ବର୍ମିଂହାମ: କୋଭିଡ୍ ଆତଙ୍କ ପାଇଁ ଗତବର୍ଷ ଶେଷ ହୋଇପାରି ନଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପାଞ୍ଚ ଟିକିଆ ଶୃଙ୍ଖଳାର ପ୍ରଥମ ଚାରିଟି ମ୍ୟାଚ୍ ଖେଳା ଯାଇସାରିଥିଲା ବେଳେ ପଞ୍ଚମ ତଥା ଶେଷ ଟେଷ୍ଟ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିଲାଗି ଭାରତୀୟ ଦଳ ଗତ କିଛି ଦିନ ହେବ ଲିସେଷ୍ଟରରେ ରହି ଅଭ୍ୟାସ କରୁଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଭ୍ରମଣକାରୀ ତଥା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ବିଜେତା ନ୍ୟୁଜିଲାଣ୍ଡକୁ ଘରୋଇ ପରିବେଶରେ ୩-୦ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ଏହି ମ୍ୟାଚ୍ ଖେଳିବାକୁ ଯିବ। ଗତବର୍ଷ ଏହି ଶୃଙ୍ଖଳାର ପ୍ରଥମ ଚାରି ମ୍ୟାଚ୍ ପରେ ଭାରତ ୨-୧ରେ ଆଗୁଆ ଥିଲା। ଏଣୁ ଦୀର୍ଘ ବ୍ୟବଧାନ ପରେ ଖେଳାଯାଉଥିବା ଅନ୍ତିମ ମୁକାବିଲାରେ ଇଂଲଣ୍ଡ ପାଖରେ ଶୃଙ୍ଖଳା ବଞ୍ଚାଇବାର ସୁଯୋଗ ରହିବ। ଅନ୍ୟପକ୍ଷରେ ଭାରତ ଯଦି ଏହି ମ୍ୟାଚ୍କୁ ଅମୀମାଂସିତ ରଖେ କିମ୍ବା ବିଜୟୀ ହୁଏ, ତାହେଲେ ୨୦୦୭ ମସିହା ପରେ ଇଂଲଣ୍ଡ ମାଟିରେ ଟେଷ୍ଟ୍ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିବ।
ଶେଷ ଥର ପାଇଁ ୨୦୦୭ ମସିହାରେ ଭାରତ ଏବେକାର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଏଣୁ ଭାରତୀୟ ପ୍ରଶଂସକଙ୍କ ଦେଢ଼ ଦଶନ୍ଧିର ଅପେକ୍ଷା କିଭଳି ଭାବେ ଶେଷ ହେଉଛି, ତା’ ଉପରେ ପ୍ରତ୍ୟେକ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ। ପୂର୍ବରୁ ଏହି ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯିବାର ଥିଲା। ଏବେ ଏହା ବର୍ମିଂହାମରେ ଆୟୋଜିତ ହେବ।
ଉଭୟ ଦଳର ନୂଆ ଅଧିନାୟକ, ପ୍ରଶିକ୍ଷକ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ୍ ୨୦୨୧ ସେପ୍ଟେମ୍ବର ୨ରୁ ୬ ତାରିଖ ମଧ୍ୟରେ ଖେଳାଯାଇଥିଲା। ସେବେଠାରୁ ଅନେକ କିଛି ବଦଳି ଯାଇଛି। କେବଳ ଭାରତ ନୁହେଁ ଇଂଲଣ୍ଡର ଅଧିନାୟକ ଏବଂ ପ୍ରଶିକ୍ଷକ ମଧ୍ୟ ବଦଳି ଯାଇଛନ୍ତି। ସେତେବେଳେ ବିରାଟ କୋହଲି ଭାରତର ଅଧିନାୟକ ଥିଲା ବେଳେ ଜୋ ରୁଟ୍ ଇଂଲଣ୍ଡର ମଙ୍ଗ ଧରିଥିଲେ। ରବି ଶାସ୍ତ୍ରୀ ଭାରତର ପ୍ରଶିକ୍ଷକ ଥିଲେ। ଅନ୍ୟପକ୍ଷରେ କ୍ରିସ୍ ସିଲଭରଉଡ୍ ଘରୋଇ ଇଂଲଣ୍ଡର ମୁଖ୍ୟ ପ୍ରଶିକ୍ଷକ ପଦରେ ଥିଲେ। ଶେଷ ଟେଷ୍ଟ୍ ଲାଗି ସଂପ୍ରତି ଯଶପ୍ରୀତ ବୁମ୍ରା ଭ୍ରମଣକାରୀ ଭାରତର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିଭଳି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ୧୯୮୭ ମସିହାରେ କପିଳ ଦେବ ଅଧିନାୟକ ପଦ ଛାଡ଼ିବା ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ବ ନେବାରେ ବୁମ୍ରା ପ୍ରଥମ ଦ୍ରୁତ ବୋଲର ହେବେ। ସେପଟେ ବେନ୍ ଷ୍ଟୋକ୍ସ ଓ ବ୍ରେଣ୍ଡନ୍ ମ୍ୟାକଲମ୍ ଯଥାକ୍ରମେ ଇଂଲଣ୍ଡର ଅଧିନାୟକ ଓ ପ୍ରଶିକ୍ଷକ ରହିଛନ୍ତି। ମ୍ୟାକଲମ୍ ଓ ଷ୍ଟୋକ୍ସ ଦାୟିତ୍ବ ନେବା ପରେ ଇଂଲଣ୍ଡ ଅଧିକ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ଆରମ୍ଭ କରିଛି। ସେପଟେ ବୁମ୍ରା ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ପ୍ରଥମ ଥର ତୁଲାଇବେ। ଏଣୁ ତାଙ୍କ ପାଇଁ ଏହି ମ୍ୟାଚ୍ କଠିନ ଆହ୍ବାନ ନେଇ ଆସିବ।
ରୋହିତ ବାଦ୍ ପଡ଼ିବା ଭାରତ ପାଇଁ ବଡ଼ ଝଟ୍କା
କାରୋନା ସଂକ୍ରମିତ ହୋଇ ନିୟମିତ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ମହତ୍ବପୂର୍ଣ୍ଣ ପଞ୍ଚମ ଟେଷ୍ଟ୍ରୁ ବାଦ ପଡ଼ିଛନ୍ତି। ବୁଧବାର ଏହି ଆଶଙ୍କା ପ୍ରକାଶ ପାଇଥିଲେ ମଧ୍ୟ ଗୁରୁବାର ଜାତୀୟ ଚୟନସମିତି ଏହି ଖବରରେ ମୋହର ଲଗାଇଛି। ରୋହିତ ବାଦ୍ ପଡ଼ିବା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୱିକେଟ୍ରକ୍ଷକ ଋଷଭ ପନ୍ତଙ୍କୁ ଉପଅଧିନାୟକ ପଦ ମିଳିଛି। ଉଭୟଙ୍କ ନିଯୁକ୍ତିକୁ ବିସିସିଆଇ ମଧ୍ୟ ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି। ଲିସେଷ୍ଟରସାୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍ ଅବସରରେ ରୋହିତ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
ସମ୍ଭାବ୍ୟ ଭାରତ:ଯଶପ୍ରୀତ ବୁମ୍ରା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, ହନୁମା ବିହାରି, ଚେତେଶ୍ବର ପୂଜାରା/ମୟଙ୍କ ଅଗ୍ରୱାଲ୍, ଋଷଭ ପନ୍ତ (ଉପଅଧିନାୟକ), କେଏସ୍ ଭରତ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍ ଅଶ୍ବିନ/ଶାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ।
ଇଂଲଣ୍ଡ ଏକାଦଶ:ବେନ୍ ଷ୍ଟୋକ୍ସ (ଅଧିନାୟକ), ଜେମ୍ସ ଆଣ୍ଡରସନ୍, ଜୋନାଥନ୍ ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ଷ୍ଟୁଆର୍ଟ ବ୍ରଡ୍, ଜ୍ୟାକ୍ କ୍ରଲି, ଜ୍ୟାକ୍ ଲିଚ୍, ଆଲେକ୍ସ ଲିସ୍, ମାଥ୍ୟୁ ପଟ୍ସ, ଓଲି ପୋପ୍, ଜୋ ରୁଟ୍।
ଅଧିନାୟକ ପଦ ମୋ ଜୀବନର ସବୁଠୁ ବଡ଼ ସଫଳତା: ବୁମ୍ରା
ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ନିଯୁକ୍ତ ହେବା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏହାକୁ ନିଜ ଜୀବନର ସବୁଠାରୁ ବଡ଼ ସଫଳତା ଭାବେ ବର୍ଣ୍ଣନା କରିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଏହା ଏକ ବିରାଟ ସଫଳତା, ବଡ଼ ସମ୍ମାନ, ଟେଷ୍ଟ୍ କ୍ରିକେଟ୍ ଖେଳିବା ମୋ ସ୍ବପ୍ନ ଥିଲା। ଭାରତ ଟେଷ୍ଟ୍ ଦଳର ଅଧିନାୟକ ହେବା ମୋ ପାଇଁ ବହୁତ ବଡ଼ କଥା। ଏହି ଖବର ମୋତେ ଅସୀମ ଆନନ୍ଦ ଦେଇଛି। ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ମହାନ ଖେଳାଳିଙ୍କ କ୍ଲବ୍ରେ ସାମିଲ ହୋଇଥିବାରୁ ବହୁତ ଖୁସି ଲାଗୁଛି।