ବୁଢ଼ୀ ଠାକୁରାଣୀ କ୍ରିକେଟ୍‌: ଟାଉନ୍‌ କ୍ଲବ୍‌ ବିଜେତା

ଭୁବନେଶ୍ୱର: ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଚାଲିଥିବା ଦ୍ୱିତୀୟ ମା‘’ ବୁଢ଼ୀ ଠାକୁରାଣୀ କ୍ରିକେଟ୍‌ ପ୍ରତିଯୋଗିତାରେ ସ୍ଥାନୀୟ ଦଳ ଲିଡ୍‌ସ କ୍ଲବ୍‌କୁ ୪ ଓ୍ଵିକେଟ୍‌ରେ ପରାସ୍ତ କରି ପୁରୁଣା ଭୁବନେଶ୍ୱରର ଟାଉନ୍‌ କ୍ଲବ୍‌ ବିଜେତା ହୋଇଛି। ଫାଇନାଲ୍‌ରେ ପ୍ରଥମେ ବ୍ୟାଟିଂ କରି ଲିଡ୍‌ସ ଦଳ ୧୮.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୭୧ ରନ୍‌ କରିଥିଲା। ଦଳ ପକ୍ଷରୁ ଶ୍ରୀକାନ୍ତ ସର୍ବାଧିକ ୨୧ ରନ୍‌ କରିଥିଲେ। ଟାଉନ୍‌ କ୍ଲବ୍‌ ପକ୍ଷରୁ ବିଶାଲ କର ଓ ସୁମନ ମହାରଣା ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିବାବେଳେ ମାନସ ଦାସ, ଦୀପକ ମାଝୀ ଓ ଶୁଭ ସଙ୍କେତ ଧଳ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଟାଉନ୍‌ କ୍ଲବ୍‌ ୧୫.୧ ଓଭରରେ ୬ ଓ୍ଵିକେଟ୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଭବତୋଷ ପରମାଣିକ ୨୭*, ଗିରିଜା ମିଶ୍ର ୧୪* ରନ୍‌ କରିଥିଲେ। ଲିଡ୍‌ସ ପକ୍ଷରୁ ଶ୍ରୀକାନ୍ତ ୨ ଓ୍ଵିକେଟ୍‌ ନେଇଥିଲେ। ବିଶାଲ କରଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଗିରିଜା ମିଶ୍ରଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ରବିବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଟାଉନ୍‌ କ୍ଲବ୍‌ ଭୁବନେଶ୍ୱରର ଅନ୍ୟତମ ଦଳ ସ୍କାନକୁ ପରାସ୍ତ କରି ଫାଇନାଲ୍‌କୁ ଆସିଥିଲା।

ସମ୍ବନ୍ଧିତ ଖବର