ନୂଆଦିଲ୍ଲୀ: ପୂର୍ବତନ ୱେଷ୍ଟ୍‌ଇଣ୍ଡିଜ୍‌ ମହାନ ବ୍ରାଏନ୍ ଲାରା ଶୁକ୍ରବାର ନିଜ ‘ଗୋଟ୍‌’ (ଗ୍ରେଟେଷ୍ଟ୍ ଅଫ୍ ଅଲ୍ ଟାଇମ୍‌) ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଏକମାତ୍ର ଭାରତୀୟ ଭାବେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ସାମିଲ ରହିଛନ୍ତି। ବୁମ୍‌ରାଙ୍କ ସହ ଗ୍ଲେନ୍ ମ୍ୟାକ୍‌ଗ୍ରା, ଜ୍ୟାକ୍ କାଲିସ୍‌, ଆଡାମ ଗିଲକ୍ରିଷ୍ଟ୍ ବି ଏହି ତାଲିକାରେ ରହିଛନ୍ତି। ‘ଷ୍ଟିକ୍ ଟୁ କ୍ରିକେଟ୍‌’ ନାମକ ଏକ ପୋଡ୍‌କାଷ୍ଟ୍‌ରେ ପୂର୍ବତନ ଇଂଲଣ୍ଡ କ୍ରିକେଟର୍ ଫିଲ୍ ଟଫେଲ୍‌, ଆଲେଷ୍ଟର୍ କୁକ୍‌, ମାଇକେଲ୍ ଭନ୍‌ ଓ ଡେଭିଡ୍ ଲୟଡଙ୍କ ସହ ଆଲୋଚନା ବେଳେ ଲାରା ଏହି ଚୟନ କରିଛନ୍ତି। 

Advertisment

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ବୁମ୍‌ରା ସମସ୍ତ ଫର୍ମାଟରେ ୨୦୬ ମ୍ୟାଚ୍‌ ଖେଳି ୨୦.୭୬ ହାରରେ ୪୫୫ ୱିକେଟ୍ ଦଖଲ କରିସାରିଛନ୍ତି। ୧୭ଟି ୫ ୱିକେଟ୍ ସଫଳତା ଏବଂ ୬/୧୯ ଶ୍ରେଷ୍ଠ ବୋଲିଂ ଚିତ୍ର ରଖିଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ସେ ଅଧିକ ପ୍ରଭାବୀ ରହି ୪୭ ମ୍ୟାଚ୍‌ରୁ ୨୧୭ ୱିକେଟ୍ ଦଖଲ କରିଛନ୍ତି ୧୯.୪୮ ହାରରେ। ଲିଜେଣ୍ଡ୍‌ସ ବର୍ଗରେ ଲାରା ଭାରତୀୟ ବ୍ୟାଟର୍‌ ରୋହିତ ଶର୍ମାଙ୍କ ସହିତ କ୍ରିସ୍ ଗେଲ୍‌, ସାହିନ ସାହା ଆଫ୍ରିଦି, କେଭିନ୍ ପିଟରସନ୍‌, କେନ୍ ୱିଲିୟମ୍‌ସନ୍‌ଙ୍କୁ ବାଛିଛନ୍ତି। ରୋହିତ ୪୯୯ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୪୨.୧୮ ହାରରେ ୧୯,୭୦୦ ରନ୍ ସଂଗ୍ରହ କରିଛନ୍ତି। ସୀମିତ ଓଭରରେ ଏକାଧିକ ରେକର୍ଡ ତାଙ୍କ ନାମରେ ରହିଥିବା ବେଳେ ସର୍ବାଧିକ ବିଶ୍ବକପ୍‌ ଶତକ ଏବଂ ସର୍ବାଧିକ ଟ୍ବେଣ୍ଟି-୨୦ ଶତକ ରେକର୍ଡ ବି ସାମିଲ ରହିଛି।