ଅହମଦାବାଦ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୪ର୍ଥ ଟେଷ୍ଟରେ ଖେଳିବେନି ଦ୍ରୁତ ବୋଲର ଯଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣରୁ ସେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ୪ର୍ଥ ଟେଷ୍ଟ ପାଇଁ ଖେଳାଳି ଚୟନ ବେଳେ ତାଙ୍କ ନାମକୁ ବିଚାରକୁ ନିଆଯିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ତାଙ୍କ ବଦଳରେ ଅନ୍ୟ କୌଣସି ବୋଲରଙ୍କୁ ଟିମରେ ସାମିଲ କରାଯିବ ନାହିଁ ବୋଲି ଟିମ ପରିଚାଳନା ସୂତ୍ରରୁ ଜଣାପଡ଼ିଛି ।
ଭାରତ-ଇଂଲଣ୍ଡ ୨ୟ ଟେଷ୍ଟରେ ମଧ୍ୟ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲା । ତାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଉକ୍ତ ମ୍ୟାଚରେ ସିରାଜ ଉତ୍ତମ ପ୍ରଦର୍ଶନ କରିଥିଲେ ମଧ୍ୟ ମାତ୍ର ଗୋଟିଏ ଓ୍ବିକେଟ ପାଇଥିଲେ ।
୪ର୍ଥ ଟେଷ୍ଟ ଆସନ୍ତା ମାର୍ଚ୍ଚ ୪ରୁ ଅହମଦାବାଦଠାରେ ଖେଳାଯିବ । ଏହି ପିଚ ସ୍ପିନରଙ୍କୁ ସୁହାଉଥିବାରୁ ଦ୍ରୁତ ବୋଲରଙ୍କ ଅବଶ୍ୟକତା ସେତେଟା ଅନୁଭୂତ ହେବ ନାହିଁ ବୋଲି କେତେକ ବିଶେଷଜ୍ଞ କହିଛନ୍ତି । ୩ୟ ଟେଷ୍ଟର ପ୍ରଥମ ଇନିଂସରେ ବୁମରା ମାତ୍ର ୬ ଓଭର ବୋଲିଂ କରିଥିଲେ । ଚଳିତ ସିରିଜରେ ସେ ମୋଟ ୪୮ ଓଭର(୨ଟି ଟେଷ୍ଟ) ବୋଲିଂ କରି ସେ ମାତ୍ର ୪ଟି ଓ୍ବିକେଟ ପାଇଛନ୍ତି ।