ବୁମ୍‌ରା ବିସ୍ଫୋରଣରେ ଭାରତ ଲେଉଟିଲା

ଦକ୍ଷିଣ ଆଫ୍ରିକା ୧୯୪ ଭାରତ ୪୯/୧

ଜୋହାନେସ୍‌ବର୍ଗ: ଓ୍ଵଣ୍ଡରର୍ସର କଷ୍ଟକର ପିଚ୍‌ରେ ଘରୋଇ ଦଳର ବ୍ୟାଟସମ୍ୟାନ୍‌ ମଧ୍ୟ ଖେଳିବାକୁ ଢ଼େର ପରିଶ୍ରମ କଲେ। କିନ୍ତୁ ପ୍ରଥମ ପାଳିରେ ମାତ୍ର ୭ ରନର ଅଗ୍ରଣୀ ନେବାରେ ସକ୍ଷମ ହେଲେ। ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଭିତରେ ରହିଥିବା ଏହି ଟେଷ୍ଟ୍‍ର ଦ୍ୱିତୀୟ ଦିବସରେ ମଧ୍ୟ ୧୦ ଓ୍ଵିକେଟ୍‌ର ପତନ ଘଟିଲା। ଗୁରୁବାର ଖେଳ ଶେଷ ସୁଦ୍ଧା ଭାରତ ୧ ଓ୍ଵିକେଟ୍‌ରେ ୪୯ ରନ୍‌ ସଂଗ୍ରହ କରିଥିବାରୁ ୪୨ ରନ୍‌ରେ ଆଗୁଆ ହୋଇ ମ୍ୟାଚ୍‌କୁ ଫେରୁଥିବାର ସେଙ୍କତ ଦେଇଛି।
ଘରୋଇ ଦଳର ଦ୍ରୁତ ବୋଲରଙ୍କ ଭଳି ଭାରତୀୟ ବୋଲର ମଧ୍ୟ କିଛି କମ୍‌ ଦମ୍‌ ଦେଖାଇନଥିଲେ। ହାସିମ୍‌ ଆମଲା (୬୧, ୧୨୧ ବଲ୍‌, ୭ ଚୌକା), କାଗିସୋ ରବାଦା (୩୦, ୮୪ ବଲ୍‌) ଏବଂ ଭର୍ନାନ୍‌ ଫିଲାଣ୍ଡର୍‌ (୩୫, ୫୫ ବଲ୍‌)ଙ୍କ ଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଜୋହାନେସ୍‌ବର୍ଗରେ ଗୁରୁବାର ସକାଳେ ୬/୧ରୁ ଖେଳିଥିବା ଘରୋଇ ଦଳକୁ ଭୁବନେଶ୍ୱର କୁମାର ଦ୍ୱିତୀୟ ଝଟକା ଦେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଡିନ୍‌ ଏଲଗାର (୪)ଙ୍କୁ ଓ୍ଵିକେଟ୍‌ ପଛପଟେ ପାର୍ଥିବ ପଟେଲଙ୍କ ହାତରେ ଧରାଇ ଦେବାରୁ ଦକ୍ଷିଣ ଆଫ୍ରିକା ୧୬/୨ରେ ପହଞ୍ଚିଥିଲା। ଏହା ପରେ କିନ୍ତୁ ନାଇଟ୍‌ ଓ୍ଵାଚ୍‌ମ୍ୟାନ୍‌ କାଗିସୋ ରବାଦାଙ୍କୁ ସାଥୀ କରି ହାସିମ୍‌ ଆମଲା ୬୪ ରନ୍‌ ଯୋଡ଼ିବା ଭାରତୀୟ ଶିବିରରେ ଚିନ୍ତା ବଢ଼ାଇଥିଲା। ରବାଦାଙ୍କୁ ଈଶାନ୍ତ ଶର୍ମା ଆଉଟ୍‌ କରି ଏହି ଭାଗୀଦାରିକୁ ଅଲଗା କରିବା ପରେ ଭାରତୀୟ ବୋଲରମାନେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ବାହାର କରିଥିଲେ। ଏବି ଡି’ଭିଲିୟର୍ସଙ୍କୁ ବୋଲଡ୍‌ କରି ଭୁବନେଶ୍ୱର କୁମାର ନିଜର ତୃତୀୟ ଓ୍ଵିକେଟ୍‌ ନେଇଥିଲେ। ଏହା ପରେ ବୁମରାଙ୍କ ପାଳି ପଡ଼ିଥିଲା। କେପ୍‌ ଟାଉନ୍‌ରେ ପଦାର୍ପଣ କରିବା ବେଳେ ଢ଼େର ସମାଲୋଚିତ ହୋଇଥିବା ବୁମରା କିନ୍ତୁ ଓ୍ଵଣ୍ଡରର୍ସ ବିସ୍ଫୋରଣରେ ସମସ୍ତଙ୍କୁ ମୁହଁ ବନ୍ଦ କରି ଦେଇଥିଲେ। ଫାପ୍‌ ଡୁ ପ୍ଲେସିସ୍‌, କ୍ୱିଣ୍ଟନ୍‌ ଡି’କକ୍‌, ଏକମାତ୍ର ଅର୍ଧଶତକ ହାସଲକାରୀ ହାସିମ୍‌ ଆମଲାଙ୍କୁ ଲଗାତାର ଆଉଟ୍‌ କରିବା ପରେ ଭାରତକୁ ଲେଉଟାଣି ସୁଯୋଗ ମିଳିଥିଲା। ଶେଷକୁ ଫେଲୁକ୍ୱାୟୋ ଏବଂ ଏନ୍‌ଗିଡିଙ୍କୁ ଗୋଟିଏ ବଲ୍‌ ବ୍ୟବଧାନରେ ଆଉଟ୍‌ କରି ବୁମରା ମଧ୍ୟ ନିଜ ସଂକ୍ଷିପ୍ତ ଟେଷ୍ଟ୍‍ ଜୀବନର ପ୍ରଥମ ୫ ଓ୍ଵିକେଟ୍‌ ସଫଳତା ପାଇଥିଲେ। ମଝିରେ ଆକମ୍ରଣାତ୍ମକ ଖେଳୁଥିବା ଭର୍ନାନ୍‌ ଫିଲାଣ୍ଡରଙ୍କୁ ଆଉଟ୍‌ କରିଥିଲେ ମହମ୍ମଦ ସାମି। ଫଳରେ ଭାରତ ସମସ୍ତ ୪ ସ୍ପେଶାଲିଷ୍ଟ ଦ୍ରୁତ ବୋଲର ଓ୍ଵିକେଟ୍‌ ଦଖଲ କରିଥିଲେ। ହାର୍ଦିକ ପାଣ୍ଡ୍ୟା ମାତ୍ର ୨ ଓଭର ବୋଲିଂ କରି ୩ ରନ୍‌ ଦେଇ ଓ୍ଵିକେଟଶୂନ୍ୟ ରହିଥିଲେ।

ପ୍ରଥମ ପାଳିରେ ମାତ୍ର ୭ ରନ୍‌ ପଛରେ ପଡ଼ିଯିବା ପରେ ଆତ୍ମବିଶ୍ୱାସ ଭରା ଭାରତ ନୂଆ ରଣନୀତିରେ ଖେଳିଥିଲା। ବାମ-ଡ଼ାହାଣ ସମନ୍ଵୟରେ ବ୍ୟାଟିଂ କରିବା ପାଇଁ ମୁରଲୀ ବିଜୟଙ୍କ ସହିତ ପାର୍ଥିବ ପଟେଲ୍‌ ଆସିଥିଲେ। ପାର୍ଥିବ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ ମଧ୍ୟ ୧୫ ବଲ୍‌ରୁ ୧୬ ରନ୍‌ କରି ବିଦାୟ ରାସ୍ତା ଦେଖିଥିଲେ। ଫିଲାଣ୍ଡରଙ୍କ ବଲ୍‌ ତାଙ୍କ ବ୍ୟାଟ୍‌ ଓ ପାଡ୍‌ ଦେଇ ସ୍ଲିପ୍‌ରେ ମର୍କରାମଙ୍କ ହାତରେ ପଡ଼ିଥିଲା। ତେବେ ଦିନର ଶେଷ ୧୨ ଓଭରରକୁ ହାତେଇ ମୁରଲୀ ବିଜୟ (୧୩*, ୪୯ ବଲ୍‌, ୧ ଚୌକା) ଏବଂ ଲୋକେଶ ରାହୁଲ (୧୬*, ୩୮ ବଲ୍‌, ୨ ଚୌକା) ଭାରତକୁ ଅଧିକ କ୍ଷତି ପହଞ୍ଚାଇନଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୮୭ (ବିରାଟ କୋହଲି-୫୪, ତେତେଶ୍ୱର ପୂଜାରା-୫୦, ରବାଦା-୩/୩୯)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୬୫.୫ ଓଭରରେ ୧୯୪ (ହାସିମ୍‌ ଆମଲା-୬୧, ଭର୍ନାନ୍‌ ଫିଲାଣ୍ଡର୍‌-୩୫, ରବାଦା-୩୦, ଯଶପ୍ରୀତ ବୁମରା-୫/୫୪, ଭୁବନେଶ୍ୱର କୁମାର-୩/୪୪, ଈଶାନ୍ତ ଶର୍ମା-୧/୩୩, ମହମ୍ମଦ ସାମି-୧/୪୬)। ଭାରତ ଦ୍ୱିତୀୟ ପାଳି: ୧୭ ଓଭରରେ ୪୯/୧ (ଲୋକେଶ ରାହୁଲ୍‌-୧୬*, ମୁରଲୀ ବିଜୟ-୧୩*, ଭର୍ନାନ୍‌ ଫିଲାଣ୍ଡର୍‌-୧/୧୧)।

ଦିନିକିଆ ଦଳରେ ଏନ୍‌ଗିଡି ଓ ଜୋଣ୍ଡୋ
ଫେବ୍ରୁଆରି ପହିଲାରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ୬ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ୩ ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ଆଦୌ ଦିନିକିଆ ଖେଳି ନ ଥିବା ଲୁଙ୍ଗି ଏନ୍‌ଗିଡି ଏବଂ ଖୟା ଜୋଣ୍ଡୋଙ୍କୁ ଦଳରେ ସୁଯୋଗ ମିଳିଛି। ଦଳକୁ ମଧ୍ୟ ମର୍ନି ମର୍କେଲ ଏବଂ କ୍ରିସ୍‌ ମୋରିସଙ୍କ ପ୍ରତ୍ୟାବର୍ତନ ଘଟିଛି। ଇମ୍ରାନ୍‌ ତାହିରଙ୍କ ପରେ ଦ୍ୱିତୀୟ ସ୍ପିନର୍‌ ଭାବେ ତାବ୍ରାଇଜ୍‌ ସାସ୍‌ମିଙ୍କୁ ସୁଯୋଗ ମିଳିଛି। ୨୦୧୯ ବିଶ୍ୱକପ୍‌କୁ ନଜରରେ ରଖି ଦକ୍ଷିଣ ଆଫ୍ରିକା କିଛି ଯୁବ ଖେଳାଳିଙ୍କୁ ଦଳରେ ନେଇଛି। ଦିନିକିଆ ଶୃଙ୍ଖଳା ଗୁଡ଼ିକ ଫେବ୍ରୁଆରି ୧ (ଡର୍ବାନ୍‌), ୪ (ସେଞ୍ଚୁରିଅନ୍‌), ୭ (କେପ୍‌ ଟାଉନ୍‌), ୧୦ (ଜୋହାନେ୍‌ସବର୍ଗ), ୧୩ (ପୋର୍ଟ ଏଲିଜାବେଥ୍‌), ୧୬ (ସେଞ୍ଚୁରିଅନ୍‌) ତାରିଖରେ ଖେଳାଯିବ। ଏହା ପରେ ୩ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି ଶୃଙ୍ଖଳା ଆୟୋଜିତ ହୋଇଛି।
ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ: ଫାପ୍‌ ଡୁ ପ୍ଲେସିସ୍‌ (ଅଧିନାୟକ), ହାସିମ୍‌ ଆମଲା, କ୍ୱିଣ୍ଟନ୍‌ ଡି’କକ୍‌, ଏବି ଡି’ଭିଲିୟର୍ସ, ଜେପି ଡୁମିନି, ଇମ୍ରାନ୍‌ ତାହିର୍‌, ଐଦେନ୍‌ ମର୍କରାମ, ଡେଭିଡ୍‌ ମିଲର୍‌, ମର୍ନି ମର୍କେଲ୍‌, କ୍ରିସ୍‌ ମୋରିସ୍‌, ଲୁଙ୍ଗି ଏନ୍‌ଗିଡି, ଆନ୍ଦିଲ୍‌ ଫେଲୁକ୍ୱାୟୋ, କାଗିସୋ ରବାଦା, ତାବ୍ରାଇଜ୍‌ ସାସ୍‌ମୀ, ଖୟା ଜୋଣ୍ଡୋ।

ସମ୍ବନ୍ଧିତ ଖବର