ଭୁବନେଶ୍ୱର: ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଓଡ଼ିଶା ପରିମଣ୍ଡଳ ଭୁବନେଶ୍ୱର ଅନୁକୂଲ୍ୟରେ ଆୟୋଜିତ ଅଷ୍ଟାଦଶ ସର୍ବଭାରତୀୟ ବିଏସ୍ଏନ୍ଏଲ୍ କ୍ରିକେଟ୍ ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ରେ ହରିଆନାକୁ ୪୪ ରନ୍ରେ ପରାସ୍ତ କରି ଓଡ଼ିଶା ବିଜେତା ହେବାର ଗୌରବ ପାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪ ୱିକେଟ୍ ବିନିମୟରେ ୧୭୯ ରନ୍ କରିଥିଲା। ନିରଞ୍ଜନ ବେହେରା ୬୭, ବିବିସିସି ମହାପାତ୍ର ୩୧, ବିକାଶ ପତି ୨୮ ଓ ଟୁକୁନା ସାହୁ ୨୧ ରନ୍ କରିଥିଲେ। ଜବାବରେ ହରିଆନା ୨୦ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୧୩୫ ରନ୍ କରିପାରିଥିଲା। ସୁମିତ ଶର୍ମା ୪୨ ରନ୍ କରିଥିଲା ବେଳେ ଓଡ଼ିଶା ପକ୍ଷରୁ ଟୁକୁନା ସାହୁ ୪ ଏବଂ ନିରଞ୍ଜନ ବେହେରା ଓ ସଂଜୟ ଶତପଥୀ ୨ ଲେଖାଏଁ ୱିକେଟ୍ ନେଇଥିଲେ। ନିରଞ୍ଜନ ବେହେରା ଫାଇନାଲ୍ର ଶ୍ରେଷ୍ଠ, ଟୁକୁନା ସାହୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଏବଂ ରୋହିତ ମେହେରା ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। ଏହି ସଫଳତା ଲାଗି ଓଡ଼ିଶା ଦଳର ୬ ଜଣ ଖେଳାଳି ବିଏସ୍ଏନ୍ଏଲ୍ ଜାତୀୟ ଦଳ ଲାଗି ଚୟନ ହୋଇଛନ୍ତି।
ଉଦ୍ଯାପନୀ ଉତ୍ସବରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କଳା, ବିଏସ୍ଏନ୍ଏଲ୍ର ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାଏକ, ପ୍ରଧାନ ମହାପ୍ରବନ୍ଧକ ଉଦୟ ଶଙ୍କର ପଣ୍ଡା, ଏସ୍କେ ସିହ୍ନା, ମୁଖ୍ୟ ରେଫରି ଭି ସତୀଶ ଏବଂ ଲଲନ୍ ସାହା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସୁଧାଂଶୁ ଶେଖର ମିଶ୍ର, ଏକେ ସିଂହସାମନ୍ତ, ସରୋଜ କୁମାର ବଳ, ଦେବେନ୍ଦ୍ର ଚନ୍ଦ୍ର ପ୍ରଧାନ, ଯୋଗେନ୍ଦ୍ରନାଥ ବେହେରା, ନାରାୟଣ ମୁଦୁଲି, ବିଭୁତି ଭୂଷଣ ନାୟକ, ନୃସିଂହ ଚରଣ ଦାସ, ମନୋଜ କୁମାର ଷଢଙ୍ଗୀ, ପିକେ ସାହୁ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ।