ବୁମ୍‌ରା‌ଙ୍କ ପରାମର୍ଶ କାମଦେଲା: ଈଶାନ୍ତ

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ର ପ୍ରଥମ ପାଳିରେ ଶୁକ୍ରବାର ୫ ୱିକେଟ୍‌ ସଫଳତା ପାଇଁ ଈଶାନ୍ତ ଶର୍ମା ସାଥୀ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ଶ୍ରେୟ ଦେଇଛନ୍ତି। ବର୍ଷା ଯୋଗୁଁ ବଲ୍‌ ଓଦା ରହୁଥିଲା। ସେଥିରେ ବୋଲିଂ କରି ୱିକେଟ୍‌ ବାହାର କରିବା ସହଜ ହେଉନଥିଲା। ଏପରିସ୍ଥଳେ କ୍ରସ୍‌ ସିମ୍‌ ବୋଲିଂ କରିବାକୁ ବୁମ୍‌ରା ମୋତେ ପରାମର୍ଶ ଦେଇଥିଲେ। ଆମେ ମଧ୍ୟ ସେହି ଅନୁଯାୟୀ ବୋଲିଂ କରିପାରିବୁ ବୋଲି ଭାବିଲୁ। ଶେଷରେ ବୁମ୍‌ରାଙ୍କ ପରାମର୍ଶ କାମ ଦେଲା। ଯେଉଁଥି ପାଇଁ ଦିବସର ଶେଷ ୩ ଓଭରରେ ୩ ୱିକେଟ୍‌ ସହିତ ମୋଟ ୫ ୱିକେଟ୍‌ ଅକ୍ତିଆର କରିପାରିଲି ବୋଲି ଈଶାନ୍ତ କହିଛନ୍ତି। କ୍ରସ୍‌ ସିମ୍‌ ବୋଲିଂରେ ମଧ୍ୟ ବଲ୍‌ ବାଉଁସ୍‌ କରୁଥିଲା। ଆମେ ‌ଯେତେଶୀଘ୍ର ପ୍ରତିପକ୍ଷକୁ ଅଲ୍‌ଆଉଟ୍‌ କରିଦେଇପାରିବୁ ତାହା ଦଳ ପାଇଁ ଭଲ ହେବ ବୋଲି ଭାବିଲୁ। ତେଣୁ କ୍ରସ୍‌ ସିମ୍‌ ବୋଲିଂରେ ସଫଳତା ପାଇଲୁ ବୋଲି ଈଶାନ୍ତ କହିଥିଲେ। ଏହା ବ୍ୟତୀତ ସେ ଅକ୍ତିଆର କରିଥିବା ୫ ୱିକେଟ୍‌ ମଧ୍ୟରୁ ଦୁଇଟି ନିଜ ବୋଲିଂରେ ଫେରନ୍ତା କ୍ୟାଚ୍‌ ନେଇଥିଲେ। ଏଥିପାଇଁ ଈଶାନ୍ତ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧରଙ୍କୁ ଶ୍ରେୟ ଦେଇଛନ୍ତି। ଶ୍ରୀଧରଙ୍କ ପ୍ରୟାସ ଯୋଗୁଁ ମୋର ଫିଟ୍‌ନେସ୍‌ ଉଚ୍ଚରେ ରହିଛି। ସେ ମଧ୍ୟ କ୍ଷେତ୍ରରକ୍ଷଣରେ ଉନ୍ନତି ଆଣିବାକୁ ସବୁବେଳେ ପରାମର୍ଶ ଦେଇଥାନ୍ତି। ତାଙ୍କ ପରାମର୍ଶ ଓ କଠିନ ପରିଶ୍ରମ ଯୋଗୁଁ କ୍ଷେତ୍ରରକ୍ଷଣରେ ମଧ୍ୟ ଉନ୍ନତି ଆଣିପାରିଛି ବୋଲି ଈଶାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର