ଭାଇ ବନାମ ଭାଇ: ଏକଦିବସୀୟ କ୍ରିକେଟ୍‌ରେ ଯେତେବେଳେ ଦୁଇ ଯୋଡ଼ା‌ ଭାଇ ମୁହାଁମୁହିଁ ହୋଇଥିଲେ

ପୁଣେ : ଅନିଶ୍ଚିତତାର ଖେଳ କ୍ରିକେଟ୍‌ରେ କେବେ କେବେ କିଛି ଅପ୍ରତ୍ୟାଶିତ ଓ ଅସାଧାରଣ ଘଟଣା ଘଟିଥାଏ। ଯାହା କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ଅଭୁଲା ଛାପ ଛାଡ଼ିଥାଏ। ଚଳିତ ବର୍ଷର ଭାରତ-ଇଂଲଣ୍ଡ ପ୍ରଥମ ଅନ୍ତର୍ଜାତୀୟ ଏକଦିବସୀୟ ମୁକାବିଲା ଅବସରରେ ଏମିତି ଏକ ଅବିସ୍ମରଣୀୟ ଘଟଣା ଘଟିଥିଲା। ଏହି ମ୍ୟାଚ୍‌ରେ ଉଭୟ ଦଳରେ ଦୁଇ ଯୋଡ଼ା ଭାଇ ପରସ୍ପରର ମୁହାଁମୁହିଁ ହୋଇଥିଲେ। ତେବେ କ୍ରିକେଟ୍ ଇତିହାସର ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ଏଭଳି ଘଟଣା ଏକାଧିକବାର ଘଟିଛି।

ହାର୍ଦିକ-କ୍ରୁନାଲ ପାଣ୍ଡ୍ୟା: ସାମ୍-ଟମ୍ କରନ୍
ମାର୍ଚ ୨୩, ୨୦୨୧ରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ଭାରତୀୟ ଦଳରେ ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ଥିଲା ବେଳେ ଇଂଲଣ୍ଡ ଏକାଦଶରେ ସ୍ଥାନ ପାଇଥିଲେ ସାମ୍ ଓ ଟମ୍ କରନ। ନିଜ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିବା ୩୦ ବର୍ଷୀୟ କ୍ରୁନାଲ ଓ ୨୭ ବର୍ଷୀୟ ହାର୍ଦିକ ଯଥାକ୍ରମେ ସପ୍ତମ ଓ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିଥିଲେ। ସେପଟେ ୨୬ ବର୍ଷୀୟ ଟମ୍ ଓ ୨୨ ବର୍ଷୀୟ ସାମ୍ ନବମ ଓ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିଥିଲେ। ସାମ୍ ୧୨ ରନ୍ କରିଥିଲା ବେଳେ ଟମ୍ ୧୧ ରନ୍ କରିଥିଲେ। ଦୁଇ ଜଣ ଯାକ ୨୦ ଓଭର ବୋଲିଂ କରି ୧୧୧ ରନ୍ ବ୍ୟୟ କରି କୌଣସି ୱିକେଟ୍ ପାଇ ନଥିଲେ। ପାଣ୍ଡ୍ୟା ଭାଇଙ୍କ ଭିତରୁ କେବଳ କ୍ରୁନାଲ ୧୦ ଓଭର ବୋଲିଂ କରି ୫୯ ରନ୍ ବିନିମୟରେ ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ।

ସୁରିନ୍ଦର-ମହିନ୍ଦର ଅମରନାଥ: ସାଦିକ-ମୁସ୍ତାକ ମହମ୍ମଦ
୧୯୭୮ ମସିହା ଅକ୍ଟୋବର ୧୩ ତାରିଖରେ ପାକିସ୍ତାନର ଶିଆଲକୋଟଠାରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ମହାନ କ୍ରିକେଟର୍‌ ଲାଲା ଅମରନାଥଙ୍କ ଦୁଇ ସୁଯୋଗ୍ୟ ସନ୍ତାନ ସୁରିନ୍ଦର ଓ ମହିନ୍ଦର ଅମରନାଥଙ୍କ ସହ ପାକିସ୍ତାନ ଦଳରେ ଦୁଇ ଭାଇ ସାଦିକ ଓ ମୁସ୍ତାକ ମହମ୍ମଦ ମଧ୍ୟ ସ୍ଥାନ ପାଇଥିଲେ। ମୁସ୍ତାକ ପାକିସ୍ତାନର ଅଧିନାୟକ ଥିଲେ। ଏହି ମ୍ୟାଚ୍‌ରେ ସୁରିନ୍ଦର ମାତ୍ର ୧ ରନ୍‌ରେ ରନ୍‌ଆଉଟ୍ ହୋଇଥିଲା ବେଳେ ପଞ୍ଚମ ସ୍ଥାନରେ ଖେଳିଥିବା ମହିନ୍ଦର ଭାରତ ପକ୍ଷରୁ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୪ ରନ୍ କରିଥିଲେ। ଭାରତ କେବଳ ୩୪.୨ ଓଭର ଖେଳି ୭୯ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା।

ସେପଟେ ପାକିସ୍ତାନ ପାଇଁ ସାଦିକ ପାଳି ଆରମ୍ଭ କରି କପିଳ ଦେବଙ୍କ ଦ୍ବାରା ୧ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ପାକିସ୍ତାନ ମାତ୍ର ୧୬.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେବା ପରେ ମୁସ୍ତାକଙ୍କୁ ବ୍ୟାଟିଂ କରିବାକୁ ପଡ଼ିନଥିଲା।

ମାର୍କ-ଷ୍ଟିଭ୍ ୱ’: ଆଣ୍ଡି-ଗ୍ରାଣ୍ଟ୍‌ ଫ୍ଲାୱାର
ଅଷ୍ଟ୍ରେଲିଆର ଯାଆଁଳା ଭାଇ ମାର୍କ ଓ ଷ୍ଟିଭ୍ ୱ ନିଜ ଦେଶକୁ ଏକ କ୍ରିକେଟ୍‌ ମହାଶକ୍ତିରେ ପରିଣତ କରାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ବଡ଼ ଭାଇ ଷ୍ଟିଭ୍ ଜଣେ ମଧ୍ୟମଗତି ବୋଲର ଭାବେ ଖେଳ ଜୀବନ ଆରମ୍ଭ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ନିଜକୁ ଜଣେ ସଫଳ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାପିତ କରିପାରିଥିଲେ। ମାର୍କ ଅଧିକାଂଶ ସମୟରେ ପାଳି ଆରମ୍ଭ କରିବା ସହ କେବେ କେବେ ସ୍ପିନ୍ ବୋଲିଂ କରୁଥିଲେ। ଷ୍ଟିଭ୍‌ଙ୍କ ଅଧିନାୟକତ୍ବରେ ଅଷ୍ଟ୍ରେଲିଆ ୧୯୯୯ରେ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଜିତିଥିଲା।

ଏହି ପ୍ରସିଦ୍ଧ ୱ’ ଭାଇ ଜିମ୍ବା‌ୱେର ଦୁଇ ସଫଳ କ୍ରିକେଟର୍‌ ଆଣ୍ଡି ଓ ଗ୍ରାଣ୍ଟ ଫ୍ଲାୱାରଙ୍କ ବିପକ୍ଷରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଦଶଟି ମ୍ୟାଚ୍ ଖେଳିଛନ୍ତି। ଆଣ୍ଡି ଜଣେ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଥିଲା ବେଳେ ସାନ ଭାଇ ଗ୍ରାଣ୍ଟ ଜଣେ ଶୀର୍ଷକ୍ରମ ବ୍ୟା‌ଟର୍‌ ଥିଲେ। ସେ ମଧ୍ୟ କେବେ କେବେ ବାମହାତୀ ପାରମ୍ପରିକ ସ୍ପିନ୍ ବୋଲିଂ କରୁଥିଲେ।

କାମରନ୍-ଉମର ଆକମଲ: ମାଇକ୍-ଡେଭିଡ୍ ହସି
ଅଷ୍ଟ୍ରେଲିଆର ହସି ଭ୍ରାତା ମାଇକ୍ ଓ ଡେଭିଡ୍ ୟୁଏଇରେ ଲଗାତାର ଦୁଇଟି ମ୍ୟାଚ୍‌ରେ ପାକିସ୍ତାନର କାମରନ୍ ଓ ଉମର ଆକମଲଙ୍କ ବିରୋଧରେ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହି ଦୁଇ ମ୍ୟାଚ୍ ୨୦୧୨ ମସିହା ଅଗଷ୍ଟ ୨୮ ଓ ୩୧ ତାରିଖରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୪ ୱିକେଟ୍‌ରେ ଜିତି ନେଇଥିଲା। ସେହିଭଳି ଦ୍ବିତୀୟ ମୁକାବିଲାରେ ପାକିସ୍ତାନ ୭ ୱିକେଟ୍‌ରେ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଉମର ୫୨ ଓ କାମରନ୍ ୪ ରନ୍ କରିଥିଲେ।

ଅନ୍ୟପକ୍ଷରେ ମାଇକ୍ ଓ ଡେଭିଡ୍ ଯଥାକ୍ରମେ ୫ ଓ ୩ ରନ୍ କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ମାଇକ୍ ୬୧ ରନ୍ କରିଥିଲା ବେଳେ ଡେଭିଡ୍ ଖାତା ଖୋଲି ପାରିନଥିଲେ। ପାକିସ୍ତାନର ସହଜ ବିଜୟ ପରେ ଆକମଲ୍‌ ଭାଇଙ୍କୁ ଏହି ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ପଡ଼ିନଥିଲା। ମାଇକ୍ ଜଣେ ବାମହାତୀ ବ୍ୟାଟର୍‌ ଓ ଡାହାଣହାତୀ ମଧ୍ୟମଗତି ବୋଲର ଥିଲେ। ଅନ୍ୟପକ୍ଷରେ ଡେଭିଡ୍ ଡାହାଣହାତୀ ବ୍ୟାଟିଂ କରୁଥିଲା ବେଳେ ଡାହାଣହାତୀ ଅଫ୍ ସ୍ପିନ୍ ବୋଲିଂ କରୁଥିଲେ। ଦୁଇ ଆକମଲ୍ ଭାଇ ୱିକେଟ୍ ରକ୍ଷଣ କରୁଥିଲେ। ଉଭୟ ଡାହାଣହାତୀ ବ୍ୟାଟିଂ କରୁଥିଲେ।

ଆଇପିଏଲ୍‌ ଭାଇଙ୍କ ତାଲିକା ବି ଲମ୍ବା
ମୁମ୍ବାଇ, ୧୮ା୪: ଅନ୍ତର୍ଜାତୀୟ କ୍ରିକେଟ୍ ଭଳି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍‌ରେ ମଧ୍ୟ ଦୁଇ ଭାଇ ଗୋଟିଏ ଦଳ କିମ୍ବା ଗୋଟିଏ ସଂସ୍କରଣ‌ରେ ଭିନ୍ନ ଭିନ୍ନ ଦଳ ପକ୍ଷରୁ ଖେଳିବାର ଲମ୍ବା ତାଲିକା ରହିଛି। ପାଣ୍ଡ୍ୟା ଭାଇ ହାର୍ଦିକ ଓ କ୍ରୁନାଲ କିନ୍ତୁ ସେହି ସୌଭାଗ୍ୟଶାଳୀ ଭାଇ, ଯିଏ ଗୋଟିଏ ଦଳରୁ ଆଇପିଏଲ୍ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଦୁଇ ଜଣ ଯାକ ସଫଳତମ ଦଳ ତଥା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିନିଧିତ୍ବ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇର୍ଫାନ ପଠାନ-ୟୁସୁଫ ପଠାନ, ଦକ୍ଷିଣ ଆଫ୍ରିକାର ଆଲବି ଓ ମର୍ଣ୍ଣି ମୋର୍କେଲ, ୱେଷ୍ଟଇଣ୍ଡିଜ୍‌ର ଡ୍ବେନ୍ ଓ ଡାରେନ୍ ବ୍ରାଭୋ, ଅଷ୍ଟ୍ରେଲିଆର ଡେଭିଡ୍ ଓ ମାଇକ୍ ହସି , ନ୍ୟୁଜିଲାଣ୍ଡର ବ୍ରେଣ୍ଡନ୍-ନାଥନ ମ୍ୟାକଲମ୍, ଅଷ୍ଟ୍ରେଲିଆର ସନ୍ ଓ ମିଚେଲ ମାର୍ସ ଏବଂ ଇଂଲଣ୍ଡର ଟମ୍ ଓ ସାମ୍‌ କରନ ଆଇପିଏଲ୍ ଖେଳିଥିବା ଦୁଇ ଭାଇଙ୍କ ମଧ୍ୟରୁ ଅନ୍ୟତମ। ସେହିଭଳି ସଂପର୍କିୟ ଭାଇ ଦୀପକ ଓ ରାହୁଲ ଚହର ମଧ୍ୟ ଆଇପିଏଲ୍‌ରେ ନିଜ ନିଜର ଯାଦୁ ଦେଖାଇ ସାରିଛନ୍ତି।

ସମ୍ବନ୍ଧିତ ଖବର