ଦୁବାଇ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ହଟାଇ ଦକ୍ଷିଣ ଆଫ୍ରିକୀୟ କାଗି ସୋ ରବାଡ଼ା ଆଇସସି ପୁରୁଷ ଟେଷ୍ଟ୍ ବୋଲର ମାନ୍ୟତାର ଏକନମ୍ବର ବୋଲର୍‌ ହୋଇଛନ୍ତି। ମୀରପୁରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୭ ୱିକେଟ୍ ନେଇ ୩୦୦ ୱିକେଟ୍‌ର ମାଇଲଖୁଣ୍ଟ ଛୁଇଁବା ପରେ ଆଇସିସି ମାନ୍ୟତାର ଏକନମ୍ବର ସ୍ଥାନ ଅଧିକାର କରିବା ତାଙ୍କ ପାଇଁ ଯୁଗଳ ଖୁସି ନେଇ ଆସିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଗୋଟିଏ ହେଲେ ବି ୱିକେଟ୍ ନପାଇବା ପରେ ବୁମ୍‌ରାଙ୍କ ମାନ୍ୟତାରେ ଅବନତି ଘଟିଛି। ବୁମ୍‌ରା ଦୁଇଟି ସ୍ଥାନ ତଳକୁ ଖସି ଅଷ୍ଟ୍ରେଲିଆର ଜୋସ୍ ହାଜଲଉଡ୍‌ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଟେଷ୍ଟ୍‌ରେ ଆଶାଜନକ ପ୍ରଦର୍ଶନ କରି ନପାରିବା ପରେ ଅଭିଜ୍ଞ ଭାରତୀୟ ଅଫ୍‌ସ୍ପିନର ଆର୍‌ ଅଶ୍ବିନ ମଧ୍ୟ ଦୁଇଟି ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ପଞ୍ଚମ ସ୍ଥାନରେ ସ୍ଥିର ରହିଛନ୍ତି।

Advertisment

ନ୍ୟୁଜିଲାଣ୍ଡକୁ ଭାରତ ବିପକ୍ଷରେ ବିରଳ ଶୃଙ୍ଖଳା ବିଜୟ ଉପହାର ଦେଇଥିବା ଏହି ଦେଶର ବାମହାତୀ ସ୍ପିନର୍‌ ମିଚେଲ ସାଣ୍ଟନର୍ ୩୦ସ୍ଥାନ ଉପରକୁ ଲମ୍ଫ ମାରି କ୍ୟାରିୟର୍ ଶ୍ରେଷ୍ଠ ୪୪ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଭାରତୀୟ ଯୁବ ଓପନର ଯଶସ୍ବୀ ଜୟସ୍ବାଲ କିନ୍ତୁ ଭାରତର ଶ୍ରେଷ୍ଠ ମାନ୍ୟତାପାପ୍ତ ବ୍ୟାଟର୍ ଭାବେ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୱିକେଟ୍ ରକ୍ଷକ ଋଷଭ ପନ୍ତ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ଯଥାକ୍ରମେ ୧୧ ଓ ୧୪ତମ ସ୍ଥାନକୁ ଖସି ଯାଇଛନ୍ତି। ପନ୍ତ ୫ ଏବଂ କୋହଲି ୬ସ୍ଥାନ ତଳକୁ ଖସିବା ଉଭୟଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ଭାରତ ବିପକ୍ଷ ଶୃଙ୍ଖଳା ବିଜୟ ପରେ ନ୍ୟୁଜିଲାଣ୍ଡ ଓପନର ଡେଭନ୍ କନୱେ (୨୮) ୬, ଟମ୍ ଲାଥାମ (୩୪) ୬, ଗ୍ଲେନ୍ ଫିଲିପ୍ସ (୪୫) ୧୬ସ୍ଥାନ ଉପରକୁ ଉଠିବା ନୂଆ ତାଲିକାର ଉଲ୍ଲେଖନୀୟ ଘଟଣା ହୋଇଛି। ଅଲରାଉଣ୍ଡର୍ ମାନ୍ୟତାରେ ଅବଶ୍ୟ ଭାରତ ଦୁଇ ପୁରୁଖା ନାୟକ ରବୀନ୍ଦ୍ର ଜାଡ଼େଜା ଓ ଆର୍‌ ଅଶ୍ବିନ ପ୍ରଥମ-ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି।