ଦୁବାଇ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଦୁଇ ଦିନରେ ମିଳିଛି ଦୁଇଟି ବଡ଼ ଆଇସିସି ସମ୍ମାନ। ସୋମବାର ଆଇସିସିର ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ଘୋଷିତ ହୋଇଥିଲେ ସେ। ମଙ୍ଗଳବାର ଏହି ତାଲିକାରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବା ସହ ବୁମ୍ରା ୨୦୨୪ ମସିହା ପାଇଁ ଆଇସିସିର ଶ୍ରେଷ୍ଠ କ୍ରିକେଟର୍ ପୁରସ୍କାର ବିଜେତା ହୋଇ ସମ୍ମାନଜନକ ଗ୍ୟାରି ସୋବର୍ସ ଟ୍ରଫି ଜିତିଛନ୍ତି। ଏଭଳି ବିରଳ ଯୁଗଳ ପାଇବାରେ ସେ ମଧ୍ୟ ବିଶ୍ବର ହାତଗଣତି ଖେଳାଳିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ବୁମ୍ରା ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଆଇସିସି ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ପୁରସ୍କାର ଜିତିଥିଲେ। ଏବେ ମିଚେଲ ଜନସନ, ସାହିନ ସାହ ଆଫ୍ରିଦି ଓ ପ୍ୟାଟ୍ କମିନ୍ସଙ୍କ ପରେ ବିଶ୍ବର ଚତୁର୍ଥ ଦ୍ରୁତ ବୋଲର ଭାବେ ବର୍ଷର ଶ୍ରେଷ୍ଠ କ୍ରିକେଟର୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯାହା ଫଳରେ ଭାରତୀୟ କ୍ରିକେଟ୍ରେ ଖୁସିର ଲହରି ଖେଳି ଯାଇଛି। ବ୍ୟକ୍ତିଗତ ଭାବେ ମଧ୍ୟ ବୁମ୍ରା ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍, ଇଂଲଣ୍ଡର ଜୋ ରୁଟ୍ ଓ ହ୍ୟାରି ବ୍ରୁକଙ୍କୁ ପଛରେ ପକାଇ ନିଜ ଅଣପାରମ୍ପରିକ ବୋଲିଂ ଶୈଳୀ ଓ ସଠିକ୍ ଲାଇନ୍ ଲେନ୍ଥ ପାଇଁ ପରିଚିତ ବୁମ୍ରା ବର୍ଷର ଶ୍ରେଷ୍ଠ ଆଇସିସି କ୍ରିକେଟର୍ ପୁରସ୍କାର ପାଇବାରେ ପଞ୍ଚମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ‘ ଦି ୱାଲ୍’ ରାହୁଲ ଦ୍ରାବିଡ଼, ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର (୨୦୧୦), ରବିଚନ୍ଦ୍ରନ୍ ଅଶ୍ବିନ (୨୦୧୬) ଓ ବିରାଟ କୋହଲି (୨୦୧୭, ୨୦୧୮) ଏହି ପୁରସ୍କାର ଲାଭ କରିସାରିଛନ୍ତି।
୨୦୨୪ କ୍ୟାଲେଣ୍ଡର୍ ବର୍ଷ ସାରା ଦ୍ରୁତ ବୋଲିଂର ଅତୁଳନୀୟ କଳା କୌଶଳ, ନିରନ୍ତରତା ଓ ଅପୂର୍ବ ସ୍ଥିରତାର ଅନନ୍ୟ ଉଦାହରଣ ସୃଷ୍ଟି କରି ବୁମ୍ରା ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ବର ଅଗ୍ରଣୀ ଦ୍ରୁତ ବୋଲର ଭାବେ ୨୦୦ ଟେଷ୍ଟ୍ ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଛନ୍ତି। ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରିବା ସହ ଗୋଟିଏ ବର୍ଷରେ ୯୦୦ ରୢାଙ୍କିଙ୍ଗ୍ ପଏଣ୍ଟ୍ ଅତିକ୍ରମ କରିବାର ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ୯୦୭ ପଏଣ୍ଟ୍ ସହ ୨୦୨୪ ଶେଷ କରିଛନ୍ତି। ପୂର୍ବରୁ ଯାହା କୌଣସି ଭାରତୀୟ ବୋଲର ଛୁଇଁ ପାରି ନାହାନ୍ତି। ବୁମ୍ରା ମଧ୍ୟ ୨୦୨୪ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ଥିଲେ। ଭାରତ ବିଜେତା ହୋଇଥିବା ଏହି ଟ୍ବେଣ୍ଟି-୨୦ ମହାକୁମ୍ଭରେ ସେ ଅବିଶ୍ବସନୀୟ ଭାବେ ୮.୨୬ ହାରରେ ଓ ୪.୧୭ର ମିତବ୍ୟୟୀ ହାର ସହ ୧୫ ୱିକେଟ୍ କରାୟତ୍ତ କରିଥିଲେ। ନ୍ୟୁୟର୍କରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମହାଲଢ଼େଇରେ ତାଙ୍କ ଅସାଧାରଣ ସ୍ପେଲ୍ (୩/୧୪) ବଳରେ ଭାରତ ୬ ରନ୍ର ରୋମାଞ୍ଚକ ବିଜୟ ହାସଲ କରିଥିଲା। ବ୍ରିଜଟାଉନ୍ରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍ରେ ବୁମ୍ରା ଘଡ଼ିସନ୍ଧି ମୁହୂର୍ତ୍ତରେ ରିଜା ହେଣ୍ଡ୍ରିକ୍ସ ଓ ମାର୍କୋ ୟାନସେନଙ୍କ ୱିକେଟ୍ ନେଇ ମ୍ୟାଚ୍ର ଗତିପଥ ବଦଳାଇ ଦେଇଥିଲେ। ଗତବର୍ଷ ସେ ୧୩ ଟେଷ୍ଟ୍ ଖେଳି ସର୍ବାଧିକ ୭୧ ୱିକେଟ୍ ଅକ୍ତିଆର କରିଥିଲେ। ବର୍ଡର-ଗାଭାସ୍କର୍ ଟ୍ରଫିରେ ମଧ୍ୟ ଉଚ୍ଚକୋଟୀର ବୋଲିଂ କରି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ ୩୧ବର୍ଷୀୟ ବୁମ୍ରା।