ଟାଇଙ୍କ ‘ଯୁବି ପା’ ସମ୍ବୋଧନ ପରେ ଯୁବରାଜଙ୍କୁ ଅବସର ଚିନ୍ତା ଘାରିଥିଲା

ଲୋକେ କହୁଥିଲେ ମୁଁ ଅଧିକ ଦିନ ଖେଳି ପାରିବିନି: ବୁମ୍‌ରା

ନୂଆଦିଲ୍ଲୀ: ଆଣ୍ଡ୍ରୁ ଟାଇ ଯୁବରାଜଙ୍କୁ ‘ୟୁବି ପା’ ବୋଲି କହିବା ଆରମ୍ଭ କରିବାବେଳେ ଅବସର କଥା ତାଙ୍କ ମୁଣ୍ଡକୁ ଆସିଥିବା ଏହି ବାମହାତୀ ଖେଳାଳି ଜଣକ କହିଛନ୍ତି। ଯୁବିଙ୍କ କହିବା ଅନୁଯାୟୀ, ଯେତେବେଳେ ୨୦୧୮ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିଲି ସେତେବେଳେ ସାଥୀ ଖେଳାଳି ତଥା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଟାଇ ‘ଯୁବି ପା’ ଭାବେ ତାଙ୍କୁ ଡାକିବା ଆରମ୍ଭ କରି‌ଥିଲେ। ସେବେଠାରୁ ତାଙ୍କୁ କ୍ରିକେଟରୁ ଅବସର ନେଇଯିବା ଉଚିତ୍‌ ମନେ ହୋଇଥିଲା। ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ୍ ଅଧିବେଶନରେ ଏହି ପୂର୍ବତନ ଭାରତୀୟ ତାରକା ଖେଳାଳି ଯୁବରାଜ ତାଙ୍କ ଅବସର ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲେ।

ଲୋକେ କହୁଥିଲେ ମୁଁ ଅଧିକ ଦିନ ଖେଳି ପାରିବିନି: ବୁମ୍‌ରା
ବୁମ୍‌ରା ଭାରତୀୟ ଦଳକୁ ଆସିବା ପାଇଁ ତାଙ୍କର ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଏଥିସହ ଆଇପିଏଲ୍‌ ଓ ରଣଜୀ ଟ୍ରଫି ପ୍ରଦର୍ଶନ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମଜବୁତ କରିବାରେ ସହାୟକ ହୋଇଥିବା ଜଣାଇଥିଲେ। ଯୁବରାଜଙ୍କ ସହ ହୋଇଥିବା ଏହି ବାର୍ତ୍ତାଳାପରେ ତାଙ୍କର ଭାରତୀୟ ଦଳର ଯାତ୍ରା ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ୨୦୧୩ରେ ଯେତେବେଳେ ବୁମ୍‌ରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ସେବେଠାରୁ ତିନିବର୍ଷ ପର୍ଯ୍ୟନ୍ତ ସେ ଦଳରେ ନିୟମିତ ହୋଇପାରିନଥିଲେ। ଘରୋଇ କ୍ରିକେଟ୍‌ ବିଜୟ ହଜାରେ ଟ୍ରଫିରେ ଭଲ ଖେଳିବା ପରେ ୨୦୧୬ରେ ଭାରତୀୟ ଦଳକୁ ଆସିପାରିଥିଲି। ଦୀର୍ଘ ସମୟ ଧରି ଖେଳିବାକୁ ହେଲେ ସମସ୍ତଙ୍କୁ ଟେଷ୍ଟ କ୍ରିକେଟ୍ ଖେଳିବାକୁ ପଡିବ। ହେଲେ ମୁଁ ଅଧିକ ଦିନ ପର୍ଯ୍ୟନ୍ତ ଖେଳିପାରିବିନି ବୋଲି ଅନେକ ଲୋକ କହିଥିଲେ। ତଥାପି ଆଶା ହରାଇନଥିଲି। ଲୋ‌କେ ମୋତେ ରଣଜୀ ଖେଳ ଜାରି ରଖିବାକୁ ପରାମର୍ଶ ଦେଉଥିଲେ। କିନ୍ତୁ ମୁଁ ଉନ୍ନତ ପ୍ରଦର୍ଶନ ଦେବା ଜାରି ରଖିଥିବା ବୁମ୍‌ରା କହିଛନ୍ତି। ଯଶ୍‌‌ପ୍ରୀତ ବୁମ୍‌ରା ଦେଶ ପାଇଁ ୬୪ ଦିନିକିଆ, ୫୦ ଟି-୨୦ ଏବଂ ୧୪ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଭାରତ ପାଇଁ ଖେଳିଥିବା ବୋଲରଙ୍କ ମଧ୍ୟରୁ ବୁମ୍‌ରାଙ୍କୁ ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ବିବେଚନା କରାଯାଉଛି। ତଥାପି ଯେତେବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜଣେ ଦ୍ରୁତ ବୋଲର ଭାବେ ଖେଳିବା ଆରମ୍ଭ କରିଥିଲେ ତାଙ୍କର ଅଣପାରମ୍ପରିକ ବୋଲିଂ ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଆଇପିଏଲ୍‌ରେ ତାଙ୍କର ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ହୋଇଥିଲା ଏବଂ ସେହି ମ୍ୟାଚ୍ ପରଠାରୁ ସେ ଆଉ ପଛକୁ ଚାହିଁନାହାଁନ୍ତି ବୋଲି କହିଛନ୍ତି ବୁମ୍‌ରା।

ଯୁବରାଜ-ଧୋନିଙ୍କ ଭିତରୁ ଜଣଙ୍କୁ ବାଛିବା ମା’-ବାପାଙ୍କୁ ବାଛିବା ଭଳି ଦ୍ବନ୍ଦ୍ବ
ଯୁବରାଜ ସିଂହ ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା ମା’ ଓ ବାପାଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ଭଳି ଦ୍ବନ୍ଦ୍ବ ସଦୃଶ। ଯୁବରାଜ ଏବଂ ବୁମରାଙ୍କ ମଧ୍ୟରେ ଚାଲିଥିବା ଇନଷ୍ଟାଗ୍ରାମ ଲାଇଭରେ ବୁମ୍‌ରାଙ୍କୁ ପଚରାଯାଇଥିବା ଏଭଳି ଏକ ପ୍ରଶ୍ନରେ ମଜାଳିଆ ଉତ୍ତର ରଖିଛନ୍ତି ଏହି ଦ୍ରୁତ ବୋଲର। ଯେତେବେଳେ ବୁମରାଙ୍କୁ ଯୁବରାଜ ଏବଂ ଧୋନିଙ୍କ ମଧ୍ୟରୁ ଭଲ ମ୍ୟାଚ୍-ଫିନିସରଙ୍କ ନାମ ଦେବାକୁ କୁହାଗଲା, ସେତେବେଳେ ଏମାନଙ୍କ ମଧ୍ୟରୁ ଗୋଟିଏ ବାଛି ହେବନି ବୋଲି ସେ ମନା କରିଦେଇଥିଲେ। ପ୍ରଶ୍ନର ଉତ୍ତର ନଦେବା ପାଇଁ ବୁମରା ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ଯୁବରାଜ ଚେଷ୍ଟା ଜାରି ରଖିଥିଲେ। ତଥାପି ଯଦି ସେ ଧୋନିଙ୍କୁ ବାଛୁଛନ୍ତି ତେବେ ଯୁବରାଜ କିଛି ଭାବିବେନି ବୋଲି ସ୍ପଷ୍ଟ କରିଥିଲେ। ସେହିପରି ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ଭଲ ବ୍ୟାଟ୍ସମ୍ୟାନ କିଏ ବୋଲି ପଚରାଯିବାରୁ ଏହା ଉପରେ ତାଙ୍କର ଅଧିକ ଅଭିଜ୍ଞତା ନଥିବା କହି ବୁମ୍‌ରା ଏଡାଇ ଯାଇଥିଲେ। ତେବେ ଖେଳର ତିନିଟି ଫର୍ମାଟରେ ଦୁନିଆର ଏକ ନମ୍ବର ବୋଲର ହେବାର ଦକ୍ଷତା ବୁମ୍‌ରାଙ୍କ ପାଖରେ ରହିଥିବା ଯୁବରାଜ କହିଥିଲେ। ବୁମ୍‌ରା ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍‌ରେ ଖେଳିଥିଲେ। ସେ ୬ ୱିକେଟ୍ ନେବାରେ ସଫଳ ହୋଇଥିଲେ ମଧ୍ୟ ଦଳ ଶୃଙ୍ଖଳାରେ ୦-୨ରେ ପରାଜିତ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପରେ ଏହା ଭାରତର ପ୍ରଥମ ପରାଜୟ ଥିଲା। ବୁମ୍‌ରା ବର୍ତ୍ତମାନ ଆଇସିସି ଦିନିକିଆ ବୋଲର ମାନ୍ୟତାର ଦ୍ବିତୀୟ ଓ ଟେଷ୍ଟରେ ସପ୍ତମ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର