ଲିଡ୍ସ: ଭାରତର ଅମୋଘ ଅସ୍ତ୍ର ତଥା ବରିଷ୍ଠ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ଯାଦୁ ଲିଡ୍ସ ଲଢ଼େଇରେ ବି ଦେଖିବାକୁ ମିଳିଛି। ବୁମ୍ରାଙ୍କ ପାଞ୍ଚ ୱିକେଟ୍ ସଫଳତା ପାଇଁ ଏକଦା ଦୃଢ଼ ସ୍ଥିତିରେ ଥିବା ଘରୋଇ ଇଂଲଣ୍ଡ ୪୬୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଫଳରେ ଭ୍ରମଣକାରୀ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ପାଳିରେ ୬ ରନ୍ର ଛୋଟ ହେଲେ ମନୋସ୍ତାତ୍ତ୍ବିକ ଅଗ୍ରଣୀ ଲାଭ କରିଛି। ତୃତୀୟ ଦିନର ଷ୍ଟମ୍ପ୍ସ ବେଳକୁ ଦ୍ବିତୀୟ ପାଳିରେ ୨ ୱିକେଟ୍ ବିନିମୟରେ ୯୦ ରନ୍ କରି ଟିମ୍ ଇଣ୍ଡିଆ ମୋଟ ଉପରେ ୯୬ ରନ୍ରେ ଆଗୁଆ ରହିଛି।
ପ୍ରଥମ ପାଳିର ଶତକ ହାସଲକାରୀ ଯଶସ୍ବୀ ଜୟସ୍ବାଲ ଦ୍ବିତୀୟ ପାଳିରେ ଶସ୍ତାରେ ଆଉଟ୍ ହୋଇଛନ୍ତି। ବ୍ୟକ୍ତିଗତ ଭାବେ ୪ ରନ୍ରେ ଥିଲା ବେଳେ ବ୍ରାଇଡନ୍ କାର୍ସଙ୍କ ଆଉଟ୍ ସୁଇଂ ବଲ୍ ତାଙ୍କ ବ୍ୟାଟ୍ ଧାରରେ ବାଜି ଇଂଲଣ୍ଡ ୱିକେଟ୍ରକ୍ଷକ ଜାମି ସ୍ମିଥ୍ଙ୍କ ଗ୍ଲୋଭ୍ସକୁ ଚାଲିଯାଇଥିଲା। ଫଳରେ ଜୟସ୍ବାଲଙ୍କ ଦ୍ବିତୀୟ ପାଳି କେବଳ ଗୋଟିଏ ଚୌକାରେ ସୀମିତ ରହିଥିଲା। ପଦାର୍ପଣକାରୀ ସାଇ ସୁଦର୍ଶନ ପ୍ରଥମ ପାଳି ଶୂନକୁ ଭୁଲି ଅଧିକ ଦାୟିତ୍ବବାନ ବ୍ୟାଟିଂ କରିଥିଲେ। କିନ୍ତୁ ଗୋଟିଏ ଜୀବନ ଦାନ ପାଇବା ସତ୍ତ୍ବେ ତାଙ୍କ ପାଳି ୩୦ ରନ୍ରେ ଅଟକି ଯାଇଥିଲା। ଏହା ପୂର୍ବରୁ କେଏଲ୍ ରାହୁଲ ଓ ସେ ଦ୍ବିତୀୟ ୱିକେଟ୍ରେ ୬୬ ରନ୍ ଯୋଡ଼ିଥିଲେ। ତୃତୀୟ ଦିନ ବନ୍ଦ ବେଳକୁ ରାହୁଲ ୪୭* ଓ ଗିଲ୍ ୬* ରନ୍ରେ ବ୍ୟାଟିଂ କରୁଥିଲେ।
ରବିବାର ପ୍ରଭାବହୀନ ଫିଲ୍ଡିଂ ସତ୍ତ୍ବେ ବୁମ୍ରାଙ୍କ ବଢ଼ିଆ ବୋଲିଂ ପାଇଁ ଇଂଲଣ୍ଡର ଶେଷ ୭ ୱିକେଟ୍ ଭାରତ ୨୫୬ ରନ୍ରେ କରାୟତ୍ତ କରିଥିଲା। ଠିକ୍ ୧୦୦ ରନ୍ରେ ଅପରାଜିତ ଥିବା ଓଲି ପୋପ୍ଙ୍କୁ ମାତ୍ର ୬ ରନ୍ରେ ପରେ ପ୍ରସିଦ୍ଧ କ୍ରିଷ୍ଣା ପ୍ୟାଭିଲିୟନ୍ ଫେରାଇ ଭାରତକୁ ପ୍ରଥମ ସଫଳତା ଉପହାର ଦେଇଥିଲେ। ପୁଣି ଧୂଆଁଧାର ବ୍ୟାଟିଂ କରୁଥିବା ହ୍ୟାରି ବ୍ରୁକଙ୍କୁ ଶତକର ଗୋଟିଏ ରନ୍ ପୂର୍ବରୁ ଆଉଟ୍ କରି ଇଂଲଣ୍ଡକୁ ଆଉ ଏକ ବଡ଼ ଝଟ୍କା ଦେଇଥିଲେ। ନବମ ଶତକର ଗୋଟିଏ ରନ୍ ପୂର୍ବରୁ ପ୍ରସିଦ୍ଧଙ୍କୁ ହୁକ୍ କରିବାକୁ ଯାଇ ଶାର୍ଦୁଳ ଠାକୁରଙ୍କ ହାତରେ ଡିପ୍ ବ୍ୟାକ୍ୱାର୍ଡ ଅଞ୍ଚଳରେ ଧରାପଡ଼ି ଯାଇଥିଲେ ସେ। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ମହମ୍ମଦ ସିରାଜ ଶିକାର କରିଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କାରଣ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ପରେ ବି ଇଂଲଣ୍ଡ ତା’ର ଆକ୍ରମଣାତ୍ମକ ଶୈଳୀକୁ ଜାରି ରଖି ରନ୍ ହାର କମିବାକୁ ଦେଇ ନଥିଲା। ଏପରିକି ଦୁଇ ଟେଲ୍ଏଣ୍ଡର୍ କ୍ରିସ୍ ଓକ୍ସ ଓ ବ୍ରାଇଡନ୍ କାର୍ସ ଦ୍ରୁତ ଖେଳି ଇଂଲଣ୍ଡର ନିଅଣ୍ଟକୁ ଯଥେଷ୍ଟ କମାଇ ଦେଇଥିଲେ। ଅନ୍ୟଉପାୟ ନପାଇ ଅଧିନାୟକ ଶୁବମନ୍ ଗିଲ୍ ନିଜ ପ୍ରମୁଖ ବୋଲର ଯଶପ୍ରୀତ୍ ବୁମ୍ରାଙ୍କୁ ଇଂଲଣ୍ଡର ଲାଞ୍ଜ କାଟିବାକୁ ଲଗାଇଥିଲେ। ସେ ମଧ୍ୟ ଏହାର ସମ୍ମାନ ରଖି ଗୋଟିଏ ଓଭର ବ୍ୟବଧାନରେ ଦୁଇଟି ୱିକେଟ୍ ନେଇ ଇଂଲଣ୍ଡ ପାଳିକୁ ୪୬୫ ରନ୍ରେ ଶେଷ କରି ଦେଇଥିଲେ। ଦ୍ରୁତ ଗତିରେ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ଓକ୍ସଙ୍କୁ ବୋଲ୍ଡ କରିବା ପରେ ଜୋସ୍ ଟଙ୍ଗ୍ଙ୍କୁ ଆଉଟ୍ କରି ଚତୁର୍ଦଶ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ ବୁମ୍ରା। ସେହିଭଳି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ରେ ପୂର୍ବତନ ଭାରତୀୟ ସ୍ପିନର ଆର୍ ଅଶ୍ବିନଙ୍କ ୫ଟି ପାଞ୍ଚ ୱିକେଟ୍ ସଫଳତା ରେକର୍ଡ ସହ ସମକକ୍ଷ ହୋଇଥିଲେ। ଏହା ପୂର୍ବରୁ କିନ୍ତୁ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଲଗାତାର ଛକା ମାରି ଟେଷ୍ଟ୍ କ୍ରିକେଟ୍ରେ ଓକ୍ସ ୨,୦୦୦ ରନ୍ ପୂରଣ କରିସାରିଥିଲେ।
ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି: ୪୭୧/୧୦। ଇଂଲଣ୍ଡ ପ୍ରଥମ ପାଳି ୧୦୦.୪ ଓଭରରେ ୪୬୫/୧୦ (ଓଲି ପୋପ୍ ୧୦୬, ହ୍ୟାରି ବ୍ରୁକ୍ ୯୯, ବେନ୍ ଡକେଟ ୬୨, ଜାମି ସ୍ମିଥ୍ ୪୦, କ୍ରିସ୍ ଓକ୍ସ ୩୮, ଯଶପ୍ରୀତ୍ ବୁମ୍ରା ୫/୮୩, ପ୍ରସିଦ୍ଧ କ୍ରିଷ୍ଣା ୩/୧୨୮, ମହମ୍ମଦ ସିରାଜ ୨/୧୨୨)। ଭାରତ ଦ୍ବିତୀୟ ପାଳି ୨୩.୫ ଓଭରରେ ୯୦/୨ (କେଏଲ୍ ରାହୁଲ ୪୭*, ସାଇ ସୁଦର୍ଶନ ୩୦, ଶୁବମନ ଗିଲ୍ ୬*, ବ୍ରାଇଡନ୍ କାର୍ସ ୧/୨୭, ବେନ୍ ଷ୍ଟୋକ୍ସ ୧/୧୮)।