ଭବନେଶ୍ୱର: ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଓଡ଼ିଶା ପରିମଣ୍ଡଳ ଭୁବନେଶ୍ୱର ଅନୁକୂଲ୍ୟରେ ଅଷ୍ଟାଦଶ ସର୍ବଭାରତୀୟ ବିଏସ୍ଏନ୍ଏଲ୍ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାର ଭୁବନେଶ୍ବରର ୮ଟି ଷ୍ଟାଡିୟମରେ ଆରମ୍ଭ ହୋଇଛି। ରେଳବାଇ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ଓଡ଼ିଶା ୧୭୨ ରନ୍ରେ ଛତିଶଗଡ଼କୁ ପରାସ୍ତ କରିଥିଲା। ଟୁକୁନା ସାହୁ (୧୦୦*)ଙ୍କ ଶତକ ଏବଂ ନିରଞ୍ଜନ ବେହେରା (୬୪*)ଙ୍କ ଅର୍ଧଶତକ ବଳରେ ଓଡ଼ିଶା ନିର୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ବିବିସିସି ମହାପାତ୍ର ୨୨ ଓ ପ୍ରିୟବ୍ରତ ପ୍ରଧାନ ୧୬ ରନ୍ କରି ଆଉଟ୍ ହୋଇଥିଲେ। ଜବାବରେ ଛତିଶଗଡ଼ ମାତ୍ର ୩୯ ରନ୍ କରିପାରିଥିଲା। ଓଡ଼ିଶା ପକ୍ଷରୁ ସୁରେନ୍ଦ୍ର କୁମାର ନାୟକ ୩, ବିବିସିସି ମହାପାତ୍ର ୨ ଏବଂ ସୁଜନ ମହାନ୍ତି, ଟୁକୁନା ସାହୁ, ନିରଞ୍ଜନ ବେହେରା ଓ ବି ମିନା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅନ୍ୟ ମ୍ୟାଚ୍ଗୁଡ଼ିକରେ ଉତ୍ତର ପ୍ରଦେଶ ୯୧ ରନ୍ରେ ହିମାଚଳ ପ୍ରଦେଶକୁ, ହରିଆଣା ୬୧ ରନ୍ରେ ଉତ୍ତରାଞ୍ଚଳକୁ, ଗୁଜୁରାଟ ୮ ରନ୍ରେ କର୍ଣ୍ଣାଟକକୁ , ଉତ୍ତର ପ୍ରଦେଶ (ପୂର୍ବ) ୬ ୱିକେଟ୍ରେ ଆସାମକୁ, ଏନ୍ଟିଆର୍ ୧୦ ରନ୍ରେ ବିହାରକୁ , ମଧ୍ୟପ୍ରଦେଶ ୯୭ ରନ୍ରେ ଆନ୍ଧ୍ରପ୍ରଦେଶକୁ ହରାଇଥିଲା। ଏହି ପ୍ରତିଯୋଗିତାରେ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ର ୧୬ ରାଜ୍ୟରୁ କ୍ରିକେଟ୍ ଦଳଗୁଡ଼ିକ ଯୋଗ ଦେଇଛନ୍ତି। ପ୍ରତିଯୋଗିତା ୮ ତାରିଖରେ ଉଦ୍ଯାପିତ ହେବ।
ସ୍ଥାନୀୟ ରେଳବାଇ ଷ୍ଟାଡିୟମରେ ଓଡ଼ିଶା ଦୂରସଂଚାର ପରିମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ପୁଲିସ ମହାନିର୍ଦେଶକ ଡଃ. ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନ ମହାପ୍ରବଂଧକ ଡଃ. ଉଦୟ ଶଙ୍କର ପଣ୍ଡା, ଅଭିନ୍ନ କୁମାର ପହି, ମହାପ୍ରବନ୍ଧକ ପି.କେ ମହାପାତ୍ର, ମୁଖ୍ୟ ରେଫରି ଭି. ସତିଶ, ବିଏସ୍ଏନ୍ଏଲ୍ ରାଷ୍ଟ୍ରୀୟ ପ୍ରତିନିଧି ଲଲନ ସାହା ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ।
ସର୍ବଭାରତୀୟ ବିଏସ୍ଏନ୍ଏଲ୍ କ୍ରିକେଟ୍ ଉଦ୍ଘାଟିତ:ଛତିଶଗଡ଼କୁ ୧୭୨ ରନ୍ରେ ହରାଇଲା ଓଡ଼ିଶା
/sambad/media/post_attachments/wp-content/uploads/2018/12/BSNL_Logo_svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)