ଦୁବାଇ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ନିଜ ଜାଜ୍ଜ୍ବଲ୍ୟମାନ କ୍ରିକେଟ୍ ଜୀବନରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ୩୧ବର୍ଷୀୟ ବୁମ୍ରା ସୋମବାର ୨୦୨୪ ମସିହା ପାଇଁ ଆଇସିସିର ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ଘୋଷିତ ହୋଇଛନ୍ତି। ଏହି ପୁରସ୍କାର ପାଇବାରେ ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଏବଂ ମୋଟ ଉପରେ ଷଷ୍ଠ ଭାରତୀୟ କ୍ରିକେଟର୍ ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ ‘ଦ ୱାଲ୍’ ରାହୁଲ ଦ୍ରାବିଡ଼ (୨୦୦୪), ଗୌତମ ଗମ୍ଭୀର (୨୦୦୯), ବୀରେନ୍ଦ୍ର ସେହବାଗ (୨୦୧୦), ରବିଚନ୍ଦ୍ରନ୍ ଅଶ୍ବିନ (୨୦୧୬) ଓ ବିରାଟ କୋହଲି (୨୦୧୮) ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି।
ଅତୁଳନୀୟ ପ୍ରତ୍ୟାବର୍ତ୍ତନର ଅସାଧାରଣ ଉଦାହରଣ ସୃଷ୍ଟି କରି ବୁମ୍ରା ଗତବର୍ଷ ୧୩ ମ୍ୟାଚ୍ ଖେଳି ୭୧ ୱିକେଟ୍ କରାୟତ୍ତ କରିଛନ୍ତି। ୨୦୨୪ରେ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସହ ଭାରତର ଇଂଲଣ୍ଡ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେ।
ମନ୍ଧାନା ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର୍
ଭାରତୀୟ କ୍ରିକେଟ୍ ପାଇଁ ଆଉ ଏକ ଖୁସି ଖବର କ୍ରମରେ ଓପନର୍ ସ୍ମୃତି ମନ୍ଧାନା ଆଇସିସି ମହିଳା ଦିନିକିଆ କ୍ରିକେଟର୍ ଘୋଷିତ ହୋଇଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଦଳର ଉପଅଧିନାୟିକା ମନ୍ଧାନା ଗତବର୍ଷ ଖେଳିଥିବା ୧୩ ପାଳିରୁ ୫୭.୮୬ ହାର ଏବଂ ୯୫.୧୪ ଷ୍ଟ୍ରାଇକ୍ ରେଟ୍ରେ ୭୪୭ ରନ୍ ଅମଳ କରିଛନ୍ତି। ଯାହା ହେଉଛି ମହିଳା କ୍ରିକେଟ୍ରେ ସର୍ବାଧିକ। ଏହା ପୂର୍ବରୁ ମନ୍ଧାନା ୨୦୧୮ ମସିହାରେ ମଧ୍ୟ ଏହି ସମ୍ମାନଜନକ ପୁରସ୍କାର କରାୟତ୍ତ କରିଥିଲେ। ବାମହାତୀ ବ୍ୟାଟର୍ ମନ୍ଧାନା ୨୦୨୪ରେ ଚାରିଟି ଶତକ ଅର୍ଜନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ଦୁଇଟି ଶତକ ହାସଲ କରିବା ପରେ ତୃତୀୟ ଦିନିକିଆରେ ଅଳ୍ପକେ ଶତକରୁ ବଞ୍ଚିତ (୯୦ ରନ୍) ହୋଇଥିଲେ ସେ। ସେହିଭଳି ଅହମଦାବାଦଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଶତକ ହାସଲ କରିବା ପରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଶତକ ଛୁଇଁଥିଲେ। ସେହିଭଳି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ।
ଏହି ଅତୁଳନୀୟ ପ୍ରଦର୍ଶନ ଭିତରେ ବୁମ୍ରା ମଧ୍ୟ ଅନେକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ୟାରିୟର୍ ଶ୍ରେଷ୍ଠ ପ୍ରଦର୍ଶନ ସହ ଆଧୁନିକ କ୍ରିକେଟ୍ର ଅନ୍ୟତମ ମହାନ ଦ୍ରୁତ ବୋଲର ଭାବେ ନିଜକୁ ସ୍ଥାପିତ କରିପାରିଛନ୍ତି। ୨୦୨୪ କ୍ୟାଲେଣ୍ଡର୍ ବର୍ଷ ସାରା ବୁମ୍ରା ଉଭୟ ଘରୋଇ ଓ ବିଦେଶରେ ବହୁ ବ୍ୟାଟର୍ଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର କେପ୍ଟାଉନ୍ ହେଉ କି ଅଷ୍ଟ୍ରେଲିଆର ପର୍ଥ ସବୁଠି ନିଜ ଅଲିଭା ଛାପ ଛାଡ଼ିଛନ୍ତି। ଗତବର୍ଷ ସେ କେବଳ ସର୍ବାଧିକ ୱିକେଟ୍ ନେଇ ନାହାନ୍ତି ୧୪.୯୨ ହାରରେ ଏବଂ ୩୦.୧ ଷ୍ଟ୍ରାଇକ୍ ରେଟ୍ରେ ୱିକେଟ୍ ନେଇ ବ୍ୟାଟର୍ଙ୍କ ବନ୍ଧୁ ପାଲଟିଥିବା ଆଧୁନିକ କ୍ରିକେଟ୍ରେ ନିଜ ଦବଦବା କାୟମ ରଖିଛନ୍ତି। ଏହିବର୍ଷ ବୁମ୍ରା କ୍ରିକେଟ୍ ଇତିହାସରେ ସବୁଠାରୁ କମ୍ ହାର (୧୪.୪)ରେ ୨୦୦ ଟେଷ୍ଟ୍ ୱିକେଟ୍ର ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ୩୨ ୱିକେଟ୍ ଅକ୍ତିଆର କରି ନୂଆ କୀର୍ତ୍ତିମାନ କରିଥିଲେ ସେ। ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ପୁରସ୍କାର ପାଇବା ବାଟରେ ବୁମ୍ରା ୨୦୨୪ର ସର୍ବାଧିକ ରନ୍ ସଂଗ୍ରହକାରୀ ଇଂଲଣ୍ଡର ଜୋ ରୁଟ୍, ଇଂଲଣ୍ଡର ତାରକା ବ୍ୟାଟର୍ ହ୍ୟାରି ବ୍ରୁକ୍ ଓ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍ଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇଥିଲେ। ଏହା ପୂର୍ବରୁ ବାମହାତୀ ବୋଲର ଅର୍ଶଦୀପ ସିଂହ ଆଇସିସିର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ବୋଲର ଘୋଷିତ ହୋଇଥିବାରୁ ଭାରତୀୟ କ୍ରିକେଟ୍ ପାଇଁ ଏହି ଖବର ଯୁଗଳ ଖୁସି ନେଇ ଆସିଛି। ଆଇସିସି ‘ଏକ୍ସ’ରେ ବୁମ୍ରାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଶୁଭକାମନା ଜଣାଇଛି। ବୁମ୍ରା ମଧ୍ୟ ଏହି ପୁରସ୍କାର ଲାଗି ଆଇସିସି, ବିସିସିଆଇ, ସାଥୀ ଖେଳାଳି ଓ ପ୍ରଶଂସକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।