ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଇତିହାସ ରଚିଛନ୍ତି। ସେ ଭାରତୀୟ ବୋଲର ଭାବେ ସର୍ବାଧିକ ଆଇସିସି ରେଟିଂ ପଏଣ୍ଟ୍ ପାଇବାର ଗୌରବ ପାଇଛନ୍ତି। ବୁଧବାର ପ୍ରକାଶିତ ଆଇସିସି ମାନ୍ୟତାରେ ବୁମ୍ରା (୯୦୮) ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ପୂର୍ବରୁ ସର୍ବାଧିକ ଆଇସିସି ରେଟିଂ ପଏଣ୍ଟ୍ ପାଇବାରେ ରବିଚନ୍ଦ୍ରନ ଅଶ୍ବିନ (୯୦୭)ଙ୍କ ସହ ବୁମ୍ରା ସମକକ୍ଷ ଥିଲେ। ସିଡ୍ନି ଟେଷ୍ଟ୍ରେ ସେ ୨ ୱିକେଟ୍ ନେବାରୁ ତାଙ୍କ ପଏଣ୍ଟ୍ ସଂଖ୍ୟା ୯୦୮ରେ ପହଞ୍ଚିବା ସହ ଅଶ୍ବିନଙ୍କୁ ଟପିଥିଲେ।
ସଦ୍ୟ ପ୍ରକାଶିତ ମାନ୍ୟତାରେ ବୁମ୍ରାଙ୍କ ସହ ଦ୍ବିତୀୟ ଭାରତୀୟ ଭାବେ ରବୀନ୍ଦ୍ର ଜାଡ଼େଜା (ନବମ) ଶୀର୍ଷ ୧୦ରେ ରହିଛନ୍ତି। ସିଡ୍ନି ଟେଷ୍ଟ୍ରେ ୧୦ ୱିକେଟ୍ ନେଇଥିବା ଅଷ୍ଟ୍ରେଲିଆ ଦ୍ରୁତ ବୋଲର ସ୍କଟ୍ ବୋଲାଣ୍ଡ ୨୯ ସ୍ଥାନ ଉଠି ଜାଡ଼େଜାଙ୍କ ସହ ଯୁଗ୍ମ ନବମ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ପାଟ୍ କମିନ୍ସ ଦ୍ବିତୀୟକୁ ଏବଂ ଦକ୍ଷିଣ ଆଫ୍ରିକାର କାଗିସୋ ରବଡ଼ା ତୃତୀୟକୁ ଉଠିଛନ୍ତି। ଆହତ ଜୋସ୍ ହାଜେଲ୍ଉଡ୍ ଦୁଇଟି ସ୍ଥାନ ଖସି ଚତୁର୍ଥରେ ପହଞ୍ଚିଛନ୍ତି। ବ୍ୟାଟିଂରେ ଋଷଭ ପନ୍ତ (ନବମ) ୩ ସ୍ଥାନ ଉଠି ଶୀର୍ଷ ୧୦ରେ ପହଞ୍ଚିଥିଲା ବେଳେ ଯଶସ୍ବୀ ଜୟସ୍ବାଲ ଚତୁର୍ଥରେ ସ୍ଥିର ରହିଛନ୍ତି।