ନୂଆଦିଲ୍ଲୀ: ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କ୍ରମ ଦୁର୍ବଳ ହୋଇପଡ଼ିଥିବା ଅନୁଭବ କରିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍। ମୁମ୍ବାଇ ବର୍ତ୍ତମାନ ୧୩ ମ୍ୟାଚ୍ରୁ ୧୪ ପଏଣ୍ଟ ପାଇ ପ୍ଲେ ଅଫ୍ ଯୋଗ୍ୟତା ପାଇଁ ସଂଘର୍ଷ କରୁଛି। ମୁମ୍ବାଇ ତାହାର ଶେଷ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରବିବାର ଖେଳିବ। ଗତ ସେପ୍ଟେମ୍ବର ମାସରୁ ଆଦୌ କ୍ରିକେଟ୍ ଖେଳିନଥିବା ବୁମ୍ରା ମୁମ୍ବାଇ ଇଣ୍ଡିଆନ୍ସର ୫ ଆଇପିଏଲ୍ ଟାଇଟଲ ଦଳର ସଦସ୍ୟ ଥିଲେ। ଏପରିକି ବୁମ୍ରା ମୁମ୍ବାଇ ବିଜୟରେ ବଡ଼ ଭୂମିକା ନେଇଥା’ନ୍ତି। ମୁମ୍ବାଇ ପାଇଁ ବୁମ୍ରା ୧୨୦ ମ୍ୟାଚ୍ ଖେଳିଥିଲା ବେଳେ ୧୪୫ ୱିକେଟ୍ ନେଇଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ୍ ଉନ୍ନୟନର ଗ୍ଲୋବାଲ୍ ମୁଖ୍ୟ ଭାବେ ଜାହିର ବର୍ତ୍ତମାନ କାର୍ଯ୍ୟ କରୁଥିଲା ବେଳେ ଶେଷ ଲିଗ୍ ମ୍ୟାଚ୍ ପୂର୍ବରୁ ସାମ୍ବାଦିକଙ୍କ ସହିତ ବାର୍ତ୍ତାଳାପ ସମୟରେ ବୁମ୍ରାଙ୍କ ବିନା ମୁମ୍ବାଇ କେମିତି ଦୁର୍ବଳ ହୋଇପଡ଼ିଛି ତାହା ବାଖ୍ୟା କରିଥିଲେ। ତାଙ୍କ ଅନୁସାରେ, ବର୍ତ୍ତମାନ ପରିସ୍ଥିତିରେ ବୁମ୍ରାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ମିସ୍ କରୁଛି। ଏଥିରେ ସନ୍ଦେହ ନାହିଁ। ବୁମ୍ରା ଜଣେ ମ୍ୟାଚ୍ ବିଜେତା। ମୁମ୍ବାଇ ବୋଲିଂ କ୍ରମରେ ଅନେକ ଅଭିଜ୍ଞ ବୋଲର ଅଛନ୍ତି। ସେମାନଙ୍କ ଭିତରୁ ପୀୟୂଷ ଚାୱଲା ମଧ୍ୟ ଭଲ ପ୍ରଦର୍ଶନ ଦେଇଛନ୍ତି। ଜଣେ ବରିଷ୍ଠ ବୋଲରର ଦାୟିତ୍ବ କ’ଣ ହେବା କଥା ତାହା ସେ କରି ଦେଖାଇଛନ୍ତି। ଏହାସତ୍ତ୍ବେ ବୋଲିଂ କ୍ରମରେ ଦୁର୍ବଳତା ରହିଯାଉଥିବା ଦେଖାଯାଉଛି। ଯଦି ବୁମ୍ରା ଏକାଦଶରେ ଥା’ନ୍ତେ, ତାହେଲେ ସ୍ଥିତି କିଛି ଭିନ୍ନ ହୋଇଥା’ନ୍ତା ବୋଲି ଜାହିର କହିଛନ୍ତି।