ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ତତ୍‌କ୍ଷଣାତ ସଫଳତା ଅର୍ଜନ କରି ଯଶ୍‌ପ୍ରୀତ୍ ବୁମରା ମୋତେ ଭୁଲ୍ ପ୍ରମାଣିତ କରି‌ ଦେଇଛନ୍ତି ବୋଲି ସ୍ବୀକାର କରିଛନ୍ତି କିମ୍ବଦନ୍ତୀ ଅଲରାଉଣ୍ଡର୍‌ କପିଳ ଦେବ। ବୁମ୍‌ରାଙ୍କ ବୋଲିଂକୁ ମୁଁ ପ୍ରଥମ ଥର ଦେଖିବା ପରେ ସନ୍ଦେହ ପ୍ରକଟ କରିଥିଲି। ଏଭଳି ନିଆରା ଢଙ୍ଗକୁ ନେଇ ସେ ଅଧିକ ଦିନ ଖେଳି ପାରିବେ ନାହିଁ ବୋଲି ଭାବିଥିଲି। କିନ୍ତୁ ସେ ସବୁକିଛି କରି ଦେଖାଇଲେ। ତାଙ୍କୁ ମୁଁ ସଲାମ ଜଣାଉଛି ଏବଂ ଅଷ୍ଟ୍ରେଲିଆରେ ପ୍ରଦର୍ଶନ ତାଙ୍କ ମାନସିକତାକୁ ଦୃଢ଼ ରଖିଛି ବୋଲି ବିଶ୍ବାସ ଆସିଛି। ସୂଚନାଯୋଗ୍ୟ, କପିଳ ଦେବ ହିଁ ଭାରତର ଶେଷ ମେଲବର୍ନ ବିଜୟରେ ୫ ୱିକେଟ୍‌ ନେଇଥିଲେ। ୧୯୮୧ ମସିହାରେ କପିଳ ୫/୨୮ ପ୍ରଦର୍ଶନ ସହିତ ଭାରତ ବିଜୟରେ ଅନ୍ୟତମ କର୍ଣ୍ଣଧାର ଥିଲେ। ୩୭ ବର୍ଷ ପରେ ବୁମ୍‌ରା ପ୍ରଥମ ପାଳିରେ ୬ ସହିତ ମୋଟ ୯ ୱିକେଟ୍ ନେଇ ମେଲବର୍ନରେ ଭାରତକୁ ବିଜୟ ଦେଇଛନ୍ତି। ବୁମ୍‌ରାଙ୍କ ପାଖରେ ଏକ ସ୍ବତନ୍ତ୍ର ସ୍କନ୍ଧ ରହିଛି। ଏତେ ଛୋଟ ରନ୍‌ ଅପ୍‌ରେ ସେ ନିୟମିତ ଭାବେ ୧୪୦ରୁ ଅଧିକ ବେଗରେ ବୋଲିଂ କରିବା ପ୍ରଶଂସନୀୟ। ତାଙ୍କୁ ସମ୍ମାନ ଜଣାଉଛି ଏବଂ ଏଭଳି ବୋଲିଂ ବିରଳ ବୋଲି କପିଳ କହିଛନ୍ତି। ଉଭୟ ପୁରୁଣା ଓ ନୂଆ ‌ବଲ୍‌ରେ ସେ ଭଲ ବୋଲିଂ କରିପାରୁଛନ୍ତି। ନିଜ ବୁଦ୍ଧିକୁ ବି ଭଲ ପ୍ରୟୋଗ କରୁଛନ୍ତି। ସବୁକୁ ମିଶାଇ ଏବେ ସେ ବିଶ୍ବର ଅନ୍ୟତମ ଅଗ୍ରଣୀ ବୋଲର ହୋଇପାରିଛନ୍ତି ବୋଲି କପିଳ ଦେବ କହିଛନ୍ତି। ବୁମ୍‌ରାଙ୍କ ପୂର୍ବରୁ ଜଭାଗଲ୍‌ ଶ୍ରୀନାଥ ଅତି କମ୍ ସମୟ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜାହିର୍ ଖାନ୍‌ କିଛି ସମୟ ନେଇଥିଲେ। ଦ୍ରୁତ ବୋଲରଙ୍କ ପାଇଁ ଆହତ ସମସ୍ୟା ବଡ଼ ପ୍ରତିବଂଧକ। କେତେକଙ୍କୁ ଏହା ଫିକା ପକାଇ‌ ଦେଉଥିବା ବ‌େଳେ ଅନ୍ୟ କିଛି ପ୍ରତ୍ୟାବର୍ତନ କରିପାରନ୍ତି। ଏହାର ଏକ ଉଦାହରଣ ହେଲେ ମହମ୍ମଦ ସାମି। ବୁମ୍‌ରାଙ୍କ ଉପରେ ଦଳ ମାତ୍ରାଧିକ ନିର୍ଭର କରୁଛି କି ବୋଲି ପ୍ରଶ୍ନ ହେବାରୁ କପିଳ କହିଥିଲେ ‘ଭାରତରେ ଖେଳିବା ବେଳେ ତୁମେ କ’ଣ ଅଶ୍ବିନଙ୍କ ଉପରେ ନିର୍ଭର କରନାହିଁ କି, ଏପରିକି ଘରୋଇ ପରିବେଶରେ ଜାଦେଜାଙ୍କ ଉପରେ ବି ଭାରତ ନିର୍ଭର କରେ। ଯଦି ଜଣେ ଭଲ କରୁଛି ତେବେ ଦଳ ତା’ ଉପରେ ନିର୍ଭର କରିବା ଆରମ୍ଭ କରିଥାଏ’।