ବୁମ୍‌ରା, ପନ୍ତ୍‌ ଶ୍ରେଷ୍ଠ: ଅଷ୍ଟ୍ରେଲିଆରେ ଭାରତର ସର୍ବୋଚ୍ଚ ଅଗ୍ରଣୀ

ମେଲବର୍ନ: ବକ୍ସିଂ ଡେ’ ଟେଷ୍ଟ୍‌ରେ ଭାରତକୁ ପ୍ରଥମ ପାଳିରେ ୨୯୨ ରନ୍‌ର ବଡ଼ ଅଗ୍ରଣୀ ମିଳିଛି। ଯାହାକି ଭାରତ ପାଇଁ ଅଷ୍ଟ୍ରେଲିଆରେ ସର୍ବୋଚ୍ଚ। ପୂର୍ବରୁ ୧୯୭୭-୭୮ରେ ଭାରତ ସିଡ୍‌ନିରେ ପାଇଥିବା ୨୬୫ ରନ୍‌ ଅଗ୍ରଣୀ ଏ ପର୍ଯ୍ୟନ୍ତ ସର୍ବୋଚ୍ଚ ଥିଲା। ଏହା ମଧ୍ୟ ଏକ ଫଲୋଅନ୍ ଲଦା ‌ହୋଇ ନ ଥିବା ଏକ ପାଳିରେ ଦ୍ବିତୀୟ ସର୍ବାଧିକ। ୧୯୨୮-୨୯ରେ ସମୟବିହୀନ ଟେଷ୍ଟ୍‌ରେ ୩୯୯ ରନ୍ (ବ୍ରିସବେନ୍‌) ଶୀର୍ଷରେ ରହିଛି।

-ଯଶ୍‌ପ୍ରୀତ୍ ବୁମରାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର (୬/୩୩) ଅଷ୍ଟ୍ରେଲିଆରେ ଭାରତୀୟଙ୍କ ମଧ୍ୟରେ ତୃତୀୟ ଶ୍ରେଷ୍ଠ। କପିଳ ଦେବ (୮/୧୦୬) ଆଡିଲେଡ୍‌ରେ ୧୯୮୫-୮୬ରେ ଏବଂ ଅନିଲ କୁମ୍ବଲେ (୮/୧୪୧) ସିଡନିରେ ୨୦୦୩-୦୪ରେ ଏହାଠାରୁ ଶ୍ରେଷ୍ଠ ଚିତ୍ର ରଖିଛନ୍ତି।

-ଷଷ୍ଠ ଥର ପାଇଁ ଫଲୋଅନ୍ ଡାକିବାର ସୁଯୋଗ ପାଇ ମଧ୍ୟ ବିରାଟ‌ କୋହଲି ଏହା କରିନାହାନ୍ତି। ଅନ୍ୟ କୌଣସି ଭାରତୀୟ ଥରକରୁ ଅଧିକ ବି କରିନାହାନ୍ତି। ପୂର୍ବ ୫ ଥର ମଧ୍ୟରୁ ଭାରତ ୪ଟି ଜିତିଛି। ଗୋଟିଏ ବର୍ଷା କାରଣରୁ (ବନାମ ବାଂଲାଦେଶ) ଅମୀମାଂସିତ ରହିଥିଲା।

-ଯଶ୍‌ପ୍ରୀତ୍ ବୁମରା ପଦାର୍ପଣ ବର୍ଷରେ ମୋଟ ୪୫ ୱିକେଟ୍ ନେଇ ଭାରତୀୟଙ୍କ ପାଇଁ ଏକ କୀର୍ତିମାନ କରିଛନ୍ତି। ମୋଟ ଉପରେ ବିଶ୍ବ କ୍ରିକେଟ୍‌ରେ ପଦାର୍ପଣ ବର୍ଷରେ ସର୍ବାଧିକ ୱିକେଟ୍‌ ନେବାର କୀର୍ତିମାନ ଟେରି ଆଲଡରମ୍ୟାନ୍‌ (୫୪, ୧୯୮୧), କର୍ଟଲୀ ଆମ୍ବ୍ରୋସ୍‌ (୪୯, ୧୯୮୮) ଏବଂ ଷ୍ଟିଭେନ୍ ଫିନ୍‌ (୪୬, ୨୦୧୦) ଆଗରେ ରହିଛନ୍ତି। ମହମ୍ମଦ ସାମି ମଧ୍ୟ ୨୦୧୮ ମସିହାରେ ୪୩ ୱିକେଟ୍ ନେଇ ପଛକୁ ରହିଛନ୍ତି। ଗୋଟିଏ ବର୍ଷରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ୫ ୱିକେଟ୍‌ ‌ଲେଖାଏଁ ସଫଳତା ପାଇବାରେ ଯଶ୍‌ପ୍ରୀତ୍ ବୁମରା ପ୍ରଥମ ଭ୍ରମଣକାରୀ ବୋଲର‌ ହୋଇଛନ୍ତି।

-ଋଷବ ପନ୍ତ୍ ୱିକେଟ୍‌ ପଛପଟେ‌ ମୋଟ ୧୮ ୱିକେଟ୍‌ ନେଇ‌ଥିବା କୌଣସି ଶୃଙ୍ଖଳାରେ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ। ୧୯୭୯-୮୦ରେ ପାକିସ୍ତାନ ବିପକ୍ଷରେ ସୟଦ କିର୍ମାନି ଏବଂ ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ମହେନ୍ଦ୍ର ସିଂହ ଧୋନି ୧୭ ଲେଖାଏଁ ୱିକେଟ୍ ନେଇଥିଲେ।

-ଭାରତ ୨୦୧୮ ମସିହାରେ ମୋଟ ୨୫୫ ୱିକେଟ୍‌ (ରନ୍ ଆଉଟ୍‌କୁ ମିଶାଇ) ନେଇଛି ଯାହାକି ଏକ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ।

ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ
ମେଲବର୍ନ: ଖେଳାଳିଙ୍କ ବାକ୍ୟ ବିନିମୟ ବିବାଦର ଧାରା ଲାଗି ରହିଥିବା ବେଳେ ମେଲବର୍ନ ପ୍ରଶଂସକମାନେ ଭାରତୀୟଙ୍କ ଉଦ୍ଦେଶ୍ୟରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ଆଣି ଚେତାବନୀ ପାଇଛନ୍ତି। ଚଳିତ ମେଲବର୍ନ ଟେଷ୍ଟ୍‌ରେ ଭାରତୀୟ ଖେଳାଳିଙ୍କୁ କିଛି ପ୍ରଶଂସକ ଏଭଳି ଆକ୍ଷେପ କରିଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ନିକଟରୁ ବହୁ ଅଭିଯୋଗ ଆସିଥିଲା। କ୍ରିକ୍‌ଇନ୍‌ଫୋ ୱେବସାଇଟ୍ ମଧ୍ୟ ଏ ଦିଗରେ ନିର୍ଦ୍ଧିଷ୍ଟ ଫୁଟେଜ୍ ରଖିଥିବାର ଦାବି କରିଛି। ଏହାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ, ଭିକ୍ଟୋରିଆ ପୁଲିସ ଏବଂ ଷ୍ଟାଡିୟମ୍ ପରିଚାଳକଙ୍କୁ ପ୍ରଦାନ କରାଯାଇଛି। ମେଲବର୍ନର ସଦର୍ନ ଷ୍ଟାଣ୍ଡ୍‌ର ନିମ୍ନଭାଗରେ ଥିବା ଏହି ପ୍ରଶଂସକମାନେ ‘ଆମକୁ ତୁମ ଭିସା ଦେଖାଅ’ ବୋଲି ମଧ୍ୟ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ଠିକଣା ବ୍ୟବହାର କର ନଚେତ୍ ଷ୍ଟାଡିୟମ୍‌ରୁ ବିତାଡ଼ିତ କରି ଦିଆଯିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ ଚେତାବନୀ ଶୁଣାଇଦେଇଛି। ଭିକ୍ଟୋରିଆ ପୁଲିସ ଏବଂ ଏମ୍‌ସି୍ଜି ଷ୍ଟାଡିୟମ୍ ପରିଚାଳକ ମଧ୍ୟ ଦର୍ଶକଙ୍କ ବ୍ୟବହାରକୁ ସର୍ତାବଳୀ ଅନୁସାରେ ରଖିବାକୁ ତନାଘନା ଚଳାଇଛି। କୋହଲିଙ୍କ ପ୍ରଥମ ପାଳି ୮୨ ରନ୍ ବେଳେ ତାଙ୍କୁ ବହୁ ପ୍ରଶଂସକ ଖରାପ ଭାଷା ପ୍ରୟୋଗ ଓ ଚିତ୍କାର କରିଥିବା ନଜରକୁ ଆସିଥିଲା। ଏପରିକି ସ୍ଥାନୀୟ ଖେଳାଳି ପିଟର୍ ହ୍ୟାଣ୍ଡସ୍କମ୍ଭଙ୍କ ବଦଳରେ ଖେଳିଥିବା ମିଚେଲ୍ ମାର୍ସଙ୍କୁ ପ୍ରଶଂସକମାନେ ଚିତ୍କାର କରି ସମାଲୋଚନା କରିଥିଲେ। ମେଲବର୍ନରେ ଏହା ନୂଆ ନୁହେଁ, ୨୦୦୫ ମସିହା ବକ୍ସିଂ ଡେ’ ଟେଷ୍ଟ୍‌ରେ ମଧ୍ୟ ଦର୍ଶକମାନେ ଦକ୍ଷିଣ ଆଫ୍ରିକାର କୃଷ୍ଣକାୟ ଦ୍ରୁତ ବୋଲର ଆ‌େନ୍ଦ୍ର ନେଲଙ୍କୁ ଚିଡ଼ାଇଥିଲେ।

ସମ୍ବନ୍ଧିତ ଖବର