠ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ କାଂସ୍ୟ ପଦକ ଜିତିଛି। ସେମିଫାଇନାଲ୍‌ ମ୍ୟାଚ୍‌ରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ନିକଟରୁ ପରାସ୍ତ ହୋଇ ଓଡ଼ିଶା ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଏଥିପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ଦଳ ମଣିପୁର, ଆଇଟିବିପି, ମଧ୍ୟଭାରତ, ଗୁଜୁରାଟକୁ ହରାଇ ପ୍ରି-କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଥିଲା। ପ୍ରି-କ୍ବାର୍ଟରରେ ‌ପଶ୍ଚିମବଙ୍ଗକୁ ଓ କ୍ବାର୍ଟରରେ କର୍ଣ୍ଣାଟକକୁ ହରାଇ ଓଡ଼ିଶା ସେମି ଫାଇନାଲ୍‌ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ପୁରୁଷ ଦଳ ଲିଗ୍‌ ପର୍ଯ୍ୟାୟରେ ହରିଆଣା, ଏସ୍‌ଏସ୍‌ବି, ଚଣ୍ଡିଗଡ଼କୁ ହରାଇଥିଲା ବେଳେ ପଶ୍ଚିମବଙ୍ଗଠୁ ହାରିଯାଇଥିଲା। ପ୍ରି-କ୍ବାର୍ଟରଫାଇନାଲ୍‌ରେ ତାମିଲନାଡୁକୁ ହରାଇ ଦଳ କ୍ବାର୍ଟରଫାଇନାଲ୍‌କୁ ଯାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଶା ପୁରୁଷ ଦଳ କ୍ବାର୍ଟର ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ଏହି ପର୍ଯ୍ୟାୟରେ ଦଳ ମହାରାଷ୍ଟ୍ରଠୁ ହାରି ପଞ୍ଚମ ସ୍ଥାନରେ ରହିଥିଲା। ଓଡ଼ିଶା ଦଳ ସହିତ ରାଜେଶ ରୋଶନ ପ୍ରଧାନ ଓ ସଂଜୀବ ଶର୍ମା ପ୍ରଶିକ୍ଷକ ଭାବେ ଯାଇଥିବା ବେଳେ ଦେବୀପ୍ରସାଦ ଦାସ, ସବିଲା ଖାତୁନ୍‌ ପ୍ରବନ୍ଧକ, ଶୋଭେନ୍ କୁମାର ଫିଜିଓ ଭାବେ ଦଳ ସହିତ ଯାତ୍ରା କରିଥିଲେ। ସମସ୍ତ ଖେଳାଳିଙ୍କୁ ରାଜ୍ୟ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର