ଖୁବ୍‌ ଶୀଘ୍ର ଦଳକୁ ପ୍ରତ୍ୟାବର୍ତନ ନେଇ ସଂକେତ ଦେଲେ ବୁମ୍‌ରା

ନୂଆଦିଲ୍ଲୀ: ଆହତ ଯୋଗୁଁ ଦଳଠୁ ଦୂରେଇ ରହିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମରା ଖୁବ୍‌ ଶୀଘ୍ର ପ୍ରତ୍ୟାବର୍ତନ କରିବେ ବୋଲି ମଙ୍ଗଳବାର ସଂକେତ ଦେଇଛନ୍ତି। ତାଙ୍କର ସଦ୍ୟ ସାମା‌ଜିକ ଗଣମାଧ୍ୟମରେ ଏନେଇ ବୁମ୍‌ରା ପୋଷ୍ଟ କରିଛନ୍ତି। ସେଥିରେ ସେ କ୍ୟାପ୍‌ସନ୍‌ ଲେଖିଛନ୍ତି ‘ଖୁବ୍‌ ଶୀଘ୍ର’। ତାଙ୍କ ତଳି ପିଠିରେ ଆଘାତ ଲାଗିଥିବା ସେପ୍ଟେମ୍ବର ୨୪ ତାରିଖରେ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା। ସେଥିପାଇଁ ଚଳିତ ମାସ ପ୍ରାରମ୍ଭରେ ସେ ଜାତୀୟ କ୍ରିକେଟ୍‌ ଏକାଡେମି ମୁଖ୍ୟ ଫିଜିଓଥେରାପିଷ୍ଟ ଅଭିଷେକ କୌଶିକଙ୍କ ସହ ୟୁକେ ଯାତ୍ରା କରିଥିଲେ। ସେଠାରେ ପିଠି ସମସ୍ୟା ନେଇ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ହେଲେ ଏବେ ତାଙ୍କର ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ ବୋଲି ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ କହିଥିଲେ। ତେବେ ବୁମ୍‌ରାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ବିସିସିଆଇ ସାଧାରଣରେ କିଛି ସୂଚନା ଦେଇନଥିଲା ବେଳେ କେବଳ ଆଘାତ ସାମାନ୍ୟ ବୋଲି ଏକ ପ୍ରେସ୍‌ ଇସ୍ତାହାରରେ କହିଥିଲା। ତେଣୁ ବୁମରା ଆଶାଠୁ ଢେର ସମୟ ପୂର୍ବରୁ ଦଳକୁ ଫେରିବେ ବୋଲି ଅରୁଣ କହିଥିଲେ। ଏପରିକି ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା ପୂର୍ବରୁ ସେ ଫେରିବାର ଆଶା ରଖିଛୁ ବୋଲି ଅରୁଣ କହିଥିଲେ। ଶେଷରେ ନିଜେ ବୁମ୍‌ରା ଏନେଇ ମଙ୍ଗଳବାର ନିଜଆଡୁ ସଂକେତ ଦେଇଛନ୍ତି। ନିଜର ଜିମ୍‌ ସେସନ୍‌ ବେଳେ ‘ଖୁବ୍‌ ଶୀଘ୍ର’ ଲେଖି ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ବୁମ୍‌ରା ଆହତ ଯୋଗୁଁ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲା ବେଳେ ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳାରୁ ମଧ୍ୟ ଦଳ ବାହାରେ ରହିଛନ୍ତି। ତେବେ ସେ ୱେଷ୍ଟଇଣ୍ଡିଜ୍‌ ଏବଂ ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳାକୁ ଫେରିପାରନ୍ତି ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର