ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୨୦୦୮ ସିଡ୍ନି ଟେଷ୍ଟ୍ ଦୁଇଟି କାରଣ ପାଇଁ ନିନ୍ଦିତ ରହିଥିଲା। ଗୋଟିଏ ହେଲା ମଙ୍କିଗେଟ୍ ସ୍କାଣ୍ଡାଲ ଏବଂ ଅନ୍ୟଟି ହେଲା ଅମ୍ପାୟାରିଂ ତ୍ରୁଟି। ପୂର୍ବତନ ଆଇସିସି ଅମ୍ପାୟାର ଷ୍ଟିଭ୍ ବକ୍ନର ଏଭଳି ଦୁଇଟି ଭୁଲ୍ ନିଷ୍ପତ୍ତି ନେଇଥିଲେ ଯାହାକି ଭାରତୀୟ ଦଳକୁ କ୍ଷତି ପହଞ୍ଚାଇଥିଲା। ସେଭଳି ବିବାଦୀୟ ଘଟଣାର ୧୨ ବର୍ଷ ପରେ ଏବେ ସେହି ଦୁଇଟି ତ୍ରୁଟିକୁ ସ୍ବୀକାର କରିଛନ୍ତି ବକ୍ନର। ଏପରିକି ଦୁଇଟି ତ୍ରୁଟିର ଅବତାରଣା କରି ଏବେ ବି ତାହା ମୋ ମନକୁ ଆନ୍ଦୋଳିତ କରୁଛି ଏବଂ ହନ୍ତସନ୍ତ ମଧ୍ୟ କରୁଥିବା କହିଛନ୍ତି ବକ୍ନର। ସିଡ୍ନି ଟେଷ୍ଟ୍ରେ ମୁଁ ଦୁଇଟି ଭୁଲ୍ ନିଷ୍ପତ୍ତି ଦେଇଥିଲି। ପ୍ରଥମ ଭୁଲ୍ଟି ହେଲା ଯେତେବେଳେ ଭାରତ ଚମତ୍କାର କରୁଥିଲା ସେତେବେଳେ ଜଣେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ଶତକ ହାସଲ ପାଇଁ ଅନୁମତି ଦେବ। ଆଉ ଦ୍ବିତୀୟ ଭୁଲ୍ ଥିଲା ପଞ୍ଚମ ଦିବସରେ ଯାହାକି ଭାରତକୁ ପରାସ୍ତ ହେବାକୁ ପଡ଼ିଲା।
ହେଲେ ୫ ଦିନ ମଧ୍ୟରେ ସେହି ଦୁଇଟି ଭୁଲ୍ ହିଁ କରିଥିଲି। ମୁଁ କ’ଣ ଏକମାତ୍ର ଅମ୍ପାୟାର ଭାବେ ଗୋଟିଏ ଟେଷ୍ଟ୍ରେ ଦୁଇଟି ଭୁଲ୍ ନିଷ୍ପତ୍ତି ନେଇଥିଲି ବୋଲି ବକ୍ନର ଭାବୁଥିଲା ବେଳେ ସେହି ଘଟଣା ଏବେ ବି ମୋତେ ହନ୍ତସନ୍ତ କରୁଛି ବୋଲି ‘ମିଡ୍ଡେ’କୁ କହିଛନ୍ତି। ଦୁଇ ଦଶନ୍ଧୀ ଧରି ଜଣେ ଆନ୍ତର୍ଜାତିକ ଅମ୍ପାୟାର ଥିବା ବକ୍ନର ମ୍ୟାଚ୍ ଶେଷରେ ତାଙ୍କ ଭୁଲ୍ ନିଷ୍ପତ୍ତି ନେଇ ସ୍ପଷ୍ଟୀକରଣ ଦେଇଥିଲେ। ସେ ଭୁଲ୍ କରିଛନ୍ତି; ହେଲେ ମଣିଷ ଭାବରେ ତାକୁ ଧରିବା କଷ୍ଟକର ବୋଲି କହିଛନ୍ତି। ଅବଶ୍ୟ ମୁଁ ନିଜକୁ କ୍ଷମା ଦେଉନି, ହେଲେ ଏଭଳି ସମୟ ଅଛି ଯେତେବେଳେ ପବନର ଗତି ପିଚ୍ ଉପରେ ଅଧିକ ଥାଏ ସେତେବେଳେ ବ୍ୟାଟ୍ରେ ବଲ୍ ବାଜିବାର ଶବ୍ଦ ଶୁଣାଯାଏ ନାହିଁ। କେବଳ ଭାଷ୍ୟକାରମାନେ ହିଁ ଷ୍ଟମ୍ପ୍ ମାଇକ୍ରୋଫେନ୍ରୁ ଶବ୍ଦ ଶୁଣିପାରନ୍ତି। ମାତ୍ର ଅମ୍ପାୟାର ଏନେଇ ନିଶ୍ଚିତ ହୋଇପାରନ୍ତିନି। ତଥାପି ତୁମେ କାହିଁକି ତ୍ରୁଟି କରିଛ ତାହା ଜାଣିବା ନିହାତି ଦରକାର ଏବଂ ସମାନ ଭୁଲ୍ ପୁନର୍ବାର ନକରିବା ଉଚିତ ବୋଲଇ ବକ୍ନର କହିଛନ୍ତି। ଅବଶ୍ୟ ଏହି ମ୍ୟାଚ୍ ପରେ ଅମ୍ପାୟାରିଂ ତ୍ରୁଟି ପାଇଁ ଭାରତୀୟ ଦଳ ବକ୍ନର ଏବଂ ବେନ୍ସନ୍ଙ୍କ ବିରୋଧରେ ଅଭିଯୋଗ ବାଢ଼ିଥିଲେ। ଆଉ ସେହି ଅଭିଯୋଗ ପାଇଁ ଉଭୟ ଅମ୍ପାୟାର ମଧ୍ୟ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। ପରବର୍ତୀ ପର୍ଥ ଟେଷ୍ଟ୍ରୁ ଏହି ଦୁଇ ଅମ୍ପାୟାର ତଡ଼ା ଖାଇବା ପରେ ଭାରତ ସେହି ଟେଷ୍ଟ୍କୁ ୭୨ ରନ୍ରେ ଜିତିନେଇଥିଲା ବେଳେ ଆଡିଡେଲ୍ ଟେଷ୍ଟ୍କୁ ଅମୀଂମାସିତ ରଖିଥିଲା। ତଥାପି ଅଷ୍ଟ୍ରେଲିଆ ୨-୧ରେ ଶୃଙ୍ଖଳା ବିଜୟୀ ହୋଇଥିଲା।
ସିଡ୍ନିରେ ଖେଳାଯାଇଥିବା ସେହି ଟେଷ୍ଟ୍କୁ ବକ୍ନରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଘରୋଇ ଅଷ୍ଟ୍ରେଲିଆ ବିବାଦୀୟ ଢଙ୍ଗରେ ଜିତି ନେଇଥିଲେ। ଯାହାକି ଅଷ୍ଟ୍ରେଲିଆକୁ ମଧ୍ୟ ବର୍ଡର-ଗାଭାସ୍କର ଶୃଙ୍ଖଳା ଜିତିବାର ସୁଯୋଗ ଦେଇଥିଲା। ଷ୍ଟିଭ୍ ବକ୍ନର ଏବଂ ମାର୍କ ବେନ୍ସନ୍ ସେହି ଟେଷ୍ଟ୍କୁ ପରିଚାଳନା କରୁଥିଲେ। ହେଲେ ଅମ୍ପାୟାରଙ୍କ ତ୍ରୁଟି ଭାରତ ବିପକ୍ଷରେ ଯାଇଥିଲା। ଫଳରେ ପ୍ରଥମ ପାଳି ପଛରେ ରହିବା ସତ୍ତ୍ବେ ଭ୍ରମଣକାରୀ ଦଳ ୧୨୨ ରନ୍ରେ ମ୍ୟାଚ୍ ଜିତି ନେଇଥିଲା। ଅମ୍ପାୟାର ତ୍ରୁଟି ପ୍ରସଙ୍ଗ ବ୍ୟତୀତ ମଙ୍ଗିଗେଟ୍ ଘଟଣା ମଧ୍ୟ ଅନ୍ୟ ଏକ ନିନ୍ଦିତ ପ୍ରସଙ୍ଗ ଥିଲା। ଆଣ୍ଡରୁ ସାଇମଣ୍ଡ୍ସ ଏବଂ ହରଭଜନ ସିଂହଙ୍କ ମଧ୍ୟରେ ହାତହାତି ଭଳି ଘଟଣା ସେହି ମ୍ୟାଚ୍ର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିଲା। ଭାରତୀୟ ଅଫ୍ ସ୍ପିନର ହରଭଜନଙ୍କ ବିରୋଧରେ ସାଇମଣ୍ଡ୍ସ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିବାରୁ ଘଟଣା ଉଗ୍ର ରୂପ ନେଇଥିଲା। ଯାହାକି ଉଭୟ ଦଳ ମଧ୍ୟରେ ତିକ୍ତତା ବଢ଼ିଯାଇଥିଲା। ଏପରିକି ଗସ୍ତରୁ ଓହରିଯିବାକୁ ଭାରତ ଧମକ ଦେଇଥିଲା ବେଳେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ)ର ହସ୍ତକ୍ଷେପ ପରେ ଶାନ୍ତ ହୋଇଥିଲା।