ବୁମ୍‌ରା,ପୁନମଙ୍କୁ ପଲ୍ଲୀ ଉମ୍ରିଗର ପୁରସ୍କାର

ମୁମ୍ବାଇ: ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ୨୦୧୮-୧୯ ଋତୁର ଶ୍ରେଷ୍ଠ ପୁରୁଷ ଏବଂ ପୁନମ ଯାଦବ ଶ୍ରେଷ୍ଠ ଭାରତୀୟ ମହିଳା କ୍ରିକେଟର ବିବେଚିତ ହୋଇଛନ୍ତି। ଗତ ଋତୁର ପ୍ରଦର୍ଶନ ଆଧାରରେ ବିସିସିଆଇ ଉଭୟଙ୍କ ସଫଳତାରେ ମୋହର ମାରିବା ସହ ସମ୍ମାନଜନକ ପଲ୍ଲୀ ଉମ୍ରିଗର ପୁରସ୍କାର ପ୍ରଦାନ କରିଛି। ରବିବାର ମୁମ୍ବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ ଉତ୍ସବରେ ବିସିସିଆଇ ମଧ୍ୟ ଅନ୍ୟ ୨୩ ବର୍ଗରେ ପୁରସ୍କାର ପ୍ରଦାନ କରିଛି।

ସୀମିତ ଓଭର କ୍ରିକେଟ୍‌ରେ ନିଜକୁ ଜଣେ ଦକ୍ଷ କ୍ରିକେଟର ଭାବେ ପ୍ରତିପାଦିତ କରିସାରିଥିବା ବୁମ୍‌ରା ୨୦୧୮ ଜାନୁଆରିରେ କେପଟାଉନ୍‌ଠାରେ ଟେଷ୍ଟ୍‌ ପଦାର୍ପଣ କରିଥିଲେ। ସେବେଠାରୁ ସେ ଏସିଆ ମହାଦେଶର ପ୍ରଥମ ବୋଲର ଭାବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍‌ରେ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଛନ୍ତି। ବୁମ୍‌ରା ମଧ୍ୟ ଏହି ସମୟ ମଧ୍ୟରେ ଗୋଟିଏ ହ୍ୟାଟ୍ରିକ୍ ହାସଲ କରିଛନ୍ତି। ୧୨ ଟେଷ୍ଟ୍‌ ଖେଳି ୨୬ ବର୍ଷୀୟ ବୁମ୍‌ରା ୬୨ ୱିକେଟ୍ କରାୟତ୍ତ କରିଛନ୍ତି। ଗତବର୍ଷ ପ୍ରାରମ୍ଭରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ଜିତିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ପଲ୍ଲୀ ଉମ୍ରିଗର ପୁରସ୍କାର ବାବଦରେ ବିସିସିଆଇ ତାଙ୍କୁ ଟ୍ରଫି, ପ୍ରଶସ୍ତିପତ୍ର ସହ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛି। ସେପଟେ ପୁନମ ଗତ ଦୁଇ ବର୍ଷ ହେବ ଭାରତ ପକ୍ଷରୁ ସର୍ବାଧିକ ୩୯ ୱି‌କେଟ୍ ନେଇଛନ୍ତି। ତାଙ୍କ ଶାଣିତ ଲେଗ୍ ସ୍ପିନ୍ ବୋଲିଂ ବଳରେ ଭାରତ ଟ୍ବେଣ୍ଟି-୨୦ରେ ମଧ୍ୟ ଆଖି ଦୃଶିଆ ସଫଳତା ଲାଭ କରିଛି। ଟ୍ବେଣ୍ଟି-୨୦ରେ ସେ ୧୬.୨୭ ହାରରେ ୫୧ ୱିକେଟ୍ ନେଇଛନ୍ତି। ୧୮ ବର୍ଷୀୟା ପୁନମ ଗତବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ସେହିଭଳି ରବିବାରର ପୁରସ୍କାର ବିତରଣୀ ଉତ୍ସବ ଅବସରରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ସପ୍ତମ ମନସୁର ଅଲ୍ଲୀ ଖାନ୍ ପଟୌଦି ବାର୍ଷିକ ବକ୍ତୃତା ପ୍ରଦାନ କରିଛନ୍ତି। ନମନ ୨୦୧୮-୧୯ ନାମରେ ଆୟୋଜିତ ହୋଇଥିବା ଏହି ପୁରସ୍କାର ପ୍ରଦାନ ଉତ୍ସବରେ ପ୍ରଥମ ମହିଳା କ୍ରିକେଟର ଭାବେ ୧୦୦ ଦିନିକିଆରେ ଭାରତର ପ୍ରତିନିଧିତ୍ବ କରିଥିବା ଅଞ୍ଜୁମ ‌ଚୋପ୍ରା ଏବଂ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କୃଷ୍ଣମାଚାରି ଶ୍ରୀକାନ୍ତ ଜୀବନବ୍ୟାପି ସେବା ସମ୍ମାନ ଗ୍ରହଣ କରିଛନ୍ତି। ଚଳିତ ଥର କେତେକ ନୂଆ ବର୍ଗ ଯଥା ସର୍ବାଧିକ ରନ୍ ସଂଗ୍ରହକାରୀ ମହିଳା କ୍ରିକେଟର, ସର୍ବାଧିକ ୱିକେଟ୍ ହାସଲକାରୀ ମହିଳା କ୍ରିକେଟର, ଶ୍ରେଷ୍ଠ ଅନ୍ତର୍ଜାତୀୟ ପଦାର୍ପଣ (ମହିଳା ଓ ପୁରୁଷ) ସହ ମୋଟ ୨୫ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ବିସିସିଆଇ ସଂପାଦକ ଜୟ ଶାହ ସୂଚନା ଦେଇଛନ୍ତି।

ପୁରସ୍କୃତ ଖେଳାଳି
ସିକେ ନାଇଡୁ ଜୀବନ ବ୍ୟାପି ସେବା ସମ୍ମାନ: କୃଷ୍ଣମାଚାରି ଶ୍ରୀକାନ୍ତ, ବିସିସିଆଇ ଜୀବନ ବ୍ୟାପି ସେବା ସମ୍ମାନ: ଅଞ୍ଜୁମ ଚୋପ୍ରା, ବିସିସିଆଇ ସ୍ବତନ୍ତ୍ର ପୁରସ୍କାର: ଦିଲୀପ ଦୋଷୀ, ଦିଲୀପ ସର୍ଦେଶାଇ ପୁରସ୍କାର: ଚେତେଶ୍ବର ପୂଜାରା, ମହିଳା ଦିନିକିଆରେ ସର୍ବାଧିକ ରନ୍ ସଂଗ୍ରହକାରୀ: ସ୍ମୃତି ମନ୍ଧାନା, ମହିଳା ଦିନିକିଆରେ ସର୍ବାଧିକ ୱିକେଟ୍ ଦଖଲକାରୀ: ଝୁଲଣ ଗୋସ୍ବାମୀ, ଶ୍ରେଷ୍ଠ ଅନ୍ତର୍ଜାତୀୟ ପଦାର୍ପଣ: ମୟଙ୍କ ଅଗ୍ରୱାଲ, ଶ୍ରେଷ୍ଠ ଅନ୍ତର୍ଜାତୀୟ ପଦାର୍ପଣ ମହିଳା: ଶେଫାଳି ବର୍ମା, ରଣଜୀ ଟ୍ରଫିରେ ଶ୍ରେଷ୍ଠ ଅଲରାଉଣ୍ଡର: ଶିଭମ ଦୁବେ, ଶ୍ରେଷ୍ଠ ସୀମିତ ଓଭର ଅଲରାଉଣ୍ଡର: ନୀତୀଶ ରାଣା, ରଣଜୀ ଟ୍ରଫିରେ ସର୍ବାଧିକ ରନ୍ ସଂଗ୍ରହକାରୀ: ମିଲିନ୍ଦ କୁମାର (ସିକିମ), ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ହାସଲକାରୀ: ଆଶୁତୋଷ ମାନ (ବିହାର), ଘରୋଇ କ୍ରିକେଟ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ: ବିଦର୍ଭ।

ସମ୍ବନ୍ଧିତ ଖବର