ବେକେନହାମ (କେଣ୍ଟ): ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଐତିହାସିକ ଲର୍ଡସ ଷ୍ଟାଡିୟମ୍ସ୍ଥିତ ଇନ୍ଡୋର ଭିତ୍ତିଭୂମିରେ ବନ୍ଦଦ୍ବାର ଅଭ୍ୟାସ କରିବା ପରେ ଏବେ ଖୋଲା ପଡ଼ିଆରେ ପ୍ରସ୍ତୁତି ଆରମ୍ଭ କରିଛି। ଲଣ୍ଡନଠାରୁ ପାଖାପାଖି ୧୭ କିଲୋମିଟର ଦୂରରେ ଅବସ୍ଥିତ ବେକେନହାମ୍ ସହରସ୍ଥିତ ଇଂଲିସ୍ କାଉଣ୍ଟି କ୍ଲବ୍ ‘କେଣ୍ଟ୍’ର ଦ୍ବିତୀୟ ଘରୋଇ ପଡ଼ିଆରେ ଭାରତୀୟ ଦଳର ଶିବିର ଲାଗିଛି। ସୋମବାର ଟିମ୍ ଇଣ୍ଡିଆର ଅଭ୍ୟାସରେ ଅଣପାରମ୍ପରିକ ବୋଲିଂ ଶୈଳୀ ତଥା ପ୍ରତିପକ୍ଷକୁ ବରାବର ଘାଇଲା କରିବା ପାଇଁ ପରିଚିତ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଶାଣିତ ୟର୍କର ତଥା ସ୍ଥିର ଲାଇନ୍ ଲେନ୍ଥରେ ବୋଲିଂ କରି ସବୁ ଭାରତୀୟ ବ୍ୟାଟର୍ଙ୍କୁ ସେ ନେଟ୍ସରେ ହଇରାଣରେ ପକାଉଥିବା ଦେଖିବାକୁ ମିଳିଥିଲା। ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲଙ୍କ ତୀକ୍ଷ୍ଣ ନଜର ତଳେ ବୁମ୍ରା କ୍ରମଶଃ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ସେହିଭଳି ଉଭୟ ୨୦୧୮ ଗସ୍ତରେ ବୁମ୍ରା ଟ୍ରେଣ୍ଟ୍ ବ୍ରିଜ୍ଠାରେ ଦୁଇଟି ପାଞ୍ଚ ୱିକେଟ୍ ସଫଳତା ହାସଲ କରିବା ନେଇ ମଧ୍ୟ ଚର୍ଚ୍ଚା କରିଥିଲେ। ହେଲେ ପରବର୍ତ୍ତୀ ଗସ୍ତଗୁଡ଼ିକରେ ବୁମ୍ରା ସେତେଟା ଅସରଦାର ସାବ୍ୟସ୍ତ ନହେବାର କାରଣ ନେଇ ମଧ୍ୟ ଉଭୟ ପର୍ଯ୍ୟାଲୋଚନା କରିଥିଲେ। ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୨୦ ତାରିଖରୁ ଆରମ୍ଭ ହେଉଥିଲା ବେଳେ ବୁମ୍ରା ସମସ୍ତ ପାଞ୍ଚଟି ଯାକ ଟେଷ୍ଟ୍ରେ ଖେଳିବେନି ବୋଲି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। କାର୍ଯ୍ୟଭାର ପରିଚାଳନା ପାଇଁ ଅତିବେଶିରେ ତିନିଟି ଟେଷ୍ଟ୍ରେ ହିଁ ସେ ଖେଳିବେ। ଏଣୁ ଯେଉଁ ମ୍ୟାଚ୍ଗୁଡ଼ିକରେ ବୁମ୍ରା ଖେଳିବାର ସୁଯୋଗ ପାଇବେ, ସେଥିରେ ଅଧିକରୁ ଅଧିକ ସଫଳତା ସାଉଣ୍ଟିବା ଲାଗି ଯୋଜନା ରଖିଛନ୍ତି।
ଗିଲ୍ଙ୍କୁ ପୂଜାରା ଦେଲେ ସଫଳତା ମନ୍ତ୍ର
ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ର ଏକପ୍ରକାର ନୂଆ ଯୁଗ ଆରମ୍ଭ ହେବ। ତିନି କିବଂଦନ୍ତି କ୍ରିକେଟର୍ ବିରାଟ କୋହଲି, ରୋହିତ ଶର୍ମା ଓ ଆର ଅଶ୍ବିନ ଅବସର ନେଇ ସାରିଥିଲା ବେଳେ ବରିଷ୍ଠ ବୋଲର୍ ମହମ୍ମଦ ସାମି ଦଳରେ ନାହାନ୍ତି। ପରିବର୍ତ୍ତନ କାଳରେ ଥିବା ଭାରତୀୟ ଦଳର ନେତୃତ୍ବ ଯୁବବୀର ଶୁବମନ୍ ଗିଲ୍ ନେବାକୁ ଯାଉଛନ୍ତି। ଦଳରେ ବହୁ ନବାଗତ ଓ ଅନଭିଜ୍ଞ ଖେଳାଳି ଅଛନ୍ତି। ଏଣୁ ଏହି ଶୃଙ୍ଖଳା ଭାରତୀୟ ଦଳ ପାଇଁ କୌଣସି ବଡ଼ ପରୀକ୍ଷାଠାରୁ କିଛି କମ୍ ହେଲା ଭଳି ମନେ ହେଉନି। ଏଭଳି ସ୍ଥିତିରେ ଇଂଲଣ୍ଡର କଠୋର ତଥା କଠିନ ପରିବେଶରେ ସଫଳ ହେବାର ମନ୍ତ୍ର କିଛି କ୍ରିକେଟର୍ ସୋମବାର ଗିଲ୍ଙ୍କୁ ଦେଇଛନ୍ତି। ଇଂଲଣ୍ଡରେ ଢେର ସମୟ ଖେଳିବାର ଅଭିଜ୍ଞତା ରଖିଥିବା ଚେତେଶ୍ବର ପୂଜାରା କହିଛନ୍ତି, ଇଂଲଣ୍ଡରେ ସଫଳ ହେବା ଲାଗି ଭାରତୀୟ ବ୍ୟାଟର୍ଙ୍କୁ ଶୃଙ୍ଖଳିତ ଖେଳ ଖେଳିବା ସହ ଅସୀମ ଧୈର୍ଯ୍ୟର ପରିଚୟ ଦେବାକୁ ପଡ଼ିବ। ସେହିଭଳି ପରସ୍ପରକୁ ନୈତିକ ସମର୍ଥନ ଦେବାର ମଧ୍ୟ ଢେର ମହତ୍ତ୍ବ ରହିବ। ସବୁ ଖେଳାଳିଙ୍କୁ ଦଳର ସଫଳତା ଲାଗି ଅବଦାନ ରଖିବାକୁ ହେବ। ମୁଁ ସ୍ଥିର ନିଶ୍ଚିତ ଯେ ଏହି ଶୃଙ୍ଖଳାରୁ ଭାରତୀୟ ଯୁବ ଖେଳାଳିମାନେ ଅନେକ କିଛି ଶିଖିବେ। ଦଳଗତ ଭାବେ ମଧ୍ୟ ଗିଲ୍ଙ୍କ ଦଳ ନୂଆ ଅଭିଜ୍ଞତା ଆହରଣ କରିବ। ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରା ଇଂଲଣ୍ଡରେ ଖେଳିବା ଆହ୍ବାନପୂର୍ଣ୍ଣ ହେଲେ ମଧ୍ୟ ବେଶ୍ ମଜାଦାର ବୋଲି ମତ ରଖିଛନ୍ତି। ସେ କହିଛନ୍ତି, ମୋ ପାଇଁ ଇଂଲଣ୍ଡ ଗସ୍ତ ସବୁବେଳେ ଆହ୍ବାନପୂର୍ଣ୍ଣ ରହି ଆସିଛି। ମଜା ବି ଆସିଛି। ଇଂଲଣ୍ଡରେ ସଫଳ ହେବାର ଚାବିକାଠି ହେଉଛି ସେଠାକାର ପରିବେଶ ସହ ନିଜକୁ ଖାପଖୁଆଇବା ଏବଂ ତଦନୁଯାୟୀ ବୋଲିଂ ଓ ବ୍ୟାଟିଂ କରିବା। ପୂର୍ବତନ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ ମଧ୍ୟ ନେହରାଙ୍କ ସହ ଏକମତ ହୋଇଛନ୍ତି।
ଭାରତର ଲର୍ଡସ ଅଭ୍ୟାସକୁ ନେଇ ବିବାଦ
ଭାରତୀୟ କ୍ରିକେଟ୍ ଦଳ ଲର୍ଡସରେ ରବିବାର କରିଥିବା ଅଭ୍ୟାସକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାରତୀୟ କ୍ରିକେଟ୍ ଦଳ ଯେଉଁ ସ୍ଥାନରେ ଅଭ୍ୟାସ କରିଥିଲେ, ସେଠାରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପାଇଁ ଅଭ୍ୟାସ କରିବାର ଥିଲା। ହେଲେ ଭାରତୀୟ ଦଳ ପାଇଁ ଲର୍ଡସ କର୍ତ୍ତୃପକ୍ଷ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ସେଠାରେ ଅଭ୍ୟାସ କରିବାକୁ ଅନୁମତି ଦେଇ ନଥିଲା। ଏଥିନେଇ ଅଷ୍ଟ୍ରେଲିଆ ଖେଳାଳିମାନେ ତୀବ୍ର ଅସନ୍ତୋଷ ଜାହିର କରିଥିବା ବ୍ରିଟେନ୍ର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରି ପୋର୍ଟରେ କୁହାଯାଇଛି ଯେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ। ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ୨୦ ତାରିଖରୁ ଖେଳାଯିବ। ଏହା ସତ୍ତ୍ବେ ଅଷ୍ଟ୍ରେଲିଆ ଖେଳାଳିମାନଙ୍କୁ ଲର୍ଡସରେ ଅଭ୍ୟାସ କରିବାର ସୁଯୋଗ ଦିଆଗଲାନି। ଏପରିକି ଅଷ୍ଟ୍ରେଲିଆ ଖେଳାଳିମାନେ ଲର୍ଡସ ଷ୍ଟାଡିୟମ୍ ଯାଇଥିଲେ ମଧ୍ୟ ସେମାନଙ୍କୁ ଭିତରକୁ ଯିବାର ଅନୁମତି ମିଳି ନଥିଲା। ଏହା ଆଦୌ ଗ୍ରହଣୀୟ ନୁହେଁ। ତେବେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ, ବିସିସିଆଇ କିମ୍ବା କ୍ରିକେଟ୍ ଅଷ୍ଟ୍ରେଲିଆ ଏଥିନେଇ କୌଣସି ଆନୁଷ୍ଠାନିକ ମନ୍ତବ୍ୟ ଦେଇ ନାହାନ୍ତି।