କୋଭିଡ୍କୁ ନେଇ ଜୈବ ବଳୟର ବିଭୀଷିକା ଭିତରେ ଭାରତୀୟ କ୍ରିକେଟ୍ ଦଳର ଦୁର୍ଦ୍ଧର୍ଷ ବୋଲର ଯଶପ୍ରୀତ୍ ବୁମ୍ରା ନିଜ ଜୀବନର ଅନ୍ୟତମ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ପତ୍ନୀ ସଂଜନା ଗଣେଶନଙ୍କୁ କେବଳ ବିବାହ ପ୍ରସ୍ତାବ ଦେଇ ନଥିଲେ ବରଂ ସଙ୍ଗରୋଧ ଏବଂ ଅନ୍ୟାନ୍ୟ କଟକଣା ସତ୍ତ୍ବେ ତାଙ୍କୁ ବିବାହ କରି ନେଇଥିଲେ। ପୂର୍ବତନ ଭାରତୀୟ ଅଫ୍ସ୍ପିନର ହରଭଜନ ସିଂହ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଗୀତା ବସ୍ରାଙ୍କୁ ସ୍ବତନ୍ତ୍ର ସାକ୍ଷାତକାର ନେଇ ବୁମ୍ରା କିଭଳି ଏବଂ କେଉଁ ପରିସ୍ଥିତିରେ ସଂଜନାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, ତା’ଉପରୁ ପରଦା ଉଠାଇଛନ୍ତି। କହିଛନ୍ତି, କୋଭିଡ୍ ସମୟ ଚାଲିଥିଲା। ସେଥିପାଇଁ ପ୍ରତ୍ୟେକ ଦଳକୁ ଜୈବ ବଳୟ ଭିତରେ ରହିବାକୁ ପଡ଼ୁଥିଲା। ସଂଜନା କେକେଆର୍ ସହ କାମ କରୁଥିଲେ। ମୁଁ ମୁମ୍ବାଇ ଇଣ୍ଡିଆନ୍ସରେ ଥିଲି। ଉଭୟ ଦଳ କିନ୍ତୁ ଆବୁଧାବିରେ ରହୁଥିଲେ।
ମୁଁ ପାଖରେ ଏକ ହାତମୁଦି ରଖିଥିଲି। ଆଇପିଏଲ୍ ଶେଷ ପରେ ତାଙ୍କୁ ପ୍ରପୋଜ୍ କରିବି ବୋଲି ଲକ୍ଷ୍ୟ ରଖିଥିଲି। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ପଡ଼ିଆ ଭିତର କଥାବାର୍ତ୍ତା ଛଡ଼ା ଆମ ଭିତରେ ଆଦୌ ଦେଖାଚାହାଁ ହୋଇ ପାରୁ ନଥିଲା। ଏଣୁ ଆମ ଦୁଇଜଣକୁ କେକେଆର୍ ଜୈବ ବଳୟରୁ ମୁମ୍ବାଇ ଜୈବ ବଳୟ ଭିତରକୁ ପ୍ରବେଶ କରିବା ଅନୁମତି ଦେବାକୁ ମୁଁ ସ୍ବତନ୍ତ୍ର ଅନୁରୋଧ କରିଥିଲି। ଯାହାକୁ ମଞ୍ଜୁରି ମିଳିଯାଇଥିଲା। ଯେତେବେଳେ ସଂଜନା ଆମ ହୋଟେଲ୍ରେ ପହଞ୍ଚିଥିଲେ, ସବୁକିଛି ମୁଁ ନିଜ ହାତରେ କରିଥିଲି। କେକ୍ ରଖିଥିଲି, ରୁମ୍ ସଜାଇଥିଲି, ମୁଦିକୁ ପକେଟ୍ରେ ରଖିଥିଲି। ସଂଜନା ଏହି ବିଷୟରେ କିଛି ଜାଣି ନଥିଲେ। ବୁମ୍ରାଙ୍କ କଥାକୁ ଛଡ଼ାଇ ନେଇ ସଂଜନା କହିଥିଲେ ମୁଁ ପହଞ୍ଚିଥିଲା ବେଳକୁ ତୁରନ୍ତ ବାଲକୋନିକୁ ଯିବାକୁ ବୁମ୍ରା ମୋତେ କହିଥିଲେ। ବାଲକୋନିରେ ହିଁ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ। ମୁଁ ଖୁସିଖୁସି ଏହାକୁ ଗ୍ରହଣ କରି ନେଇଥିଲି। ବୁମ୍ରା କହିଥିଲେ ପବନ ଜୋରରେ ବହୁଥିବାରୁ ମହମବତୀ ଲିଭିଯିବାର ଆଶଙ୍କା ଥିଲା। ଏଣୁ ସବୁକିଛି ତରବରିଆ ଭାବେ ଶେଷ କରିଦେବାକୁ ମୁଁ ଚାହୁଥିଲି।