କୋଲ୍‌କାତା: ଇଂଲିସ୍ ବ୍ୟାଟର୍‌ ହାରି ବ୍ରୁକ୍‌ ଚଳିତ ଆଇପିଏଲ୍‌ର ପ୍ରଥମ ଶତକ ହାସଲ କରିଥିବା ବେଳେ ତାଙ୍କ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ୨୩ ରନ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଉଭୟ ଦଳ ନିଜ ନିଜ ଚତୁର୍ଥ ମ୍ୟାଚ୍‌ ଖେଳିଥିବା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ ଦ୍ବିତୀୟ ବିଜୟ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦ୍ବିତୀୟ ପରାଜୟ ବରଣ କରିଛି। ନୀତୀଶ ରାଣା ଓ ରିଙ୍କୁ ସିଂହ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ କୋଲ୍‌କାତା ଘରୋଇ ଇଡେନ୍ ଦର୍ଶକଙ୍କ ସମ୍ମୁଖରେ ବିଜୟୀ ହୋଇପାରିନାହିଁ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ହାରି ବ୍ରୁକ୍ ବିସ୍ଫୋରକ ଆରମ୍ଭ କରିଥିଲେ। ଦୁଇ ଭାରତୀୟ ବ୍ୟାଟର୍‌ ମୟଙ୍କ ଅଗ୍ରୱାଲ୍ ଓ ରାହୁଲ ତ୍ରିପାଠୀ ସମାନ ୯ ‌ରନ୍ ଲେଖାଏଁ କରି ଆନ୍ଦ୍ରେ ରସେଲଙ୍କ ଶିକାର ହୋଇଥିଲେ।

Advertisment

ବ୍ରୁକଙ୍କ ପାଇଁ ହାଇଦ୍ରାବାଦ ପ୍ରଥମ ୪ ଓଭରରୁ ୪୬ ରନ୍‌ ଆଦାୟ କରିବା ସହ ପାୱାର ପ୍ଲେ ଶେଷ ସୁଦ୍ଧା ୬୫ ରନ୍ ଆଦାୟ କରିଥିଲା। ଅଧିନାୟକ ଏଦୈନ ମାରକ୍ରମ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବାରୁ ସନରାଇଜର୍ସ ୧୧ ଓଭରରୁ ୧୦୦ ରନ୍ ସଂଗ୍ରହ କରି ନେଇଥିଲା। ମାରକ୍ରମଙ୍କ ବିଦାୟ ପରେ ଅଭିଷେକ ଶର୍ମା ମଧ୍ୟ ଦ୍ରୁତ ଖେଳି ୧୭ ବଲ୍‌ରୁ ୩୨ ରନ୍‌ କରି ରସେଲଙ୍କ ତୃତୀୟ ଶିକାର ହୋଇଥିଲେ। ବ୍ରୁକ୍ କିନ୍ତୁ ୩୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ ପରେ ପରବର୍ତୀ ୫୦ ରନ୍‌ ପାଇଁ ମାତ୍ର ୨୩ ବଲ୍‌ ଖେଳିଥିଲେ। ଟ୍ବେଣ୍ଟି-୨୦ ଫର୍ମାଟରେ ଏହା ତାଙ୍କ ପ୍ରଥମ ଶତକ ହୋଇଥିବା ବେଳେ ଆଇପିଏଲ୍‌ରେ ପ୍ରଥମ ଥର ତିନି ଅଙ୍କ ଛୁଇଁଥିଲେ। ଏଥି ସହ ଚେନ୍ନାଇର ୨୧୭ ରନ୍‌କୁ ପଛରେ ପକାଇ ହାଇଦ୍ରାବାଦ ଚଳିତ ସଂସ୍କରଣରେ ସର୍ବାଧିକ ଦଳଗତ ସ୍କୋର୍‌ ୨୨୮ ରନ୍‌ କରି ନେଇଥିଲା। ରସେଲ୍‌ ୨.୧ ଓଭର ବୋଲିଂ କରିଥିବା ବେଳେ ଆହତ ହେବାରୁ ଅବଶିଷ୍ଟ ୫ ବଲ୍‌ ପାଇଁ ଆସିଥିବା ଶାର୍ଦୁଳ ଠାକୁର ଏହି ଆଂଶିକ ଓଭରରେ ୧୪ ରନ୍‌ ବ୍ୟୟ କରିଥିଲେ। ରସେଲ କିନ୍ତୁ ସଫଳ ବୋଲର ଭାବେ ସର୍ବାଧିକ ୩ ୱିକେଟ୍ ନେଇଥିଲେ।

ଜବାବରେ କୋଲ୍‌କାତା ନାଇଟ୍ ରାଇଡର୍ସ ପ୍ରଥମ ଓଭରରେ ରହମନୁଲ୍ଲା ଗୁରବାଜଙ୍କୁ ହରାଇଥିଲା। ଇମ୍ପାକ୍ଟ ପ୍ଲେୟାର୍‌ ଭେଙ୍କଟେଶ ଆୟର୍‌ଙ୍କ ସହ ଦୁଇ ୱେଷ୍ଟଇଣ୍ଡିଜ୍ ଅଲ୍‌ରାଉଣ୍ଡର୍‌ ସୁନିଲ ନାରାୟଣ, ଆନ୍ଦ୍ରେ ରସେଲ ଆଉଟ୍ ହୋଇଯିବା କୋଲ୍‌କାତା ନାଇଟ୍ ରାଇଡର୍ସକୁ ଚାପରେ ପକାଇଥିଲା। ଅଧିନାୟକ ନୀତୀଶ ରାଣା କିନ୍ତୁ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ସହ ରିଙ୍କୁ ସିଂହଙ୍କୁ ସାଥି କରି ୩୮ ବଲ୍‌ରୁ ୬୯ ରନ୍‌ ଯୋଡ଼ିଥିଲେ। ୪୧ ବଲ୍‌ରୁ ୭୫ ରନ୍‌ କରିଥିବା ବେଳେ ନଟରାଜନଙ୍କ ୱାଇଡ୍‌ ଫୁଲଟସ୍‌ ବଲ୍‌ରେ ୱାସିଂଟନ୍ ସୁନ୍ଦରଙ୍କ ହାତରେ ଡିପ୍‌ କଭରରେ ଧରା ପଡ଼ିଯାଇଥିଲେ। ପାଳିର ପ୍ରାରମ୍ଭିକ ବ୍ୟାଟିଂ ବେଳେ ଉମ୍ରାନ ମଲ୍ଲିକଙ୍କ ଓଭରର ପ୍ରତି ବଲ୍‌କୁ ବାଉଣ୍ଡରି‌‌ ସେପାଖକୁ ପଠାଇ ନୀତୀଶ ରାଣା (୪, ୬, ୪, ୪, ୪, ୬) ୨୮ ରନ୍ ଆଦାୟ କରିବା ତାଙ୍କ ପାଳିର ମୁଖ୍ୟାଂଶ ଥିଲା। ଗତ ମ୍ୟାଚ୍‌ରେ ଶେଷ ଓଭରରୁ ୫ ଛକା ମାରି ଦଳକୁ ଜିତାଇଥିବା ରିଙ୍କୁ ସିଂହ ଏଥର ମଧ୍ୟ ୨୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଚମକ ଜାରି ରଖିଥିଲେ। କିନ୍ତୁ ଶେଷ ଓଭରରୁ ୩୨ ରନ୍‌ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଉମ୍ରାନ ମଲ୍ଲିକ ତାହା କରାଇ ଦେଇନଥିଲେ।