ଆଣ୍ଡରସନଙ୍କ ସ୍ଥାନରେ ବୁମ୍‌ରା ପହଞ୍ଚିପାରିବେ: ୱାଲ୍ସ

ଚେନ୍ନାଇ: ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି ଦ୍ରୁତ ବୋଲର କର୍ଟନି ୱାଲ୍ସ ପ୍ରଥମ ଦ୍ରୁତ ବୋଲର ଭାବେ ୫୦୦ ଟେଷ୍ଟ୍‌ ୱିକେଟ୍‌ ହାସଲ କରିଥିଲେ। ୧୩୨ ଟେଷ୍ଟ୍‌ ଖେଳି ମୋଟ ୫୧୯ ଅକ୍ତିଆର କରିଛନ୍ତି ସେ। ଏବେ ୱାଲ୍ସ କାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ୍)ରେ ସେଣ୍ଟ୍ କିଟ୍ସ ଓ ନେଭିସ୍ ପାଟ୍ରିଅଟ୍ସ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଅଛନ୍ତି। ନିକଟରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌ ପ୍ରଥମ ଦ୍ରୁତ ବୋଲର ଭାବେ ୬୦୦ ୱିକେଟ୍‌ ମାଇଲଖୁଣ୍ଟ ଛୁଇଁଥିଲେ। ୱାଲ୍ସ ଏକ ସାକ୍ଷାତକାରରେ ଆଣ୍ଡରସନ୍‌ଙ୍କୁ ପ୍ରଶଂସା କରିଥିଲେ। ଆଣ୍ଡରସନ୍‌ଙ୍କ ଏହି ମାଇଲଖୁଣ୍ଟର ନିକଟତର ଭାରତୀୟ ଦ୍ରୁତବୋଲର ଅଲ୍‌ରାଉଣ୍ଡର ଯଶପ୍ରୀତ ବୁମ୍‌ରା ହୋଇପାରିବେ ବୋଲି ୱାଲ୍ସ ଆଶା ଦୃଢ଼ ଆଶା ପୋଷଣ କରିଥିଲେ।

ପ୍ରଶ୍ନ: ଆଣ୍ଡରସନ ପ୍ରଥମ ଦ୍ରୁତ ବୋଲର ଭାବେ ୬୦୦ ଟେଷ୍ଟ୍ ୱିକେଟ୍ ନେବା ନେଇ ଆପଣଙ୍କ ମତ କଣ?
ୱାଲ୍ସ: ଏହା ଏକ ଚମତ୍କାର ସଫଳତା। ଯେକୌଣସି ଦ୍ରୁତ ବୋଲରଙ୍କ ପାଇଁ ୫୦୦ କିମ୍ବା ୬୦୦ ୱିକେଟ୍ ନେବା ନିଶ୍ଚିତ ଭାବେ ଏକ ସ୍ମରଣୀୟ ପ୍ରୟାସ। ଏହା କେବଳ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ଭାବନା ଯୋଗୁଁ ସମ୍ଭବ ହୋଇପାରିବ। ଯାହାକୁ ଆଣ୍ଡରସନ୍ ବର୍ଷ ବର୍ଷ ଧରି ଜାରି ରଖିଛନ୍ତି। ସେ ପ୍ରକୃତରେ ପ୍ରଶଂସା ପାଇବାକୁ ଯୋଗ୍ୟ। ତଥାପି ୭୦୦ ୱିକେଟ୍ ନେବାକୁ ଲକ୍ଷ୍ୟ ରଖିଥିବାରୁ ଶୁଭେଚ୍ଛା।

ପ୍ରଶ୍ନ: ଦ୍ରୁତ ବୋଲରଙ୍କ ଦୀର୍ଘ ଜୀବନ ପାଇଁ କ’ଣ ଆବଶ୍ୟକ ହୁଏ? ଆଣ୍ଡରସନ ଲମ୍ବା ଖେଳ ଜୀବନ ପଛର ରହସ୍ୟ କ’ଣ?
ୱାଲ୍ସ: ଥରେ ତୁମେ ତୁମର ବୋଲିଂ ଶୈଳୀ ବିଷୟରେ ଜାଣିଗଲେ ଅନେକ ବର୍ଷ ଖେଳିବା ଲାଗି ଏହା ସାହାଯ୍ୟ କରିବ। ଆଣ୍ଡରସନ୍‌ ‌ଏତେ ଦ୍ରୁତ ନୁହନ୍ତି। ଅଧିକ ଖେଳିବା ଦ୍ବାରା ତାଙ୍କର କୌଶଳ ଭଲ ହେବାକୁ ଲାଗିଲା। ତାଙ୍କ‌ ବୋଲିଂର ସ୍ଥିରତା ଅଛି। ତାହା ହିଁ ଜଣେ ବୋଲର ପାଇଁ ନିହାତି ଆବଶ୍ୟକ। କମ୍‌ ପ୍ରୟାସ ଏବଂ ସରଳତା ତାଙ୍କୁ ଅଧିକ ଦିନ ଖେଳିବା ଲାଗି ସହଯୋଗ କରିଛି। ଯାହା ତାଙ୍କ ଶରୀର ଉପରେ ଅଧିକ ଚାପ ପକାଇ ପାରୁନି।

ପ୍ରଶ୍ନ: ଆପଣ ପ୍ରଥମେ ୫୦୦ ଟେଷ୍ଟ୍‌ ୱିକେଟ୍ ନେଇଥିଲେ, କିନ୍ତୁ ବହୁତ ବୋଲର ଏବେ ଏହି ମାଇଏଖୁଣ୍ଟରେ ପହଞ୍ଚିଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିବ କି?
ୱାଲ୍ସ: ବର୍ତ୍ତମାନ ଅଧିକ କ୍ରିକେଟ୍‌ ଖେଳାଯାଉଥିବାରୁ ଏହି କୀର୍ତ୍ତିମାନ ନିଶ୍ଚିତ ଭାଙ୍ଗିପାରିବ। ଆଗକୁ ୫୦୦-୬୦୦ ୱିକେଟ୍‌ ଅକ୍ତିଆର କରିବା ବୋଲର ଅଧିକ ମିଳିବେ। ମୋର ଆଶା କିଏ ଜଣେ ୧୦୦୦ ୱିକେଟ୍ ଅକ୍ତିଆର କରିପାରିବ। ମୁଥୟା ମୁରଲୀଧରନ ଏହା କରି‌ପରିବେ ବୋଲି ମୁଁ ଭାବିଥିଲି। କିନ୍ତୁ ସେ ୮୦୦ ୱିକେଟ୍‌ରେ ଅବସର ନେଲେ। ଏହି ରାସ୍ତା ଏତେ ସହଜ ନୁହେଁ କିନ୍ତୁ ସମ୍ଭବ।

ପ୍ରଶ୍ନ: ଭାରତୀୟ ଦଳ ଯଶପ୍ରୀତ ବୁମ୍‌ରାଙ୍କଠାରୁ ବହୁତ ଆଶା ରଖିଛି। ସେ ଶ୍ରେଷ୍ଠ ଦ୍ରୁତ ବୋଲର ହୋଇପାରିବେ କି?
ୱାଲ୍ସ: ଯେଉଁଠାରେ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ ଅଛନ୍ତି ସେଠାରେ ପହଞ୍ଚିବାର ତାଙ୍କର ସାମର୍ଥ୍ୟ ଅଛି। ସେ ଜଣେ ଅତି ଦକ୍ଷ ବୋଲର। ତାଙ୍କ ରନ୍‌ଅପ୍‌ ଅତି ସୁନ୍ଦର ଯାହା ତାଙ୍କ ପାଇଁ ସର୍ବୋତ୍ତମ। ଯଦି ଫିଟ୍ ରୁହନ୍ତି ତେବେ ସେ ସମସ୍ତ ଫର୍ମାଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି। ସଫଳତା ପାଇବା ପାଇଁ ସେ ଭୋକିଲା ଅଛନ୍ତି।

ପ୍ରଶ୍ନ: କରୋନା ମହାମାରୀ ପରେ ସପିଏଲ୍‌ ହେଉଛି ପ୍ରଥମ ଟି-୨୦ ଲିଗ୍। ଏଥିରେ କ’ଣ ସବୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିରୁ ଆଇପିଏଲ୍ କେଉଁ ଶିକ୍ଷା ଗ୍ରହଣ କରିପାରିବ?
ୱାଲ୍ସ: କରୋନା ପରେ ସିପିଏଲ୍ ଆୟୋଜନ ଏକ ଭଲ ପଦକ୍ଷେପ। ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍ ସମୟରେ ଇଂଲଣ୍ଡ କ’ଣ କରିଛି ଏବଂ ସିପିଏଲ୍ ବେଳେ ଆମେ କ’ଣ କରିଥିଲୁ ତାହାକୁ ଆଇପିଏଲ୍‌ ଦେଖୁ। ଖେଳାଳିଙ୍କ ନିରାପତ୍ତାକୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ପାଖରେ ସବୁକିଛି ରହିବ। ମୁଁ ଏକ ଭଲ ଆଇପିଏଲ୍‌ ଆଶା କରୁଛି। ୟୁଏଇରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ପରିଚାଳନା କରିବା ସହଜ ହେବ ବୋଲି ଆଶା କରୁଛି।

ସମ୍ବନ୍ଧିତ ଖବର