ବୁମ୍‌ରାଙ୍କ ସଂଘର୍ଷର କାହାଣୀ: ହଳେ ଜୋତା, ଗୋଟିଏ ଟି-ସାର୍ଟରେ ଖେଳୁଥିଲେ

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍‌ର ଆଗଧାଡ଼ିର ବୋଲରଙ୍କ ମଧ୍ୟରେ ଗଣାଯାଉଥିବା ଭାରତୀୟ ବାମହାତୀ ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ପିଲା ଦିନର କାହାଣୀ ଅତି ସଂଘର୍ଷ ପୂର୍ଣ୍ଣ ଥିଲା। ବୁମ୍‌ରାଙ୍କୁ ୫ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଗରିବ ପରିବାରର ହୋଇଥିବାରୁ ଖେଳିବା ପାଇଁ ଜୋତା କି ଟି ସାର୍ଟ କିଣିବା ଲାଗି ତାଙ୍କ ପାଖରେ ପଇସା ନଥିଲା। ଫଳରେ ଏବେ ପୋଷ୍ଟର ବୟ ଭାବେ ପରିଚିତ ବୁମ୍‌ରାଙ୍କ ପାଖରେ ହଳେ ଜୋତା ଓ ଗୋଟିଏ ଟି ସାର୍ଟ ହିଁ ଥିଲା। ଏହାକୁ ସବୁଦିନ ଧୋଇ ଶୁଖାଇ ‌ପିନ୍ଧି ଖେଳିବାକୁ ଯାଉଥିଲେ।

ସଂପ୍ରତି ତଳିପିଠି ‌ଯନ୍ତ୍ରଣା ଲାଗି ୨୫ ବର୍ଷୀୟ ବୁମ୍‌ରା କ୍ରିକେଟ୍‌ଠୁ ଦୂରେଇ ରହି ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ଲଣ୍ଡନରେ ବୁମ୍‌ରାଙ୍କ ପାଖରେ ତାଙ୍କ ମା’ ଦଲଜିତ ସିଂହ ରହିଛନ୍ତି। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍‌ସ ଟ୍ବିଟର୍‌ ପୃଷ୍ଠାରେ ବୁଧବାର ଏକ ଭିଡ଼ଓ ପ୍ରକାଶ କରିଛି। ଯେଉଁଥିରେ ବୁମ୍‌ରା ଓ ତାଙ୍କ ମା’ ପୂର୍ବଦିନଗୁଡ଼ିକରେ କିଭଳି ସଂଘର୍ଷ କରିଥିଲେ ତା ଉପରେ କହିଛନ୍ତି। ତାକୁ ୫ ବର୍ଷ ‌ହୋଇଥିଲା ବେଳେ ମୁଁ ମୋ ସ୍ବାମୀଙ୍କୁ ହରାଇଥିଲି। ପ୍ରଥମ ଥର ଲାଗି ଯେତେ ବେଳେ ତାକୁ ଆଇପିଏଲ୍‌ ମ୍ୟାଚ୍‌ ଖେଳୁଥିବାର ଦେଖିଲି ମୁଁ ମୋ ଲୁହକୁ ଅଟକାଇ ପାରିନଥିଲି। ମୋର ଆର୍ଥିକ ଓ ଶାରୀରିକ ଅବସ୍ଥା ସେ ପୁରା ଦେଖିଛି। ପୂର୍ବରୁ ସଂଘର୍ଷ କରି ବଞ୍ଚିବା ଶିଖିଥିବାରୁ ସେ ମାନସିକ ଭାବେ ଦୃଢ଼ ବୋଲି ବଲଜିତ କହିଛନ୍ତି। ‌ପିଲା ବେଳେ ମୁଁ କଷ୍ଟରେ ଚଳିଛି। ମୋ ପାଖରେ ହ‌ଳେ ଜୋତା ଓ ଗୋଟିଏ ଟି ସାର୍ଟ ଥିଲା। ମୁଁ ତାକୁ ସଫା କରୁଥିଲି ଓ ଥରକୁ ଥର ପିନ୍ଧୁଥିଲି ବୋଲି ସଂପ୍ରତି ଆଇସିସି ବୋଲର ମାନ୍ୟତାର ଶୀର୍ଷରେ ଥିବା ବୁମ୍‌ରା କହିଛନ୍ତି।

ସମ୍ବନ୍ଧିତ ଖବର