ଦୁବାଇ: ଆଘାତ ଜନିତ ସମସ୍ୟା ପାଇଁ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଚଳିତ ଚାମ୍ପିଅନ୍ସ ଟ୍ରଫି ଲାଗି ଭାରତୀୟ ଦଳରେ ସାମିଲ ନାହାନ୍ତି। ହେଲେ ଭାରତ-ପାକିସ୍ତାନ ମହାମୁକାବିଲାରୁ ନିଜକୁ ଦୂରେଇ ରଖି ପାରି ନାହାନ୍ତି ସେ। ସେଥିପାଇଁ ବୁମ୍‌ରା ରବିବାର ସକାଳୁସକାଳୁ ଦୁବାଇ ପହଞ୍ଚି ଯାଇଥିଲେ। ମ୍ୟାଚ୍ ବେଳେ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହି ଭାରତୀୟ ଦଳକୁ ନିୟମିତ ଉତ୍ସାହିତ କରିଥିଲେ। ତାଙ୍କ ଉପସ୍ଥିତି ଭାରତୀୟ ବୋଲରଙ୍କ ମନୋବଳକୁ ମଧ୍ୟ ଯଥେଷ୍ଟ ବଢ଼ାଇଥିଲା। ଫଳରେ ମହମ୍ମଦ ସାମି କିଛି ସମୟ ପାଇଁ ଆହତ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ ମଧ୍ୟ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତୀୟ ବୋଲର୍‌ମାନେ ପାକିସ୍ତାନୀ ବ୍ୟାଟର୍‌କୁ ହାତଖୋଲା ସଟ୍ ଖେଳିବାର କୌଣସି ସୁଯୋଗ ଦେଇ ନଥିଲେ।

Advertisment

ମ୍ୟାଚ୍‌ ଆରମ୍ଭ ହେବାର ଢେର୍‌ ପୂର୍ବରୁ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବୁମ୍‌ରା ପ୍ରବେଶ କରୁଥିବାର ଚିତ୍ର ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏହି ମ୍ୟାଚ୍ ଅବସରରେ ମଧ୍ୟ ବୁମ୍‌ରା ଆଇସିସି କ୍ରିକେଟର୍ ଅଫ୍ ଦ ଇୟର ଏବଂ ଆଇସିସି ଟେଷ୍ଟ୍ କ୍ରିକେଟର୍ ଅଫ୍ ଦ ଇୟର ପୁରସ୍କାର ଗ୍ରହଣ କରିଥିଲେ। ରବିବାର ମଧ୍ୟ ଦର୍ଶକ ଗ୍ୟାଲେରିରେ ରୋହିତଙ୍କ ପତ୍ନୀ ରିତିକା ଏବଂ ଝିଅ ସମାଇରା ଓ ପୁଅ ଆହାନଙ୍କୁ ଦେଖିବାକୁ ମିଳିଥିଲେ। ସେମାନେ ମଧ୍ୟ ଭାରତୀୟ ଦଳକୁ ଉତ୍ସାହିତ କରିଥିଲେ। ଭାରତୀୟ ଟ୍ବେଣ୍ଟି-୨୦ ଦଳର ବହୁ ସଦସ୍ୟ ମଧ୍ୟ ଉପସ୍ଥିତ ରହି ଏହି ଐତିହାସିକ ମ୍ୟାଚ୍‌କୁ ଉପଭୋଗ କରିଥିଲେ। ସୂର୍ଯ୍ୟକୁମାର ୟାଦବ, ଅଭିଷେକ ଶର୍ମା, ତିଳକ ବର୍ମା ପ୍ରମୁଖ ନିଜରକୁ ଆସିଥିଲେ।