ଦୁବାଇ : ଯଶ୍ପ୍ରୀତ୍ ବୁମ୍ରା ବିଶ୍ବର ସର୍ବଶ୍ରେଷ୍ଠ ଟି-୨୦ ବୋଲର। ଏକଥା କହିଛନ୍ତି ଚଳିତ ଆଇପିଏଲ୍ରେ ଫାଇନାଲ୍ ପ୍ରବେଶ କରିସାରିଥିବା ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ପ୍ରଶିକ୍ଷକ ସେନ୍ ବଣ୍ଡ୍। ଆଇପିଏଲ୍ରେ ସବୁବେଳେ ବୁମ୍ରାଙ୍କ ବୋଲିଂ ଦେଖିବା ଭାଗ୍ୟର କଥା ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଦ୍ବାରା ଟ୍ବିଟରରେ ପୋଷ୍ଟ୍ କରାଯାଇଥିବା ଏକ ଭିଡିଓରେ ବର୍ଣ୍ଣନା କରିଛନ୍ତି ନ୍ୟୁଜିଲାଣ୍ଡ୍ର ଦ୍ରୁତ ବୋଲର ବଣ୍ଡ୍। ଏହି ଅବସରରେ ବଣ୍ଡ୍ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ନ୍ୟୁଜିଲାଣ୍ଡ୍ ଦ୍ରୁତ ବୋଲର ଟ୍ରେଷ୍ଟ୍ ବୋଲ୍ଟଙ୍କୁ ପ୍ରଶଂସା କରିଛନ୍ତି। ଉଭୟ ବୁମ୍ରା ଓ ବୋଲ୍ଟଙ୍କ ଯୋଗୁଁ ମୁମ୍ବାଇ ଚଳିତ ବର୍ଷର ଫାଇନାଲ୍ ସ୍ଥାନ ପକ୍କା କରିପାରିଛି। ବୋଲ୍ଟଙ୍କ ସହ ୨୦୧୨ରୁ କାର୍ଯ୍ୟ କରିବାକୁ ମୁଁ ଉପଭୋଗ କରିଆସୁଛି। ଆମେ ତାଙ୍କ ଶ୍ରେଷ୍ଠ ବୋଲିଂକୁ ଦେଖିଆସିଛୁ। ତାଙ୍କୁ ଦଳରେ ପାଇ ଆମେ ଖୁବ୍ ଉତ୍ସାହିତ ବୋଲି ବଣ୍ଡ୍ କହିଛନ୍ତି।
ସବୁଠୁ ସ୍ବଳ୍ପ ପଏଣ୍ଟ ବ୍ୟବଧାନ
ଦୁବାଇ : ଚଳିତ ଆଇପିଏଲ୍ରେ ପ୍ରତି ଦଳ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ସ୍ତର ସବୁଠୁ ଭଲ ରହିଛି। ଏହା ପଏଣ୍ଟ ଟେବୁଲର ବ୍ୟବଧାନରୁ ସ୍ପଷ୍ଟ ହୋଇଛି। ଏଥର ସବୁଠୁ କମ୍ ପଏଣ୍ଟ୍ ବ୍ୟବଧାନରେ ରହିଛନ୍ତି ଶୀର୍ଷ ଓ ଶେଷ ଦଳ। ମୁମ୍ବାଇ ଇଣ୍ଡିଆନ୍ସ (୧୮) ଏବଂ ରାଜସ୍ଥାନ ରୟାଲ୍ସ (୧୨) ମଧ୍ୟରେ ମାତ୍ର ୬ ପଏଣ୍ଟର ବ୍ୟବଧାନ ରହିଛି। ସର୍ବାଧିକ ୮ ପଏଣ୍ଟର ବ୍ୟବଧାନ ୨୦୧୮ ମସିହାରେ (ହାଇଦ୍ରାବାଦ ୧୮, ଦିଲ୍ଲୀ-୧୦) ଦେଖିବାକୁ ମିଳିଥିଲା। ୨୦୧୯ରେ ଏହା ୭କୁ ଖସିଥିଲା (ମୁମ୍ବାଇ ୧୮, ବାଙ୍ଗାଲୋର୍ ୧୧)। ଅର୍ଥାତ୍ ବିଗତ ୩ ବର୍ଷ ମଧ୍ୟରେ ଶୀର୍ଷ ଓ ଶେଷ ସ୍ଥାନ ମଧ୍ୟରେ ପଏଣ୍ଟ୍ ବ୍ୟବଧାନ ଲଗାତାର ଭାବେ କମିଚାଲିଛି। ସନ୍ରାଇଜର୍ସ ହାଇବ୍ରାବାଦ କ୍ରମାଗତ ଷଷ୍ଠ ଥର (୨୦୧୬-୨୦୨୦) ପାଇଁ ପ୍ଲେ ଅଫ୍/ନକ୍ ଆଉଟ୍ ଯୋଗ୍ୟତା ଅର୍ଜନ କରିଛି, ଯାହାକି ତୃତୀୟ ସର୍ବାଧିକ। ଚେନ୍ନାଇ ସୁପର୍ କିଙ୍ଗ୍ସ (୮ ଥର, ୨୦୦୮-୨୦୧୫) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (୬ ଥର, ୨୦୧୦-୨୦୧୫) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Bumrah-is-the-best-T20-bowler-in-the-world.jpg)