ଭାରତୀୟ ମିଶ୍ରିତ ରିଲେ ଦଳକୁ କାଂସ୍ୟ

ନାଇରୋବି: କେନିଆର ନାଇରୋବିଠାରେ ଖେଳାଯାଉଥିବା ବିଶ୍ବ ୨୦ ବର୍ଷରୁ କମ୍ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ମିଶ୍ରିତ ରିଲେ ଦଳ କାଂସ୍ୟ ପଦକ ଜିତିଛି। ୪ଗୁଣା୪୦୦ ମିଟର ମିଶ୍ରିତ ରିଲେରେ ଅବଦୁଲ ରଜାବ, ପ୍ରିୟା ମୋହନ, ସୁମ୍ମି ଓ କପିଲଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲ୍‌ରେ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ୩ ମିନିଟ୍‌ ୨୦.୬୦ ସେକେଣ୍ଡ ‌ସମୟରେ ରେସ୍‌ କରି ତୃତୀୟ ସ୍ଥାନରେ ରହିଥିଲା। ନାଇଜେରିଆ ୩ ମିନିଟ୍‌ ୧୯.୭୦ ସେକେଣ୍ଡ ନିଜର ଚାମ୍ପିଅନ୍ସିପ୍‌ କୀତ୍ତିମାନ ଭାଙ୍ଗିବା ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲା। ସେହିଭଳି ପୋଲାଣ୍ଡ (୩:୧୯.୭୦) ଚଳିତ ଋତୁର ଶ୍ରେଷ୍ଠ ସହ ରୌପ୍ୟ ପଦକ ଜିତିଥିଲା।

ଭାରତ ନିଜ ହିଟ୍‌ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଟିକେଟ୍‌ ହାସଲ କରିଥିଲା। ୩ ମିନିଟ୍ ୨୩.୩୬ ସେକେଣ୍ଡ ସମୟ ସହ ନୂଆ ଚାମ୍ପିଅନସିପ୍ କୀର୍ତ୍ତିମାନ ବି ସ୍ଥାପନ କରିଥିଲା। ଅବଶ୍ୟ ମାତ୍ର କିଛି ସମୟ ପରେ ନାଇଜେରିଆ ଦଳ ହିଟ୍-୨ରେ ଦୌଡ଼ି ୩ ମିନିଟ୍ ୨୧.୬୬ ସେକେଣ୍ଡ ସମୟ ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା। ଏହା ପୂର୍ବରୁ ସୀମା ଆନ୍ତିଲ (ଡିସକସ୍, ୨୦୦୨), ନଭଜୀତ କୌର ଢିଲୋଁ (ଡିସକସ୍, ୨୦୧୪), ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା (ଜାଭଲିନ୍, ୨୦୧୬) ଓ ହିମା ଦାସ (୪୦୦ ମିଟର, ୨୦୧୮) ପ୍ରମୁଖ ୨୦ ବର୍ଷରୁ କମ୍ ବିଶ୍ବ ଦୌଡ଼କୁଦରେ ପଦକ ଜିତି ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ସମ୍ବନ୍ଧିତ ଖବର